ନୂଆଦିଲ୍ଲୀ ୩୦।୧୦: ଦକ୍ଷିଣକୋରିଆ ବୁସାନରେ ଡୋନାଲ୍ଡ ଟ୍ରମ୍ପ ଓ ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ କାଳରେ ଟାରିଫ ସମେତ ଅନେକ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା। ଏହାର ସିଧା ପ୍ରଭାବ ଏବେ ବିଶ୍ୱର ସୁନା ଓ ରୂପା ବଜାର ଉପରେ ପଡିଛି। ଉଭୟ ମୂଲ୍ୟବାନ ଧାତୁ ଦର ଆହୁରି ହ୍ରାସ ହୋଇଛି। ସପ୍ତାହର ଚତୁର୍ଥ ବ୍ୟବସାୟୀକ ଦିନ ଗୁରୁବାର  ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ୧୦ ଗ୍ରାମ ପିଛା ମୂଲ୍ୟରେ ୨ ହଜାର ଟଙ୍କା ହ୍ରାସ ଦେଖାଯାଇଥିବା ବେଳେ ରୂପା କେଜି ପିଛା ୧,୬୦୦ ଟଙ୍କା ହ୍ରାସ ହୋଇଛି।

ଗତ କିଛି ଦିନ ହେଲା ସୁନା ଓ ରୂପା ଦର ହ୍ରାସ ହେବାରେ ଲାଗିଥିଲା। ତେବେ ବୁଧବାର ଦରରେ ସାମାନ୍ୟ ସୁଧାର ଆସିଥିବା ବେଳେ ଗୁରୁବାର ପୁଣି ହ୍ରାସ ହୋଇଛି। ଏମସିଏକ୍ସ ଗୋଲ୍ଡ ରେଟ୍ ଅପଡେଟ ଉପରେ ନଜର ପକାଇଲେ ୫ ଡିସେମ୍ବରରେ ଏକ୍ସପାୟେରୀ ଡେଟ୍ ଥିବା ସୁନା ମୂଲ୍ୟ ଗୁରୁବାର ଏକ୍ସଚେଞ୍ଜ ଖୋଲିବା ବେଳେ ୧୦ ଗ୍ରାମ ପିଛା ୧,୧୮,୬୬୫ ଟଙ୍କା ହୋଇ ଯାଇଛି। ଏହା ବୁଧବାରର କାରବାର ଦର ଠାରୁ ପ୍ରାୟ ୨ ହଜାର ଟଙ୍କା ଶସ୍ତା ଥିବା ଦେଖା ଯାଇଛି। ଏହା ପୂର୍ବରୁ ବୁଧବାର ସୁନା ଦର ଟିକେ ବଢିଥିଲା। ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୧,୨୦,୬୬୬ ଟଙ୍କାରେ କାରବାର ହୋଇଥିଲା।

ତେବେ କେବଳ ସୁନା ନୁହେଁ ଏମସିଏକ୍ସ ରେ ରୂପା ଦର ମଧ୍ୟ ହ୍ରାସ ହୋଇଛି। ବୁଧବାର ରୂପା କେଜି ପିଛା ଦର ୧ଲକ୍ଷ ୪୬ ହଜାର ଟଙ୍କାରେ କାରବାର ହୋଇଥିଲା। ହେଲେ ଗୁରୁବାର ବଜାର ଖୋଲିବା ବେଳକୁ ସୁନା ଭଳି ରୂପା ମଧ୍ୟ କେଜି ପିଛା ୧,୬୦୦ ଟଙ୍କାରୁ ଅଧିକ ହ୍ରାସ ହୋଇଛି। ରୂପା କେଜି ପିଛା ମୂଲ୍ୟ ଏବେ ୧,୪୪,୪୦୨ ଟଙ୍କାରେ କାରବାର ହେଉଛି। ଚଳିତବର୍ଷ ସୁନା ଓ ରୂପା ଦର ଲଗାତାର ରେକର୍ଡ ଭାଙ୍ଗିବାରେ ଲାଗିଛି। ସବୁଦିନ ଦର ନୂଆ ଶିଖର ଛୁଉଁଛି। ହେଲେ ଗତ କିଛି ଦିନ ହେଲା ସୁନା ଓ ରୂପା ଦର ଟିକେ ନରମ ପଡିଛି।

ଏକ ସମୟରେ ରୂପା କେଜି ପିଛା ଦର ୧,୭୦, ୭୧୫ ଟଙ୍କାକୁ ପହଞ୍ଚି ଯାଇଥିଲା। ଏହି ହିସାବରେ ଏବେ ରୂପା କେଜି ପିଛା ଦରରେ ପ୍ରାୟ ୨୬,୦୧୩ ଟଙ୍କା ହ୍ରାସ ହୋଇଛି। ସେହିପରି ସୁନା ୧୦ ଗ୍ରାମ ପିଛା ଦର ୧,୩୨, ୨୯୪ ଟଙ୍କାରେ ବିକ୍ରି ହେଉଥିଲା। ଏହି ଦରରୁ ଏବେ ସୁନା ପାଖାପାଖି ୧୩,୬୨୯ ଟଙ୍କା ଶସ୍ତାରେ କିଣାବିକା ହେଉଛି। ଏମସିଏକ୍ସ ଭଳି ଘରୋଇ ବଜାରରେ ମଧ୍ୟ ସୁନା ଓ ରୂପା ଦର ହ୍ରାସ ହୋଇଛି। ଚଳିତମାସର ଗତ ୧୫ ଦିନର କାରବାର ଉପରେ ନଜର ପକାଇଲେ ଏହି ହ୍ରାସକୁ ବେଶ୍ ଅନୁମାନ କରି ହେଉଛି।

ଆଇବିଜେଏ ଡଟ୍ କମ ଅନୁସାରେ ୧୫ ଅକ୍ଟୋବରରେ ୧୦ଗ୍ରାମ ୨୪ କ୍ୟାରେଟ ସୁନା ୧,୨୬,୭୧୪ଟଙ୍କା ଥିଲା। ତେବେ ୨୯ ଅକ୍ଟୋବର ବୁଧବାର କାରବାର କାଳରେ ଏହା ୧,୨୦,୬୨୮ ଟଙ୍କାରେ କାରବାର କରି ବନ୍ଦ ହୋଇଥିଲା। ଅର୍ଥାତ ସୁନା ମୂଲ୍ୟରେ ଏହି ସମୟରେ ୬,୦୮୬ ଟଙ୍କା ହ୍ରାସ ହୋଇଛି। ରୂପା ଯାହା ମୂଲ୍ୟ କେଜି ପିଛା ୧,୭୪,୦୦୦ ଟଙ୍କାକୁ ପହଞ୍ଚିଥିଲା ଏବେ ୧,୪୬,୬୩୩ ଟଙ୍କାକୁ ଖସି ଆସିଛି। ଅର୍ଥାତ କେଜି ପିଛା ୨୭,୩୬୭ ଟଙ୍କା ହ୍ରାସ ହୋଇଛି।