ସୁନ୍ଦରଗଡ଼ ୩୦।୬ : ସବୁ ନିୟମକୁ ବେଖାତିର । ସରକାରୀ ବସ୍ ଏବେ ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ । ସୁନ୍ଦରଗଡ଼ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC) କାର୍ଯ୍ୟାଳୟ ପରିସରରୁ ଆସିଛି ଏଭଳି ସାଂଘାତିକ ଚିତ୍ର । ଯାହାର ତଦନ୍ତ ନେଇ ସାଧାରଣରେ ଦାବି ମଧ୍ୟ ଉଠିଛି ।

ଖବର ଅନୁଯାୟୀ, ସୁନ୍ଦରଗଡ଼ OSRTC ବସ୍ ସେବା କାର୍ଯ୍ୟାଳୟ ପରିସରରେ ଅନେକ ସରକାରୀ ବସ୍ ପାର୍କିଂ କରି ରଖାଯାଇଛି । ସାଧାରଣ ଲୋକଙ୍କ ଯାତାୟାତ ସୁବିଧା ପାଇଁ ସରକାର ଏହି ବସ୍ଗୁଡ଼ିକୁ ଯୋଗାଇ ଦେଇଥିବା ବେଳେ, ଏଠାକାର କିଛି ଅମାନିଆ କର୍ମଚାରୀ ଓ ଅଧିକାରୀ ଏହାକୁ ମଦର ଆସର ଭାବେ ବ୍ୟବହାର କରୁଛନ୍ତି । ଦିନ ହେଉ କି ସଞ୍ଜ, ବସ୍ଗୁଡ଼ିକର ଭିତର ଭାଗ ଏହି ବାବୁମାନଙ୍କ ପାଇଁ ଏକ ନିରାପଦ ମଦ ଆଡ୍ଡା ପାଲଟୁଛି । ଏପିରିକି ଏଠାରେ କାର୍ଯ୍ୟରତ କିଛି କର୍ମଚାରୀ ନିୟମିତ ଭାବେ ମଦ ପିଇ ଆସର ଜମାଉଥିବା ଦେଖିବାକୁ ମିଳିଛି ।

Also Read:-୬୨ ବର୍ଷୀୟ ବୃଦ୍ଧର କଳା କାରନାମା: ନାବାଳିକାକୁ ଦୁଷ୍କର୍ମ ପରେ ଗର୍ଭନଷ୍ଟ ଉଦ୍ୟମ, ମେଡିକାଲ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ

ସରକାରୀ କର୍ତ୍ତବ୍ୟକୁ ପଛରେ ପକାଇ ମଦର ମାହୋଲ ଜମୁଛି । ସରକାର ଲୋକଙ୍କ ଟିକସ ପଇସାରେ ପରିବହନ ସେବା ଯୋଗାଇ ଦେଉଥିବା ବେଳେ, ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଏଭଳି ଦାୟିତ୍ୱହୀନ ମନୋଭାବକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାର ଭିଡିଓ ଓ ଚିତ୍ର ସାମ୍ନାକୁ ଆସିବା ପରେ OSRTC କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି । ଡ୍ୟୁଟି ସମୟରେ କିମ୍ବା ସରକାରୀ ପରିସର ଭିତରେ ଏଭଳି ଅସଦାଚରଣ କରୁଥିବା କର୍ମଚାରୀଙ୍କ ବିରୋଧରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ କେଉଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।