ଦିଗପହଣ୍ଡି: ରାମାୟଣ ନାଟକ ପରିବେଷଣ ବେଳେ ମଞ୍ଚରେ ଲାଗିଲା ନିଆଁ। ଭୟଭୀତ ହୋଇ ଏଣେତେଣେ ଦୌଡ଼ିଲେ ଲୋକେ। ଏଥିରେ କେହି ମୃତାହତ ହୋଇନଥିଲେ ବି, ମଞ୍ଚ କିନ୍ତୁ ପୋଡ଼ି ନଷ୍ଟ ହୋଇଯାଇଛି। ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ଗଞ୍ଜାମ ଲାଞ୍ଜିଆ ଗାଁରେ। ସୌଭାଗ୍ୟବଶତଃ।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଲାଞ୍ଜିଆ କାଳୀ ମନ୍ଦିର ଛକ ନିକଟରେ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ମନ୍ଦିରର ବାର୍ଷିକ ଉତ୍ସବ ଅବସରରେ ବଉଳଝୁଳି ଓ କୋଦଳା ଗ୍ରାମର ଦୁଇଟି ରାମାୟଣ ପାର୍ଟି ନାଟକ ପରିବେଷଣ କରୁଥିଲେ। ନାଟକ ଚାଲିଥିବା ସମୟରେ ବାଣ ଫୁଟାଯାଇଥିଲା। ହେଲେ ସେଥିରୁ ବାହାରିଥିବା ନିଆଁ ଷ୍ଟେଜ ତଳେ ରଖାଯାଇଥିବା ବାଣରେ ଲାଗିଯାଇଥିଲା। ଆଉ ଦେଖୁ ଦେଖୁ ବଉଳଝୁଳି ରାମାୟଣ ପାର୍ଟିର ମଞ୍ଚ ସମ୍ପୂର୍ଣ୍ଣ ଭାବେ ହୁତୁହୁତୁ ହୋଇ ଜଳିଉଠିଥିଲା। ଏମିତିରେ ନିଆଁ ଲାଗିବା ଦେଖି ଭୟଭୀତ ହୋଇପଡ଼ିଥିଲେ ଲୋକେ।

Also Read: ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୧୦ରୁ ଅଧିକ ଦୋକାନ

ତେବେ ଘଟଣାର ସୂଚନା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ଅଗ୍ନିକାଣ୍ଡରେ ମଞ୍ଚର ସାଉଣ୍ଡ ସିଷ୍ଟମ, ଆଲୋକ ସାମଗ୍ରୀ, ପୋଷାକ ଓ ଅନ୍ୟାନ୍ୟ ସରଞ୍ଜାମ ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିଲା। ବାଣରୁ ହିଁ ଅଗ୍ନିକାଣ୍ଡ ଘଟିଥିବା ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା କହିଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ।  ଅଗ୍ନିଶମ ବିଭାଗର ବିନା ଅନୁମତିରେ ନାଟକରେ ବାଣ ଲଗାଇଥିଲେ ବୋଲି କହିଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ।