ପ୍ରଫେସନାଲ୍ ଫୁଟବଲ୍ ଷ୍ଟାଡିୟମ୍ ହେଉ କିମ୍ବା ଆପଣଙ୍କ ସହରର ସ୍ଥାନୀୟ ଖେଳ ପଡ଼ିଆ, ସାରା ବିଶ୍ୱରେ ଖେଳାଯାଉଥିବା ଅଧିକାଂଶ ଫୁଟବଲ୍ କେଉଁଠାରେ ତିଆରି ହେଉଛି କିଏ ତିଆରି କରୁଛି, କେଉଁ ଦେଶ ବିଶ୍ବର ସବୁଠାରୁ ଅଧିକ ଫୁଟବଲ ତିଆରି ହୁଏ ଜାଣିଲେ ଆପଣ ହେବେ ତାଜୁବ । ପାକିସ୍ତାନର ସିଆଲକୋଟ୍ (Sialkot) ସହରରେ ହିଁ ତିଆରି ହୋଇଥାଏ। ସମଗ୍ର ବିଶ୍ୱରେ ବ୍ୟବହାର ହେଉଥିବା ଫୁଟବଲ୍ର ପ୍ରାୟ ୭୦ ପ୍ରତିଶତ କେବଳ ଏହି ଗୋଟିଏ ସହରରୁ ଉତ୍ପାଦିତ ହୋଇଥାଏ। ଏହି ବିଶାଳ ଉତ୍ପାଦନ କ୍ଷମତା ଯୋଗୁଁ ସିଆଲକୋଟ୍କୁ ବିଶ୍ୱର “ଫୁଟବଲ୍ ଫ୍ୟାକ୍ଟ୍ରି” (Football Factory of the World) ବୋଲି କୁହାଯାଏ।

ଫିଫା ବିଶ୍ୱକପ୍ ସହ ରହିଛି ନିବିଡ଼ ସମ୍ପର୍କ

ସିଆଲକୋଟ୍ ସହ ଫିଫା ବିଶ୍ୱକପ୍ର ଏକ ଦୀର୍ଘ ଦିନର ସମ୍ପର୍କ ରହିଛି। ୧୯୮୨ ମସିହାରୁ ଫିଫା ବିଶ୍ୱକପ୍ର ଅଫିସିଆଲ୍ ମ୍ୟାଚ୍ ବଲ୍ ଏହି ସହରରେ ତିଆରି ହୋଇଆସୁଛି। ଫୁଟବଲ୍ ଉତ୍ପାଦନରେ ଏହା ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଆସନ୍ତା ୨୦୨୬ ଫିଫା ବିଶ୍ୱକପ୍ ପାଇଁ ବ୍ୟବହାର ହେବାକୁ ଥିବା ଅଫିସିଆଲ୍ ବଲ୍ "ଟ୍ରିଓଣ୍ଡା" (Trionda) ମଧ୍ୟ ଏଠାରେ ହିଁ ପ୍ରସ୍ତୁତ କରାଯାଇଛି। ଏହି ବଲ୍ର ସ୍ୱତନ୍ତ୍ର ଡିଜାଇନ୍ ୨୦୨୬ ବିଶ୍ୱକପ୍ର ତିନୋଟି ଆୟୋଜକ ଦେଶ ଯଥା— ଆମେରିକା, ମେକ୍ସିକୋ ଏବଂ କାନାଡାକୁ ପ୍ରତିନିଧିତ୍ୱ କରୁଛି।

ସ୍ୱିସ୍ ଫଟୋଗ୍ରାଫରଙ୍କ କ୍ୟାମେରାରେ କାରିଗରୀ

ସ୍ୱିଜରଲ୍ୟାଣ୍ଡର ଫଟୋଗ୍ରାଫର ଷ୍ଟିଫାନ୍ ବୋହରର୍ ନିକଟରେ ସିଆଲକୋଟ୍ ଗସ୍ତ କରିଥିଲେ। ସେଠାରେ ସେ ଫୁଟବଲ୍ ଉତ୍ପାଦନରେ ଥିବା କାରିଗରମାନଙ୍କର ନିପୁଣତା ଏବଂ କଠିନ ପରିଶ୍ରମକୁ ନିଜ କ୍ୟାମେରାରେ କଏଦ କରିଥିଲେ। ଆଜିର ଆଧୁନିକ ଯୁଗରେ ମଧ୍ୟ ଏଠାରେ ଅନେକ ଫୁଟବଲ୍ ସମ୍ପୂର୍ଣ୍ଣ ରୂପେ ହାତରେ ସିଲେଇ କରାଯାଏ। କାରିଗରମାନେ ବହୁ ଯତ୍ନର ସହ ଏଥିରେ ରଙ୍ଗ, ଲୋଗୋ ଏବଂ ଅନ୍ୟାନ୍ୟ ଚୂଡ଼ାନ୍ତ ରୂପ ଦେଇଥାନ୍ତି। ବଜାରକୁ ଆସିବା ପୂର୍ବରୁ ପ୍ରତ୍ୟେକ ବଲ୍ କଡ଼ା ଗୁଣବତ୍ତା ଯାଞ୍ଚ୍ ମଧ୍ୟ ଦେଇ ଗତି କରିଥାଏ।

ସଫଳତା ପଛରେ'ଫରୱାର୍ଡ ସ୍ପୋର୍ଟସ୍'ଓ ମହିଳା ଶ୍ରମିକ

ସିଆଲକୋଟ୍ର ଏହି ବିଶ୍ୱସ୍ତରୀୟ ସଫଳତା ପଛରେ ‘ଫରୱାର୍ଡ ସ୍ପୋର୍ଟସ୍’ ନାମକ ଏକ କମ୍ପାନୀର ପ୍ରମୁଖ ଭୂମିକା ରହିଛି। ୧୯୯୧ ମସିହାରେ ଇଞ୍ଜିନିୟର ଖ୍ୱାଜା ମାସୁଦ୍ ଅଖତର ମାତ୍ର ୫୦ ଜଣ କର୍ମଚାରୀଙ୍କୁ ନେଇ ଏହି କମ୍ପାନୀ ଆରମ୍ଭ କରିଥିଲେ। ୧୯୯୪ ମସିହାରେ ଏହି କମ୍ପାନୀ ପ୍ରସିଦ୍ଧ ବ୍ରାଣ୍ଡ୍ ଆଡିଡାସ୍ (Adidas) ସହ ଚୁକ୍ତି କରିବା ପରେ ଏହାର ବ୍ୟବସାୟ ଅନ୍ତର୍ଜାତୀୟ ସ୍ତରରେ ଦ୍ରୁତ ଗତିରେ ବ୍ୟାପିଥିଲା।

ଏକ ଟିଭିକୁ ଏକ ସାକ୍ଷାତକାର ଦେଇ ପ୍ରତିଷ୍ଠାତା ଅଖତର କହିଛନ୍ତି, "ଆମର ବିକାଶ ପଛରେ ଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ମହିଳା ସଶକ୍ତୀକରଣ ଉପରେ ଆମର ଧ୍ୟାନ। ଫୁଟବଲ୍ ସିଲେଇ ଏବଂ ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ଉତ୍କୃଷ୍ଟ କାମ ମହିଳା କର୍ମଚାରୀମାନଙ୍କ ଦ୍ୱାରା ହିଁ କରାଯାଇଛି।"

ଆଧୁନିକ ଜ୍ଞାନକୌଶଳ ଏବଂ ପାରମ୍ପରିକ ହସ୍ତଶିଳ୍ପର ଏକ ନିଆରା ସମନ୍ୱୟ ରଖି 'ଫରୱାର୍ଡ ସ୍ପୋର୍ଟସ୍' ଆଜି ପ୍ରତିବର୍ଷ କୋଟି କୋଟି ଫୁଟବଲ୍ ଉତ୍ପାଦନ କରୁଛି। ନୂତନତ୍ୱ ପ୍ରତି ଧ୍ୟାନ ଏବଂ ମହିଳାମାନଙ୍କର ଅଂଶଗ୍ରହଣ ସିଆଲକୋଟ୍କୁ ଆଜି ବିଶ୍ୱ ଦରବାରରେ ଏକ ଅଦ୍ୱିତୀୟ ସଫଳତାର କାହାଣୀ ଭାବରେ ଠିଆ କରିପାରିଛି।