ନୂଆଦିଲ୍ଲୀ ୩୧।୧୨:ବୁଧବାର ୩୧ ଡିସେମ୍ବର ସାରା ବିଶ୍ୱରୁ ବିଦାୟ ନେଇଛି ୨୦୨୫ ବର୍ଷ। ଏହି ବର୍ଷ ଏପରି ଅନେକ ଘଟଣା ଘଟିଛି ଯାହାକୁ ଦେଶ ବର୍ଷବର୍ଷ ଧରି ଭୁଲି ପାରିବନି। ୨୦୨୫ର କିଛି ଘଟଣା ଲୋକଙ୍କ ଆଖିରେ ଲୁହ ଭରିଦେଇଥିବା ବେଳେ ଆଉ କିଛି ଏପରି ଘଟଣା ଘଟିଥିଲା ଯାହା ଲୋକଙ୍କୁ ଖୁସି କରିଥିଲା। ଏହି ବର୍ଷ ଦିଲ୍ଲୀ ରେଳ ଷ୍ଟେସନରୁ ଆରମ୍ଭ କରି ବାଂଗାଲୁରର କ୍ରିକେଟ ଷ୍ଚାଡିୟମରେ ଭୀଷଣ ଭୀଡ ଯୋଗୁ ଦଳାଚକଟା ହୋଇଥିଲା। ସେହିପରି ପହଲଗାମ ଆତଙ୍କବାଦୀ ଗୁଳି କାଣ୍ଡ ଦେଶବାସୀଙ୍କୁ ବ୍ୟଥିତ କରିଥିଲା।

ତେବେ ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ ଲୋକଙ୍କ ବ୍ୟଥାକୁ ଅନେକାଂଶରେ ଉପସମ କରିଥିଲା। ୨୦୨୫ ଏପରି ଏକ ବର୍ଷ ଥିଲା ଯେଉଁ ବର୍ଷ ଦେଶର ମହିଳା କ୍ରିକେଟ ଟିମ୍ ପ୍ରଥମ ଆଇସିସି ୱାର୍ଲଡ କପ୍ ଜିତିଛି। ସେହିପରି ଏହି ବର୍ଷ ଅଯୋଧ୍ୟା ରାମ ମନ୍ଦିରରେ ଧ୍ୱଜାରୋହଣ ମଧ୍ୟ କରାଯାଇଛି। ତେବେ ଆସନ୍ତୁ ଏହି ସମୟରେ ଦେଶରେ ଘଟିଯାଇଥିବା ୧୦ଟି ବଡ଼ ଘଟଣା ଉପରେ ନଜର ପକାଇବା।

ମହାକୁମ୍ଭ ଦଳାଚକଟା
ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚଳିତବର୍ଷ ମହାକୁମ୍ଭ ଅନୁଷ୍ଠିତ ହୋଇଥିଲା। ଦେଶ ବିଦେଶର ଲକ୍ଷଲକ୍ଷ ଶ୍ରଦ୍ଧାଳୁ ସାଧୁସନ୍ୟାସୀଙ୍କ ଗହଣରେ ତ୍ରିବେଣୀ ସଙ୍ଗମରେ କୁମ୍ଭ ସ୍ନାନ କରିଥିଲେ। ତେବେ ୨୮-୨୯ ଜାନୁୟାରୀ ରାତିରେ ମହାକୁମ୍ଭରେ ସ୍ନାନ ନିମନ୍ତେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା। ଫଳରେ ଏହି ଘଟଣାରେ ୩୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା।

ନୂଆଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା
ନୂଆଦିଲ୍ଲୀ ରେଳ ଷ୍ଟେସନରେ ୧୫ ଫେବୃଆରୀ ରାତିରେ ଅଚାନକ ଯାତ୍ରୀଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା। ଏହି ଘଟଣାରେ ୧୮ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ଘଟଣା କାଳରେ ଆହତ ଲୋକଙ୍କୁ ହସ୍ପିଟାଲ ପହଞ୍ଚାଇବା ପାଇଁ ନା ତ ଆମ୍ବୁଲାନ୍ସ ମିଳିଥିଲା ନା ଘଟଣା ସ୍ଥଳରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଫୋର୍ସ ଥିଲେ। ଏହି ଘଟଣା ଦେଶର ରାଜଧାନୀରେ ରେଳ ସୁରକ୍ଷା ନେଇ ଥିବା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିଲା।

ପହଲଗାମ ଆତଙ୍କବାଦୀ ଆକ୍ରମଣ
୨୨ ଏପ୍ରିଲ ୨୦୨୫ରେ ପହଲଗାମରେ ଅତ୍ୟନ୍ତ ଅମାନବୀୟ ଘଟଣା ଘଟିଥିଲା, ଯାହା ପୁରା ଦେଶରେ ଆକ୍ରୋଶ ସୃଷ୍ଟି କରିଥିଲା। ଏହି ଘଟଣାର ପ୍ରତ୍ୟେକ ଭାରତୀୟ ପ୍ରତିଶୋଧ ନେବାକୁ ଚାହିଁଥିଲା। ପାକିସ୍ତାନୀ ଆତଙ୍କବାଦୀ କାଶ୍ମୀର ଘାଟିକୁ ପ୍ରବେଶ କରି ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ଗୁଳି କରିଥିଲେ। ଏହି ଆତଙ୍କୀ କୃତ୍ୟରେ ଜଣେ ନେପାଳୀ ପର୍ଯ୍ୟଟକଙ୍କ ସମେତ ମୋଟ ୨୬ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଜଣେ ନବ ବିବାହିତ ନୌସେନା ଅଧିକାରୀ ମଧ୍ୟ ଥିଲେ।

ଅପରେସନ ସିନ୍ଦୂର
ପହଲଗାମ ଆତଙ୍କବାଦୀ ଗୁଳିକାଣ୍ଡ ସାରା ଦେଶକୁ ସ୍ତବ୍ଦ କରିଦେଇଥିଲା। ଘଟଣା ପ୍ରତ୍ୟେକ ଭାରତୀଙ୍କ ମନରେ ଆକ୍ରୋଶ ସୃଷ୍ଟି କରିଥିଲା ଓ ଏହାର ପ୍ରତିଶୋଧ ନେବାକୁ ଲୋକେ ଚାହୁଁଥିଲେ। ଭାରତୀୟ ସେନା ୬ ଓ ୭ ମେ ରାତିରେ ‘ଅପରେସନ ସିନ୍ଦୂର’ ଚଳାଇ ପାକିସ୍ତାନରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇଥିଲା। ଭାରତୀୟ ସେନା ଏଥି ପାଇଁ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଓ କର୍ଣ୍ଣେଲ ସୋଫିୟା କ୍ୟୁରେସୀଙ୍କୁ ବଡ଼ ଦାୟିତ୍ୱ ଦେଇଥିଲା।

ବେଙ୍ଗାଲୁରୁ ଷ୍ଟାଡିୟମ ଦଳାଚକଟା
ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ଜୁନ ୩ ତାରିଖରେ ପ୍ରଥମ ଆଇପିଏଲ ଟ୍ରଫି ଜିତିଥିଲା। ଏହା ପରେ ବେଙ୍ଗାଲୁରୁର ଚିନ୍ନା ସ୍ୱାମୀ ଷ୍ଟାଡିୟମରେ ଏହି ବିଜୟର ଉତ୍ସବ ଆୟୋଜନ କରାଯାଇଥିଲା। ହେଲେ ଏହି ଉତ୍ସବ ପାଳନ ହେବା ପୂର୍ବରୁ ଏତେ ସଂଖ୍ୟକ ଲୋକେ ଷ୍ଟାଡିୟମ ପହଞ୍ଚି ଯାଇଥିଲେ ଯେ ଦଳା ଚକଟା ହୋଇଥିଲା। ଫଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ।

ଏୟାର ଇଣ୍ଡିଆ କ୍ରାସ୍
ଜୁନ ୧୨ ତାରିଖ ଦିନ ଗୁଜରାଟ ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଦେଶକୁ ସ୍ତବ୍ଦ କରିଦେଇଥିଲା। ଏୟାର ଇଣ୍ଡିଆର ଲଣ୍ଡନ ଯାଉଥିବା ଏଆଇ ୧୭୧ବିମାନ ଟେକଅଫର କିଛି ମିନିଟ୍ ପରେ ଆକାଶରୁ ଖସିପଡିଥିଲା। ଫଳରେ ବିମାନରେ ଯାତ୍ରା କରୁଥିବା କ୍ରୁ ମେମ୍ବରଙ୍କ ଓ ୨୪୧ ଜଣ ଯାତ୍ରୀଙ୍କ ସମେତ ୨୬୦ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହି ଦୁର୍ଘଟଣାରୁ ଜଣେ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଭାରତ ଜିତିଲା ୱାର୍ଲଡ କପ
ଭାରତୀୟ ମହିଳା କ୍ରିକେଟ ଟିମ୍ ୨୦୨୫ ମସିହାରେ ଆଇସିସି ୱାର୍ଲଡକପ୍ ଟାଇଟଲ ବିଜୟୀ ହୋଇ ଇତିହାସ ରଚିଛନ୍ତି। ଭାରତର ଝିଅମାନେ ନଭେମ୍ବର ୨ ତାରିଖରେ ଖେଳା ଯାଇଥିବା ୱାର୍ଲଡ କପ ଫାଇନାଲରେ ସାଉଥ ଆଫ୍ରିକା ମହିଳା ଟିମକୁ ପରାସ୍ତ କରିଥିଲେ।

ଅଯୋଧ୍ୟ ରାମମନ୍ଦିରର ଧ୍ୱଜାରୋହଣ
ନଭେମ୍ବର ୨୫ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ଧ୍ୱଜାରୋହଣ କରାଯାଇଥିଲା। ଏହା ସହ ଆନୁଷ୍ଠାନିକ ଭାବେ ମନ୍ଦିର ନିର୍ମାଣ କାମ ପୂରଣ ହୋଇଥିବାର ସୂଚିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ମନ୍ଦିର ଚୂଡ଼ାରେ ଧର୍ମ ଧ୍ୱଜା ଉଡାଇଥିଲେ।

ଇଣ୍ଡିଗୋ ଫ୍ଲାଇଟ୍ ସଂକଟ
ବର୍ଷ ସରିଆସୁଥିବା ବେଳେ ଡିସେମ୍ବର ମାସରେ ଇଣ୍ଡିଗୋ ଏୟାରଲାଇନ୍ସ ରେ ସଂକଟ ଦେଖା ଦେଇଥିଲା। ପ୍ରାୟ ୫ ହଜାର ଇଣ୍ଡିଗୋ ବିମାନ ଉଡାଣ ରଦ୍ଦ ହେବା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ବିଭିନ୍ନ ବିମାନ ବନ୍ଦରରେ ହଜାର ହଜାର ଯାତ୍ରୀ ଫଶି ରହିଥିବା ବେଳେ ଭାରତ ସରକାରଙ୍କୁ ମାମଲାରେ ଦଖଲ ଦେବାକୁ ପଡିଥିଲା। ପରେ ପରିସ୍ଥିତି ସ୍ୱଭାବିକ ହୋଇଥିବା ବେଳେ ଯାତ୍ରୀ ସେବା ମଧ୍ୟ ସ୍ୱଭାବିକ ହୋଇଛି।