LIVE TV

୪ବର୍ଷିୟ ଶିଶୁର ନାକ ଭିତରେ ଉଠିଥିଲା ଦାନ୍ତ , ସଫଳ ଅସ୍ତ୍ରୋପଚାର କରି ଏମ୍ସର ଡାକ୍ତର କହିଲେ ଏହାର କାରଣ

NEWS7
tooth growing inside his nose

ନୂଆଦିଲ୍ଲୀ : ଏମ୍ସ ଗୋରଖପୁରର ଡାକ୍ତରମାନେ ଚିକିତ୍ସା ଇତିହାସରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି , ଚାରି ବର୍ଷିୟ ପିଲାର ନାକ ଭିତରେ ଉଠିଥିବା ଦାନ୍ତକୁ ସଫଳ ସର୍ଜରୀ କରି ତାକୁ ଯନ୍ତ୍ରଣାରୁ ମୁକ୍ତି ଦେଇଛନ୍ତି। ଛଅ ମାସ ହେବ ପିଲାଟିର ନାକ ଓ ଦାନ୍ତର ମାଢିରେ ( jaw) ରେ ଅସହ୍ୟ ଯନ୍ତ୍ରଣା ହେଉ ଥିଲା, ଯାହାର ସଠିକ୍‌ କାରଣ କଣ କେହି ବୁଜି ପାରୁ ନଥିଲେ। ଏମ୍ସ ଗୋରଖପୁରର ଟିମ୍ ଯାଞ୍ଚରେ ଜାଣିପାରି ଥିଲେ ଯେ, ପିଲାର ନାକରେ ଏକ ଦାନ୍ତ ବଢୁଛି। ଏହା ପୂର୍ବାଞ୍ଚଳରେ ଏହି ପ୍ରକାରର ପ୍ରଥମ ମାମଲା , ଯାହାକି ପିଲାକୁ ନୂଆ ଜୀବନ ଦେବା ସହ ଏମ୍ସ ଗୋରଖପୁରର ଚିକିତ୍ସା ଉପଲବ୍ଧିରେ ଏକ ନୂଆ ଅଧ୍ୟାୟ ଯୋଡ଼ି ଦେଇଛି।

ଗତ ଛଅ ମାସରୁ ପିଲାଟି ନାକ ଓ ଉପର ମାଢି ନିକଟରେ ଖୁବ୍‌ ଜୋରରେ ଯନ୍ତ୍ରଣା ଅନୁଭବ କରିଥିଲା। କେବେ ନାକରୁ ପାଣି ବହୁଥିଲା , ତ କେବେ ଫୁଲି ଯାଉ ଥିଲା । ପରିବାର ଲୋକେ ଗୋରଖପୁର ଠାରୁ ନେଇ ଦେବରିଆ ଯାଏ ଅନେକ ହସ୍ପିଟାଲ ଓ ଘରୋଇ ଦାନ୍ତ ଚିକିତ୍ସକଙ୍କ ଠାରୁ ପରାମର୍ଶ ନେଇଥିଲେ ,ହେଲେ କେହି ପ୍ରକୃତ କାରଣ ବୁଝି ପାରି ନଥିଲେ। ଅନେକ ଥର ପରିବାର ଲୋକଙ୍କୁ କୁହାଯାଇ ଥିଲା ଯେ, ଏହା ସାଧାରଣ ସଂକ୍ରମଣ , କିନ୍ତୁ ଯନ୍ତ୍ରଣା ବଢି ଚାଲି ଥିଲା। ଶେଷରେ ପରିବାର ଲୋକ ପିଲାକୁ ଏମ୍ସ ଗୋରଖପୁର ନେଇ ଯାଇଥିଲେ ,ସେଠାରେ ଦାନ୍ତ ରୋଗ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଓରଲ ଆଣ୍ଡ ମାକ୍ସିଲୋଫେସିଆଲ ସର୍ଜନ ଡାକ୍ତର ଶୈଳେଶ କୁମାର ପିଲାଟିର ଯାଞ୍ଚ କରିଥିଲେ। ଯେବେ ବିସ୍ତୃତ ଭାବେ ସ୍କାନ କରାଇଲେ, ତ ଡାକ୍ତର ମଧ୍ୟ କିଛି କ୍ଷଣ ପାଇଁ  ଆଶ୍ଚର୍ଯ୍ୟ ହୋଇଗଲେ, ପିଲାର ନାକ ଭିତରେ ଏକ ସଂପୂର୍ଣ୍ଣ ରୂପେ ବିକଶିତ ଦାନ୍ତ ଥିଲା, ସେଥିରେ ଏକ ସିଷ୍ଟ ମଧ୍ୟ ହୋଇ ସାରିଥିଲା।

ନାକ ଭିତରେ ଦାନ୍ତ ବାହାରିବା ଖୁବ୍‌ ଦୁର୍ଲଭ ସ୍ଥିତି। ସାଧାରଣତଃ ଦାନ୍ତ ମାଢିରେ ବିକଶିତ ହୋଇଥାଏ। କିନ୍ତୁ ଏହି କେସ୍‌ରେ ତାହା ନାଜାଲ କାଭିଟିର ଭିତରେ ଥିଲା। ଏଥିରେ ପିଲାକୁ ନିଃଶ୍ୱାସ ନେବା ଓ କହିବାରେ ମଧ୍ୟ ସମସ୍ୟା ହେଉଥିବା। ଶୈଳେଶ କୁମାର କହିଛନ୍ତି , ଏହି କେସ୍‌ ଅତ୍ୟନ୍ତ ଜଟିଳ ଥିଲା। ଯଦି ଏହାକୁ ସମୟାନୁସାରେ ବାହାର ନକରାଯାଏ ତ ସାଇନସ ଇନଫେକ୍ସନ ଓ ନିଃଶ୍ୱାସ ନେବାରେ ଗୁରୁତର ସମସ୍ୟା ମଧ୍ୟ ହୋଇଥାନ୍ତା। ମାମଲାର ସୂଚନା ଏମ୍ସ ଗୋରଖପୁରର ନିର୍ଦ୍ଦେଶକ ଓ ସିଇଓ ମେଜର ଜେନେରାଲ (ପ୍ରୋ) ଡାକ୍ତର ବିଭା ଦତ୍ତାଙ୍କୁ ଦିଆଗଲା। ସେ ତୁରନ୍ତ ଏହା ଉପରେ ବିଶେଷ ଟିମ୍‌ ଗଠନ କରି ସର୍ଜରୀର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଥିଲେ।

ରୋଗୀ ଜଣକ ଚାରି ବର୍ଷର ଥିଲା, ସେଥିପାଇଁ ସର୍ଜରୀ ପୂର୍ବରୁ ଆନାସ୍ଥେସିଆ ବିଭାଗର ଟିମ୍‌ ପୂରା ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିଥିଲେ। ବିଭାଗାଧ୍ୟକ୍ଷ ପ୍ରୋ. ଡା. ସନ୍ତୋଷ ଶର୍ମା, ଆସୋସିଏଟ୍‌ ପ୍ରଫେସର ଡା. ଗଣେଶ ନିମଜେଓ ତାଙ୍କର ଟିମ୍ ପିଲାକୁ ପୂର୍ଣ୍ଣ ବେହୋସ (ଜେନେରାଲ ଆନେସ୍ଥେସିଆ)କୁ ଆଣିଥିଲେ। ଏହାପରେ ଦାନ୍ତ ରୋଗ ବିଭାଗର ଡାକ୍ତର ଶୈଳେଶ କୁମାରଙ୍କ ନେତୃତ୍ୱରେ ସର୍ଜ ହୋଇଥିଲା। ଅପରେସନ ହଲ୍‌ରେ ଉପସ୍ଥିତ ଥିଲେ ସିନିୟର ରେସିଡେଣ୍ଟଡାକ୍ତର ପ୍ରବୀଣ କୁମାର , ଜୁନିୟର ରେସିଡେଣ୍ଟ ଡାକ୍ତର ପ୍ରିୟଙ୍କା ତ୍ରିପାଠୀ ଓ ନର୍ସିଂ ଅଫିସର ପଙ୍କଜ ଦେବୀ। ପାଖାପାଖି ଦେଢ ଘଣ୍ଟା ଧରି ଚାଲିଥିବା ଏହି ସୂକ୍ଷ୍ମ ଶଲ୍ୟକ୍ରିୟା ବେଳେ ଡାକ୍ତରମାନେ ପିଲାର ନାକ ଭିତରୁ ସାବଧାନତାପୂର୍ବକ ଦାନ୍ତ ଓ ସିଷ୍ଟ ଉଭୟକୁ ସଂପୂର୍ଣ୍ଣ ରୂପେ ବାହାର କରିଥିଲେ। ସର୍ଜରୀ ଶେଷ ହେବା କ୍ଷଣି ପିଲାର ଚେହେରାରେ ଆଶ୍ୱସ୍ତି ଖେଳି ଯାଇଥିଲା। ଅପରେସନ ପରେ ତାକୁ ସ୍ୱତନ୍ତ୍ର ୱାର୍ଡରେ ରଖା ଯାଇଛି ଏବଂ ସେଠାରେ ଚିକିତ୍ସକମାନେ ଲଗାତାର ନୀରିକ୍ଷଣ କରୁଛନ୍ତି। ଡାକ୍ତରଙ୍କ କହିବା ହେଲା ଯେ ପିଲାଟି ଏବେ ସଂପୂର୍ଣ୍ଣ ରୂପେ ସୁରକ୍ଷିତ ଅଛି ଏବଂ ସାଧାରଣ ଭାବେ ନିଃଶ୍ୱାସ ନେଇ ପାରୁଛି।