ତେହେରାନ ୧।୩: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଜାରି ରହିଛି। ଏଥିରେ ଇରାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆକାଶୀୟ ଆକ୍ରମଣରେ ଇରାନର ପାଖାପାଖି ୨୦ଟି ସହର ଧ୍ୱଂସସ୍ତୁପରେ ପରିଣତ ହୋଇଛି।ଏହି ବିନାଶ ମଧ୍ୟରେ ସବୁଠୁ ବଡ଼ ପ୍ରଶ୍ନ ଚୀନ ନିର୍ମିତ HQ9B ଏୟାର ଡିଫେନ୍ସ ସିଷ୍ଟମକୁ ନେଇ ଉଠୁଛି। ଏହାକୁ ଇରାନ ତାର ଅଭେଦ୍ୟ କିଲା ଭାବୁଥିଲା ଓ ନିକଟରେ ଚୀନରୁ ତୈଳ ବଦଳେ ଅସ୍ତ୍ର କାର୍ଯ୍ୟକ୍ରମରେ ଆମଦାନୀ କରିଥିଲା। ହେଲେ ଯୁଦ୍ଧରେ ଏହା ସମ୍ପୂର୍ଣ୍ଣ ବିଫଳ ହୋଇଛି।

ଏହା ପୂର୍ବରୁ ଇରାନ ଋଷିଆର ଏସ-୩୦୦ ଏୟାର ଡିଫେନ୍ସ ସିଷ୍ଟମ ଉପରେ ନିର୍ଭର ଥିଲା। ହେଲେ ସେଗୁଡିକ ବିଫଳ ହେବାରୁ ଚୀନ୍ ର ସିଷ୍ଟମ ଆପଣେଇଥିଲା। ଏହାକୁ ନତାଞ୍ଜ ପରମାଣୁ କେନ୍ଦ୍ର ସମେତ ଇସ୍ଫାହାନ ଭଳି ଗୁରୁତ୍ୱପୂର୍ଣ୍ଣ ଓ ରଣନୈତିକ ସ୍ଥାନର ସୁରକ୍ଷା ଲାଗି ମୁତୟନ କରାଯାଇଥିଲା। ଏହି ଏୟାର ଡିଫେନ୍ସ ସିଷ୍ଟମ ନା କେବଳ ଇରାନ ବରଂ ଏହାକୁ ତିଆରି କରିଥିବା ଚୀନ୍ ପ୍ରତିରକ୍ଷା ତନ୍ତ୍ରର ମଧ୍ୟ ମୁଖ୍ୟ ଆଧାର। ଏହାକୁ ବେଜିଂ, ତିବ୍ବତ ଓ ଦକ୍ଷିଣ ଚୀନ ସାଗର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଚୀନ୍ ମୁତୟନ କରିଛି। ହେଲେ ଇରାନରେ ଏହାର ବିଫଳତା ଚୀନ୍ ର ସାମରିକ ରପ୍ତାନୀ ଓ ନିଜର ସୁରକ୍ଷା ଚିନ୍ତାକୁ ବଢେଇ ଦେଇଛି।

ଏହା ପୂର୍ବରୁ ଚୀନ୍ ର ଏହି ଏୟାର ଡିଫେନ୍ସ ସିଷ୍ଟମ ଭାରତର ଅପରେସନ ସିନ୍ଦୂର କାଳରେ ପାକିସ୍ତାନରେ ମଧ୍ୟ ବିଫଳ ହୋଇଥିଲା। ଚୀନ୍ ର ଏରୋସ୍ପେସ୍ ସାଇନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି କର୍ପୋରେସନ ଋଷିଆର ଏସ୍-୩୦୦ ପିଏମୟୁ ଓ ଆମେରିକାର ପାଟ୍ରିୟଟ ପଏସି-୨ ସିଷ୍ଟମକୁ ନଜରରେ ରଖି ଏହି ଏୟାରଡିଫେନ୍ସ ସିଷ୍ଟମ ତିଆରିଥିଲା। ଏହାକୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଏୟାରଡିଫେନ୍ସ ସିଷ୍ଟମ ଭାବେ ତିଆରି କରାଯାଇଥିଲା, ଯାହାର ପ୍ରଥମ ପରୀକ୍ଷଣ ୨୦୦୬ ମସିହାରେ ହୋଇଥିଲା। ଏହି ଏୟାରଡିଫେନ୍ସ ସିଷ୍ଟମ ଗୁଡିକ ଗତ ଏକ ଦଶନ୍ଧୀ ଧରି ଯୁଦ୍ଧରେ ଉପଯୋଗ ହୋଇ ଆସୁଛି।

କେତେକ ରିପୋର୍ଟ ଅନୁସାରେ ଏହି ଏୟାରଡିଫେନ୍ସ ସିଷ୍ଟମଗୁଡିକର ଲକ୍ଷଭେଦ କ୍ଷମତା ୨୬୦ କିଲୋମିଟର ଓ ମିଜାଇଲକୁ ଇଣ୍ଟରସେପ୍ଟ କରିବା ପାଇଁ ୫୦ କିଲୋମିଟର ଉପରକୁ ଉଠି ପାରେ। ଏହି ଏୟାରଡିଫେନ୍ସ ସିଷ୍ଟମଗୁଡିକ ଏକକାଳୀନ ୬-୮ଟି ଲକ୍ଷକୁ ଭେଦ କରିପାରେ ଓ ୧୦୦ ପର୍ଯ୍ୟନ୍ତ ଟ୍ରାକ୍ କରିପାରେ। ହେଲେ ଇରାନ ଯୁଦ୍ଧରେ ଏହା ବିଫଳ ହେବା ଏବେ ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଆତଙ୍କଖେଳାଇ ଦେଇଛି।