ଲକ୍ଷ୍ନୌ: କଥିତ ରାମମନ୍ଦିର ଦାନ ଚୋରି ମାମଲାରେ ଜାରି ଏସଆଇଟି ଯାଞ୍ଚର ଚୂଡ଼ାନ୍ତ ରିପୋର୍ଟ ଉପରେ ଏବେ ସମସ୍ତଙ୍କ ନଜର। ଏଣୁ ମାମଲାରେ ଅନେକ ନୂଆ କଥା ସାମ୍ନାକୁ ଆସିପାରେ ବୋଲି ଏବେ ଅନୁମାନ କରାଯାଉଛି। ରିପୋର୍ଟରେ ବ୍ୟାଙ୍କ କର୍ମଚାରୀ ଓ ଅନ୍ୟ ଲୋକଙ୍କ ନାମ ମଧ୍ୟ ଆସିପାରେ। ରିପୋର୍ଟ ଅନୁସାରେ ଭାରତୀୟ ଷ୍ଟେଟବ୍ୟାଙ୍କ (ଏସବିଆଇ)ର କିଛି ସ୍ଥାନୀୟ କର୍ମଚାରୀଙ୍କ ଭୂମିକା ସ୍ପଷ୍ଟ ରୂପେ ସାମ୍ନାକୁ ଆସିପାରେ। ଏଣୁ ବ୍ୟାଙ୍କ ପ୍ରବନ୍ଧନ କମ୍ପାନୀ ସହିତ ନିଜ ଚୁକ୍ତି ସମାପ୍ତ କରିବାକୁ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତି କରୁଥିବା ଜଣାପଡିଛି।

କମ୍ପାନୀ ହାଉସ୍ କିପିଙ୍ଗ ନାମରେ ନିଯୁକ୍ତ କରିଥିବା କର୍ମଚାରୀଙ୍କୁ ମନ୍ଦିରର ଦାନ ଗଣନା କାର୍ଯ୍ୟରେ ନିୟୋଜିତ କରିଥିଲା। ଅଭିଯୁକ୍ତ ଦାନଗଣନା କର୍ମଚାରୀଙ୍କ ମଧ୍ୟରୁ କିଛି ପୂର୍ବରୁ ମେକାନିକ୍ ଥିଲେ ଓ ବାକି କିଛି ବିଭିନ୍ନ ବିବାହ କାର୍ଯ୍ୟକ୍ରମରେ ଭିଡିଓ ରେକର୍ଡିଂ କରୁଥିଲେ। ଏଥିରୁ ଏବେ ପ୍ରଶ୍ନ ଉଠୁଛି କମ୍ପାନୀ ଏପରି ଲୋକଙ୍କୁ କିପରି ସିଧାସଳଖ ଦାନ ଗଣନା କାର୍ଯ୍ୟରେ ନିୟୋଜିତ କରିଥିଲା?ଦୀର୍ଘ ବର୍ଷ ଧରି ମନ୍ଦିରର ଦାନ ରାଶି ଏସବିଆଇ ଅଯୋଧ୍ୟା ଶାଖାରେ ଜମା ହୋଇ ଆସୁଥିଲା।

ଦାନ ଗଣନା ପାଇଁ ୪୪ କର୍ମଚାରୀ ୨ ସିଫ୍ଟରେ କାମ କରୁଥିଲେ
ରାମ ଲଲାଙ୍କ ପ୍ରତିମା ସ୍ଥାପନା ପରେ ଦାନ ଅନେକଗୁଣା ବୃଦ୍ଧି ହୋଇଥିଲା। ଏଥିରେ ପ୍ରୟାଗ ମହାକୁମ୍ଭ ମେଳା ଆରମ୍ଭ ହେଉ ହେଉ ଦୈନିକ ଦାନ ରାଶି ୧ କୋଟି ଟଙ୍କାରୁ ଉପରକୁ ପହଞ୍ଚିଥିଲା। ଏହି ସମୟରେ ବ୍ୟାଙ୍କ କର୍ମଚାରୀ ଯୋଗାଇ ଦେବା ପାଇଁ ସୈନିକ ସୁରକ୍ଷା ସେବା ସହ ଚୁକ୍ତି କରିଥିଲା। ପାଖାପାଖି ୪୪ ଜଣ କର୍ମଚାରୀ ଦୁଇ ସିଫ୍ଟରେ ଦାନ ଗଣନା କରୁଥିଲେ। ରାମମନ୍ଦିର ଦାନ ଚୋରି ମାମଲାର ଯାଞ୍ଚ ଏବେ ଜାରି ଥିବାରୁ ଦାନଗଣନା କକ୍ଷର ସୁରକ୍ଷା କଡ଼ାକଡ଼ି କରାଯାଇଛି। ସିଆରପିଏଫ, ପୋଲିସ ଓ ଅନ୍ୟ ସରକାରୀ ଏଜେନ୍ସୀଙ୍କୁ ସୁରକ୍ଷା ଲାଗି ମୁତୟନ କରାଯାଇଛି।

ଏବେ ବଦଳିଛି କ’ଣ?
ଦାନ ଗଣନା କାର୍ଯ୍ୟକୁ ଏବେ ୩ ସିଫ୍ଟରେ ବଣ୍ଟା ଯାଇଛି। ଦାନ ଚୋରି ମାମଲା ସାମ୍ନାକୁ ଆସିବାମାତ୍ରେ ମନ୍ଦିରରେ ମୁତୟନ ଘରୋଇ ସୁରକ୍ଷା କର୍ମୀଙ୍କ ବେତନ ବଢାଇ ଦିଆଯାଇଛି। ପ୍ରଥମେ ସୁରକ୍ଷା କର୍ମୀଙ୍କୁ ୧୬,୦୦୦ ଟଙ୍କା ବେତନ ମିଳୁଥିଲା ଏବେ ସେମାନଙ୍କୁ ମାସିକ ୧୮,୦୦୦ ଟଙ୍କା ମିଳିବ। ସେହିପରି ମନ୍ଦିର ପରିସରରେ ଘରୋଇ ସୁରକ୍ଷା କର୍ମୀଙ୍କ ସଂଖ୍ୟା ଯାହା ପୂର୍ବରୁ ପାଖାପାଖି ୩୦୦ ଥିଲା ତାକୁ ବଢାଇ ୩୫୦ କରି ଦିଆଯାଇଛି। ସୂତ୍ର ଅନୁସାରେ ଘରୋଇ ସୁରକ୍ଷା କର୍ମୀଙ୍କ ସହିତ ଏବେ ସରକାରୀ ସୁରକ୍ଷା ଏଜେନ୍ସୀ ମଧ୍ୟ ସୁରକ୍ଷା କାର୍ଯ୍ୟରେ ମୁତୟନ ହୋଇଛନ୍ତି।