News7 Logo

ମିଶନ ଏସିଆ କପ୍: ଆଫଗାନିସ୍ତାନ-ହଂକଂ ମ୍ୟାଚ୍‌ରୁ ମୁକାବିଲା ଆରମ୍ଭ

NEWS7
Asia Cup 2025

ଦୁବାଇ, ୦୯/୦୯: ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ।  ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନ ଓ ହଂକଂ  ହେବେ ସାମ୍ନା ସାମ୍ନି । ଭାରତୀୟ ସମୟ ରାତି  ୮.୩୦ ମିନିଟ୍‌ରେ ମ୍ୟାଚ୍‌ ଆରମ୍ଭ ହେବ । ସୋନି  ସ୍ପୋର୍ଟ୍ସରେ ମ୍ୟାଚ୍‌ର ସିଧା ପ୍ରସାରଣ କରାଯିବ ।  ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଆଫଗାନିସ୍ତାନ ଏସିଆର  ଅନ୍ୟତମ ଶକ୍ତିଶାଳୀ ଦଳ । ତେଣୁ ଆଫଗାନିସ୍ତାନର ପଲା ଭାରି ରହିବ । ରସିଦ ଖାନ, ନୂର ଅହମ୍ମଦ, ମୁଜିବ ଉର ରେହମାନ ଓ ଆଲ୍ଲା ଗଜନଫରଙ୍କ ଭଳି ତାରକା ସ୍ପିନର ଦଳରେ ରହିଥିବାରୁ ଆଫଗାନିସ୍ତାନ ଆଧିପତ୍ୟ ବିସ୍ତାର କରିବା ଅନୁମାନ କରାଯାଉଛି ।

​​​​​​​୧୭ତମ ସଂସ୍କରଣ: ୧୭ତମ ଏସିଆ କପ୍‌କୁ  ଏସୀୟ କ୍ରିକେଟ୍‌ କାଉନସିଲ୍‌ ଟି-ଟ୍ୱେଣ୍ଟି  ଫର୍ମାଟ୍‌ରେ ଆୟୋଜନ କରିବାକୁ ନିଷ୍ପତ୍ତି  ନେଇଛି । ଏହା ପଛର ଅସଲ କାରଣ ହେଉଛି  ୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ । ଆସନ୍ତା ବର୍ଷ  ଆରମ୍ଭରୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ରହିଥିବାରୁ  ଏସିଆ କପ୍‌ ଜରିଆରେ ଏସୀୟ ଦଳ ଉନ୍ନତ  ପ୍ରସ୍ତୁତି ସୁଯୋଗ ପାଇବେ । ୨୦୨୩ ସଂସ୍କରଣ  ଦିନିକିଆ ଫର୍ମାଟ୍‌ରେ ଆୟେଜନ କରାଯାଇଥିଲା ।  ସେହିବର୍ଷ ଦିନିକିଆ ବିଶ୍ୱକପ୍‌ ରହିଥିଲା ।
ଭାରତ ଆୟୋଜକ, ୟୁଏଇରେ ମ୍ୟାଚ୍‌: ୨୦୨୩ରେ  ଭାରତ ଚାମ୍ପିଅନ୍‌ ହୋଇଥିବାରୁ ଏଥର ଆୟୋଜନ  ଅଧିକାର ପାଇଥିଲା । ହେଲେ ଭାରତ ଓ  ପାକିସ୍ତାନ ମଧ୍ୟରେ ଜାରି ରହିଥିବା ରାଜନୈତିକ  ବିବାଦକୁ ନେଇ ଉଭୟ ଦଳ ପ୍ରତିପକ୍ଷ ଦେଶରେ  ଖେଳିବାକୁ ରାଜି ନୁହନ୍ତି । ତେଣୁ ବିସିସିଆଇ  ଏସିଆ କପ୍‌କୁ ୟୁଏଇରେ ଆୟୋଜନ କରୁଛି।

AFG vs HKG at Zayed Cricket Stadium, Abu Dhabi: Stats and Records

୮ ଦଳ, ଓମାନ ନୂଆ: ପ୍ରଥମ ଥର ପାଇଁ  ୮ଟି ଦଳ ଏଥର ଭାଗ ନେଉଛନ୍ତି । ଭାରତ,  ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ପାକିସ୍ତାନ  ବ୍ୟତୀତ, ୟୁଏଇ, ହଂକଂ ଓ ଓମାନ ଯୋଗ୍ୟତା ପର୍ଯ୍ୟାୟ ଜରିଆରେ ଏଥର ଖେଳିବାକୁ ସୁଯୋଗ  ପାଇଛନ୍ତି । ଏସିସି ପ୍ରିମିୟର କପ୍‌ ଜରିଆରେ  ଏହି ୩ଦଳ ଯୋଗ୍ୟତା ଅର୍ଜନ କରିଥିଲେ ।  ଅନ୍ୟ ଏକ ଚର୍ଚ୍ଚିତ ଏସୀୟ ଦଳ ନେପାଳ ଯୋଗ୍ୟତା ଅର୍ଜନରୁ ବଞ୍ଚିତ ହୋଇଥିଲା । ସେମି  ଫାଇନାଲ୍‌ରେ ଦଳ ୟୁଏଇ ଠାରୁ ଓ ତୃତୀୟ ସ୍ଥାନ  ପାଇଁ ମ୍ୟାଚରେ ହଂକଂ ଠାରୁ ପରାଜିତ ହୋଇଥିଲା ।  ଦିନିକିଆ ବିଶ୍ୱକପ୍‌ ଠାରୁ ଏସିଆ କପ୍‌ ମାତ୍ର  ୯ ବର୍ଷ ନୂଆ ।
୧୯୮୪ରେ ଏସିଆ କପ୍‌ ପ୍ରଥମ  କରି ଆୟୋଜନ କରାଯାଇଥିଲା । ଭାରତ,  ପାକିସ୍ତାନ ଓ ଶ୍ରୀଲଙ୍କା ଉକ୍ତ ଟୁର୍ଣ୍ଣାମେଣ୍ଟରେ ଭାଗ  ନେଇଥିଲେ । ସେବେଠୁ ନିୟମିତ ଭାବେ ଏହି  ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି । କେବଳ  ୨୦୨୦ରେ କୋଭିଡ୍‌ ଯୋଗୁଁ ଟୁର୍ଣ୍ଣାମେଣ୍ଟ ବାତିଲ  ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ  ସର୍ବାଧିକ ୮ଥର ଚାମ୍ପିଅନ୍‌ ହୋଇଛି । ଶ୍ରୀଲଙ୍କା  ୬ଥର ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି ।