ଅମରାବତୀ : ଆନ୍ଧ୍ରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର ସାମ୍ନାକୁ ଆସିଛି, ଯେଉଁଠି ଏକ ମନ୍ଦିରର ଦାନ ବାକ୍ସରୁ ମିଳିଥିବା ଏକ ୨୦ ଟଙ୍କା ନୋଟ୍ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ସାଧାରଣତଃ ଲୋକେ ମନ୍ଦିରକୁ ଦୀର୍ଘାୟୁ, ସୁଖ ସମୃଦ୍ଧି, ସୁସ୍ୱାସ୍ଥ୍ୟ ଓ ସଫଳତା କାମନା କରିବାକୁ ଯାଇଥାନ୍ତି। ହେଲେ ଏହି ନୋଟ୍ ରେ ଭକ୍ତ କରିଥିବା ମାନସିକ ପଢି ମନ୍ଦିର ପ୍ରଶାସନ ଓ ଶ୍ରଦ୍ଧାଳୁ ଆଶ୍ଚର୍ଯ୍ୟବ୍ୟକ୍ତ କରିଛନ୍ତି। ଦାନ ଟଙ୍କାରେ କୌଣିସ ଅଜ୍ଞାତ ଭକ୍ତ ତାଙ୍କ ଶାଶୂଙ୍କ ମୃତ୍ୟୁ କାମନା କରିଛନ୍ତି। ନୋଟ୍ ରେ ଥିବା ଲେଖା ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି।

ଏହି ମାମଲା ଅନନ୍ତପୁର ଜିଲ୍ଲା ପମ୍ପନୁରସ୍ଥିତ ସୁବ୍ରହ୍ମଣେଶ୍ୱର ସ୍ୱାମୀ ମନ୍ଦିରର। ସୂଚନା ଅନୁସାରେ ଯେବେ ମନ୍ଦିର ଅଧିକାରୀ ଓ କର୍ମଚାରୀ ଦାନବାକ୍ସରେ ପଡିଥିବା ଟଙ୍କା ଗଣୁଥିଲେ ସେଥିରୁ ଏହି ୨୦ ଟଙ୍କା ନୋଟ୍ ଟି ମିଳିଥିଲା । ଦାନରେ ମିଳିଥିବା ଅନ୍ୟ ସାମଗ୍ରୀ ମଧ୍ୟରେ ଥିବା ଏହି କରେନ୍ସୀ ନୋଟ୍ ରେ ଥିବା ହାତ ଲେଖାରେ ‘କୃପା କରି ନିଶ୍ଚିତ କରନ୍ତୁ ସେ ଯେପରି ଶୀଘ୍ର ମରନ୍ତି’। ଏହି ନୋଟ୍ ରେ ଗୁହାରୀ କରିବା ଭଳି ଲେଖା ଯାଇଛି ଯେ ‘ସ୍ୱାମୀ, ମୁଁ ଆଉ ଶାଶୂଙ୍କ ପ୍ରତାଡନା ଏବେ ଆଉ ବରଦାସ୍ତ କରିପାରୁନି। କୃପା କରି କିଛି ଏପରି କରନ୍ତୁ ସେ ଶୀଘ୍ର ମରି ଯାଆନ୍ତୁ’।

ଏହି କରେନ୍ସୀ ନୋଟ୍ ରେ ଭକ୍ତ ଙ୍କ ମାନସିକ ଉପସ୍ଥିତ ମନ୍ଦିର କର୍ମଚାରୀ ଓ ଭକ୍ତଙ୍କୁ ସ୍ତବ୍ଦ କରିଦେଇଛି। ସାଧାରଣତଃ ଭକ୍ତ ମନ୍ଦିରରେ ସୁସ୍ୱାସ୍ଥ୍ୟ, ସୁଖ ସମୃଦ୍ଧି, ଚାକିରୀ, ବିବାହ ଓ ସନ୍ତାନପ୍ରାପ୍ତି ଆଦି ମାନସିକ କରନ୍ତି। ଏବାବଦେ ଭକ୍ତ କାଗଜ ଚିରିକୁଟିରେ ଲେଖି ବାକ୍ସରେ ପକାଇଥାନ୍ତି। ହେଲେ କାହାର ମୃତ୍ୟୁ ନିବେଦନ କରୁଥିବା ଏହି ମାନସିକ ସମସ୍ତଙ୍କୁ ହତବାକ୍ କରିଦେଇଛି। କଥିତ ରୂରେ ଦାନ ନୋଟ୍ ମିଳିବା ପରେ ଅଧିକାରୀ ଓ କର୍ମଚାରୀ ସେମାନଙ୍କ କାମ ଅଟକାଇ ସେହି ମାନସିକକୁ ଦ୍ୱିତୀୟବାର ପଢିଥିଲେ। ଏଥିରେ ସେଠାରେ ଉପସ୍ଥିତ କିଛି ଲୋକେ ଏପରି ଅଜବ ମାନସିକକୁ ନେଇ ହସିଥିବା ବେଳେ ଆଉ କିଛି ଲୋକେ ନୋଟରେ ଲିଖିତ ବାର୍ତ୍ତାର କଟୁତା ଓ ପାରିବାରିକ କ୍ଳେଶର ସ୍ତରକୁ ଅନୁଭବ କରି ବିଚଳିତ ହୋଇପଡିଛନ୍ତି।