Gautam Adani To Settle SEC Fraud Case: ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଆମେରିକାର ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଦ୍ୱାରା ଦାୟର ହୋଇଥିବା ଏକ ଠକେଇ ମାମଲାର ସମାଧାନ ପାଇଁ ୬ ମିଲିୟନ ଆମେରିକୀୟ ଡଲାର (ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କା) ଦେବାକୁ ସମ୍ମତି ପ୍ରକାଶ କରିଛନ୍ତି। ଏନେଇ ମନିକଣ୍ଟ୍ରୋଲ୍ରେ ଖବର ପ୍ରକାଶ ପାଇଛି। ଏହି ପଦକ୍ଷେପ ଆଦାନୀ ଗ୍ରୁପ୍ ପାଇଁ ଏକ ବଡ଼ ଆଇନଗତ ଆଶ୍ୱସ୍ତି ବୋଲି ବିବେଚନା କରାଯାଉଛି।

କ’ଣ ଥିଲା ମାମଲା?

SEC ଅଭିଯୋଗ କରିଥିଲା ଯେ, ଆଦାନୀ ଗ୍ରୁପର କିଛି କମ୍ପାନୀ ଶେୟାର ବଜାର ଏବଂ ବିଦେଶୀ ପୁଞ୍ଜିନିବେଶକାରୀଙ୍କୁ ନିଜର ଆର୍ଥିକ ସ୍ଥିତି ଏବଂ ବାଣିଜ୍ୟିକ କାରବାର ବିଷୟରେ ସଠିକ୍ ତଥ୍ୟ ପ୍ରଦାନ କରିନଥିଲେ। ଏଥିସହିତ କିଛି ନିର୍ଦ୍ଦିଷ୍ଟ କାରବାରରେ ସ୍ୱଚ୍ଛତା ଅଭାବରୁ ପୁଞ୍ଜିନିବେଶକାରୀଙ୍କ ସ୍ୱାର୍ଥ ପ୍ରଭାବିତ ହେବାର ଆଶଙ୍କା ଥିଲା।

ଏସଇସି ନଭେମ୍ବର ୨୦୨୪ ରେ ମାମଲା ରୁଜୁ କରିଥିଲା, ଯେଉଁଥିରେ ଗୌତମ ଆଦାନୀ ଭାରତୀୟ ଅଧିକାରୀମାନଙ୍କୁ ଶହ ଶହ ମିଲିଅନ ଡଲାର ଲାଞ୍ଚ ଦେବା କିମ୍ବା ପ୍ରତିଶ୍ରୁତି ଦେବାର ନେତୃତ୍ୱ ନେଇଥିଲେ ବୋଲି ଅଭିଯୋଗ କରାଯାଇଥିଲା। କେବଳ ସେତିକି ନୁହେଁ, ୭୫୦ ମିଲିଅନ ବଣ୍ଡ ଅଫର ସହିତ ଜଡିତ ମାମାଲାରେ କମ୍ପାନୀ ଲାଞ୍ଚ ବିରୋଧୀ ନୀତି ଅବଲମ୍ବନ କଲେ ଓ ନୀତି ପାଳନ କରେ ବୋଲି ତାଙ୍କ ପୁତୁରା ମିଥ୍ୟା ଭାବରେ ପ୍ରଚାର କରିଥିଲେ ବୋଲି ଏସଇସି ଅଭିଯୋଗ କରିଥିଲା।

Also Read- India-UAE MOU: ଭାରତ ଓ ୟୁଏଇ ସମ୍ପର୍କରେ ନୂଆ ଅଧ୍ୟାୟ: ୫ ବିଲିୟନ ଡଲାରର ପୁଞ୍ଜି ନିବେଶ ସହ ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ବଡ଼ ଚୁକ୍ତି
​​​​​​​

ବୁଝାମଣାର ସର୍ତ୍ତ

ତେବେ ଏସଇସି ଓ ଆଦାନୀ ଗ୍ରୁପ ମଧ୍ୟରେ ହେବାକୁ ଥିବା ଏହି ବୁଝାମଣା ଅନୁଯାୟୀ, ଗୌତମ ଆଦାନୀ ଅଭିଯୋଗକୁ ସ୍ୱୀକାର କରି ନାହାନ୍ତି କିମ୍ବା ଅସ୍ୱୀକାର ମଧ୍ୟ କରି ନାହାନ୍ତି। ତେବେ ମାମଲାକୁ ଦୀର୍ଘଦିନ ପର୍ଯ୍ୟନ୍ତ ନ ବଢାଇ ଏହାର ପୂର୍ଣ୍ଣଛେଦ ପକାଇବା ପାଇଁ ସେ ଜରିମାନା ବାବଦରେ ୬ ମିଲିୟନ ଡଲାର ପୈଠ କରିବାକୁ ରାଜି ହୋଇଛନ୍ତି। ଏହାସହିତ ଭବିଷ୍ୟତରେ SEC ର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରସ୍ତାବିତ ବୁଝାମଣାରେ ତାଙ୍କ ପୁତୁରା ସାଗର ଆଦାନୀ ୧୨ ମିଲିଅନ ଡଲାର ଦେବାକୁ ଏକ ଚୁକ୍ତିନାମା ମଧ୍ୟ ରହିଛି। ଯଦି ଏହା ଚୂଡ଼ାନ୍ତ ହୁଏ, ତେବେ କୋଇଲା ଖଣି ଠାରୁ ଆରମ୍ଭ କରି ବନ୍ଦର ପର୍ଯ୍ୟନ୍ତ ଲମ୍ବିଥିବା ଆଦାନୀ ସାମ୍ରାଜ୍ୟ ପାଇଁ ଏକ ବଡ଼ ଆଶ୍ୱସ୍ତି ହେବ।

ଗୌତମ ଆଦାନୀ ଆଦାନୀ ଗ୍ରୁପ୍ କଙ୍ଗଲୋମୋରେଟ୍ର ଅଧ୍ୟକ୍ଷ ଏବଂ ସାଗର ଆଦାନୀ ଆଦାନୀ ଗ୍ରୀନ୍ ଏନର୍ଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ଏସ୍ଇସି ଦ୍ୱାରା ସଂଗଠନ କିମ୍ବା ଏହାର କର୍ପୋରେଟ୍ ୟୁନିଟ୍ ଉପରେ ମାମଲା ରୁଜୁ ହୋଇନଥିଲା। ସେତେବେଳେ କମ୍ପାନୀ ଆମେରିକାର ଅଭିଯୋଗକୁ ଅସ୍ୱୀକାର କରିଥିଲା।

ବଜାର ଉପରେ ପ୍ରଭାବ

ଏହି ଖବର ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପର ବିଭିନ୍ନ କମ୍ପାନୀର ଶେୟାର ମୂଲ୍ୟରେ ସାମାନ୍ୟ ସୁଧାର ଦେଖିବାକୁ ମିଳିଛି। ବିଶେଷଜ୍ଞଙ୍କ ମତରେ, ଆମେରିକା ପରି ଶକ୍ତିଶାଳୀ ବଜାରରେ ଏହି ମାମଲାର ସମାଧାନ ହେବା ଦ୍ୱାରା ବିଶ୍ୱସ୍ତରୀୟ ପୁଞ୍ଜିନିବେଶକାରୀଙ୍କ ମଧ୍ୟରେ କମ୍ପାନୀ ପ୍ରତି ବିଶ୍ୱାସ ବୃଦ୍ଧି ପାଇବ। ଏହା ପୂର୍ବରୁ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଆଦାନୀ ଗ୍ରୁପ୍ ଅନେକ ଆହ୍ୱାନର ସାମ୍ନା କରିସାରିଛି।

Also Read- Sunil Mittal Airtel Succession Plan: କିଏ ସମ୍ଭାଳିବ ସୁନୀଲ ମିତ୍ତଲଙ୍କ ସାମ୍ରାଜ୍ୟ? ଜାଣନ୍ତୁ ତାଙ୍କ ୩ ସନ୍ତାନଙ୍କ ବିଷୟରେ...