'୧୪ ବର୍ଷର ଲମ୍ବା ବନବାସ ପରେ ଫେରିଛି', ଶିବସେନାରେ ମିଶିବା ପରେ ଏମିତି କାହିଁକି କହିଲେ ଗୋବିନ୍ଦା ?

Published By : Prameya-News7 Bureau | March 28, 2024 IST

ମୁମ୍ବାଇ: ଲୋକସଭା ନିର୍ବାଚନ ପୂର୍ବରୁ ବଲିଉଡ ଅଭିନେତା ଗୋବିନ୍ଦା ରାଜନୀତିକୁ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁରୁବାର ମୁମ୍ବାଇରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ଶିବସେନାରେ ସାମିଲ୍ ହୋଇଛନ୍ତି। କୁହାଯାଉଛି ଗୋବିନ୍ଦା ଉତ୍ତର-ପଶ୍ଚିମ ମୁମ୍ଵାଇ ଲୋକସଭା ସିଟ୍‌ରୁ ଶିବସେନା(ଏକନାଥ ସିନ୍ଧେ ଗୋଷ୍ଠୀ)ର ଟିକେଟ୍‌ରେ ନିର୍ବାଚନ ଲଢି ପାରନ୍ତି। ଏହି ଆସନରୁ ଉଦ୍ଧବ ଠାକରେଙ୍କ ଶିବସେନାରୁ ମଇଦାନକୁ ଓହ୍ଲାଇଛନ୍ତି ଅମୋଲ କୀର୍ତ୍ତିକର। 

Also read: କଙ୍ଗନାଙ୍କୁ ନେଇ ସୁପ୍ରିୟା ଶ୍ରୀନେତଙ୍କ ପୋଷ୍ଟ ପଛରେ କିଏ ? ଦିଲ୍ଲୀ ପୋଲିସ କରିବ ତଦନ୍ତ, ରିପୋର୍ଟ ମାଗିଲେ ଉପରାଜ୍ୟପାଳ

ଏହି ଅବସରରେ ଗୋବିନ୍ଦା ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି, ସେ କେବେ ବି ଭାବି ନ ଥିଲେ ଯେ ପୁଣି ଥରେ ରାଜନୀତିକୁ ଫେରିବେ। ମୁଁ ୧୪ ବର୍ଷର ବନବାସ ପରେ ରାଜନୀତିକୁ ଫେରିଛି। ଗୋବିନ୍ଦା କହିଛନ୍ତି, ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ମୁମ୍ବାଇ ଅଧିକ ସୁନ୍ଦର ଓ ବିକଶିତ ଦେଖା ଯାଉଛି। ସୁଯୋଗ ମିଳିଲେ ମୁଁ କଳା ଓ ସଂସ୍କୃତି କ୍ଷେତ୍ରରେ କାମ କରିବି। ୨୦୦୪ ଲୋକସଭା ନିର୍ବାଚନରେ ଗୋବିନ୍ଦା କଂଗ୍ରେସ ଟିକେଟରେ ମୁମ୍ବାଇ ଉତ୍ତର ଲୋକସଭା ସିଟରେ ନିର୍ବାଚନ ଲଢି ବିଜେପିର ବରିଷ୍ଠ ନେତା ରାମ ନାଇକଙ୍କ ହରାଇଥିଲେ। 

ଗୋବିନ୍ଦା କହିଛନ୍ତି, ମୁଁ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ରାଜନୀତିରେ ଥିଲି। ଆଉ ଏହାର ୧୪ ବର୍ଷ ପରେ ପୁନର୍ବାର ରାଜନୀତକୁ ଫେରିଛି। ଏହି ସହରରେ ଆମେ ଯେଉଁ ସ୍ଵପ୍ନ ଦେଖିଥିଲୁ, ସେହି ସ୍ଵପ୍ନ ଏବେ ଏକନାଥ ସିନ୍ଦେଙ୍କ ସହ ମିଶି ସାକାର କରି ପାରିବୁ। ମୁମ୍ବାଇ ଫିଲ୍ମିସିଟି ଓ୍ଵାର୍ଲ୍ଡର 'ମୋଡେଲ୍ ସିଟି' ପରି ପ୍ରସ୍ତୁତ ହୋଇ ପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ସେ କହିଛନ୍ତି, ଗତ ୯-୧୦ ବର୍ଷରେ ଦେଶରେ ଯେଉଁ କାମ ହୋଇଛି ତାହା ଅବିଶ୍ଵସନୀୟ। ଉଲ୍ଲେଖନୀୟ ୨୦୦୯ ଲୋକସଭା ନିର୍ବାଚନ ନ ଲଢିବା ନିଷ୍ପତ୍ତି ନେଇ ଗୋବିନ୍ଦା କଂଗ୍ରେସ ଛାଡ଼ିଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.