ଲାହୋର ୨୩।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ନେତା ଇମ୍ରାନଙ୍କ ଡାହାଣ ଆଖିରେ ସୋମବାର ପୁଣି ଥରେ ସର୍ଜରୀ ହୋଇଛି। ହସ୍ପିଟାଲ ଅଧିକାରୀ ଏହି ସୂଚନା ଦେଇଥିବା ବେଳେ ତାଙ୍କ ଆଖିରେ ଏହା ତୃତୀୟ ସର୍ଜରୀ। ଗତ ଜାନୁୟାରୀରେ ପାକିସ୍ତାନ ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରସ୍ତୁତ ଏକ ରିପୋର୍ଟ ଅନୁସାରେ ୭୩ ବର୍ଷ ବୟଷ୍କ ଖାନ ଆଖିରେ ସେଣ୍ଟ୍ରାଲ ରେଟିନାଲ ଭେନ ଅକ୍ଲୁଜନ (ସିଆରଭିଓ) ନାମକ ଏକ ଗୁରୁତର ରୋଗର ଶିକାର ହୋଇଥିବା ଜଣାପଡିଥିଲା। ହସ୍ପିଟାଲର ବୟାନ ଅନୁସାରେ ତାଙ୍କୁ ପାକିସ୍ତାନ ଇନିଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (ପିମସ୍)ରେ ଭର୍ତ୍ତି କରାଯାଇଛି।

କ୍ରିକେଟରରୁ ରାଜନେତା ହୋଇଥିବା ଇମ୍ରାନଙ୍କୁ ଆଣ୍ଟି ଭିଇଜିଏଫ ଇଣ୍ଟ୍ରାଭିଟ୍ରିୟଲ ଇଞ୍ଜେକ୍ସନର ତୃତୀୟ ଡୋଜ ଦିଆଯାଇଛି। ବୟାନରେ କୁହାଯାଇଛି ଯେ ସର୍ଜରୀ ପୂର୍ବରୁ, କାଳରେ ଓ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପିମସ୍ ପକ୍ଷରୁ କୁହାଯାଇଛି ଯେ ଏହି ରୋଗରେ ସାଧାରଣତଃ ୩ଟି ଇଞ୍ଜେକ୍ସନ ଦିଆଯାଏ। ଏଣୁ ଖାନଙ୍କୁ ଚତୁର୍ଥ ଇଞ୍ଜେକ୍ସନ ନେବାକୁ ପଡିବନି। ଏହି ଇଞ୍ଜେକ୍ସନର ପ୍ରଭାବ ଆକଳନ ୪ ସପ୍ତାହ ପରେ କରାଯାଏ। ଏଣୁ ଏହି ସମୟ ଅବଧି ପରେ ଜଣାପଡିବ ଯେ ତାଙ୍କୁ ପରବର୍ତ୍ତି ଡୋଜ ଦିଆଯିବ କି ନା। ବୟାନରେ କୁହାଯାଇଛି ଯେ ସହମତି ମିଳିବା ପରେ ସଲ୍ୟଚିକିତ୍ସକଙ୍କ ଟିମ୍ ମାଇକ୍ରୋସ୍କୋପି ମାର୍ଗଦର୍ଶନରେ ଇଞ୍ଜେକ୍ସନ ଦେଇଛନ୍ତି।

ଏହା ମଧ୍ୟ କୁହାଯାଇଛି ଯେ ଅପରେସନ ଥିଏଟରରେ ମାନକ ଦେଖରେଖ ପ୍ରକ୍ରିୟା ଓ ପ୍ରୋଟକଲର ପାଳନ କରାଯାଇଛି। ବୟାନରେ କୁହାଯାଇଛି ଯେ ଇଞ୍ଜେକ୍ସନ ଦିଆଯିବା ପରେ ଖାନଙ୍କୁ କିଛି ସମୟ ସେହିଠାରେ ରଖା ଯାଇଥିଲା। ଏହା ଦ୍ୱ୍ରାରା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୁନିଶ୍ଚିତ କରାଯାଇଥିଲା। ପରେ ତାଙ୍କୁ ରାୱଲପିଣ୍ଡିର ଆଦିଆଲା ଜେଲକୁ ନେଇଯିବାକୁ ଅନୁମତି ଦିଆଯାଇଛି। ଇମ୍ରାନଙ୍କ ଓକିଲ ସଲମାନ ସଫଦର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଜେଲ ପ୍ରଶାସନଙ୍କ ଅବହେଳା କାରଣରୁ ହାଜତରେ ରହିବା କାଳରେ ଇମ୍ରାନ ଖାନଙ୍କ ଡାହାଣ ଆଖି ୮୫% ଦୃଷ୍ଟି ଶକ୍ତି ହରାଇଥିଲା।