ନୂଆଦିଲ୍ଲୀ ୧୭।୧୨: ଦେଶରେ ଘରୋଇ କ୍ଷେତ୍ରରେ କର୍ମଚାରୀଙ୍କ ହାରାହାରି ବେତନରେ ଆଗାମୀ ବର୍ଷ ୯% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। କମ୍ପାନୀମାନେ ଏହି ସମୟରେ ବୋନସ ଓ ଦକ୍ଷତାକୁ ମଧ୍ୟ ଗୁରୁତ୍ୱଦେବେ। ବୁଧବାର ଏକ ରିପୋର୍ଟରେ ଏହି ଆକଳନ କରାଯାଇଛି। ଗ୍ଲୋବାଲ କନସଲ୍ଟାନ୍ସୀ କମ୍ପାନୀ ‘ମର୍ସର’ର ବେତନ ସର୍ଭେକ୍ଷଣ ରିପୋର୍ଟ-୨୦୨୬ ଅନୁସାରେ କମ୍ପାନୀମାନେ ଏବେ ବେତନ ଓ ଲାଭର ଏପରି ବ୍ୟବସ୍ଥା କରିବେ ଯେଉଁଥିରେ କର୍ମଚାରୀଙ୍କୁ କେବଳ ପଇସା ନୁହେଁ କ୍ୟାରିୟରରେ ଆଗକୁ ବଢିବାର ଉତ୍ତମ ଅନୁଭବ ମଧ୍ୟ ମିଳିବ।

ରିପୋର୍ଟ ଅନୁସାରେ ବେତନ ବୃଦ୍ଧି ନିଷ୍ପତ୍ତି କର୍ମଚାରୀଙ୍କ ବ୍ୟକ୍ତିଗତ ପ୍ରଦର୍ଶନ, ମୁଦ୍ରାସ୍ପିତିର ପ୍ରଭାବ ଓ ନିଯୁକ୍ତି ବଜାରରେ କମ୍ପାନୀର ପ୍ରତିଯୋଗୀତା ଭଳି ମୁଖ୍ୟ କାରକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏହି ସର୍ଭେକ୍ଷଣରେ ୧,୫୦୦ରୁ ଅଧିକ କମ୍ପାନୀ ଓ ୮ ହଜାରରୁ ଅଧିକ ପଦବୀର ବିଶ୍ଲେଷଣ କରାଯାଇଛି। ରିପୋର୍ଟ ଅନୁସାରେ ଏବେ ସ୍ୱଳ୍ପକାଳୀକ ପ୍ରୋତ୍ସାହନ ଅର୍ଥାତ ପ୍ରଦର୍ଶନ ସମ୍ପର୍କିତ ବୋନସ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାପରେ କମ୍ପାନୀ ସ୍କିଲ ଆଧାରିତ ସାଙ୍ଗଠନିକ ଢାଞ୍ଚା ଆଡକୁ ପାଦ ବଢାଉଛନ୍ତି। ଏହା ଦ୍ୱାରା ଜରୁରି ଓ ବିରଳ ସ୍କିଲ ଥିବା କର୍ମଚାରୀଙ୍କୁ ଉନ୍ନତ ପୈଠ ମିଳିପାରିବ।

ମର୍ସରର ମୁଖ୍ୟ ପରାମର୍ଶଦାତା (ଭାରତ) ମାଲତୀ. କେ.ଏସ୍ କହିଛନ୍ତି ଯେ ‘ସର୍ଭେକ୍ଷଣରୁ ଜଣାପଡେ ଯେ ଭାରତରେ କମ୍ପାନୀମାନଙ୍କ ନଜର ଏବେ ବ୍ୟୟ ଚାପ ଓ ପ୍ରତିଭାମାନଙ୍କୁ ଧରି ରଖିବା ପାଇଁ ରହିବ’। କ୍ଷେତ୍ର ଅନୁସାରେ ଦେଖିଲେ ୨୦୨୬ରେ ସର୍ବାଧିକ ବେତନ ବୃଦ୍ଧି ଉଚ୍ଚ ପ୍ରଯୁକ୍ତି କ୍ଷେତ୍ରରେ ବେତନ ବୃଦ୍ଧି ପାଖାପାଖି ୯.୩% ହୋଇ ପାରେ। ଏଥିରେ ବାହନ ଉଦ୍ୟୋଗରେ ୯.୫% ପର୍ଯ୍ୟନ୍ତ ବେତନ ବୃଦ୍ଧି ହୋଇପାରେ। ସେହିପରି ସୂଚନା ପ୍ରଯୁକ୍ତି (ଆଇଟି), ଆଇଟି ସମ୍ପର୍କିତ ସେବା (ଆଇଟିଏସ୍) କ୍ଷେତ୍ରର କର୍ମଚାରୀ ଅଧିକ ଖୁସିବାସ ଓ ସୁବିଧା ସୁଯୋଗ ପାଉଛନ୍ତି। ରିପୋର୍ଟରେ ଏହା ବି କୁହାଯାଇଛି ଯେ ଦେଶରେ ନୂଆ ଶ୍ରମ ଆଇନ ଲାଗୁ ହେବା ଯୋଗୁ ସୁରକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ଅଧିକ ମଜଭୁତ ହୋଇଛି।