ସୁରଟ: ଗୁଜରାଟ ଖରଭାସା ଅଞ୍ଚଳରେ ଶନିବାର ଏକ କପଡା ଗୋଦାମରେ ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡ ସୂଚନା ମିଳିବାମାତ୍ରେ ଦମକଳ ବିଭାଗ ଘଟଣାସ୍ଥଳକୁ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଆରମ୍ଭ କରିଛି। ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ତେବେ ଦ୍ରୁତ ଉଦ୍ଧାର ଅଭିଯାନ ହାତକୁ ନିଆଯାଇଛି। ଗୋଦାମରେ ଲାଗିଥିବା ନିଆଁ ଦେଖୁ ଦେଖୁ ଭୟାନକ ରୂପ ଧାରଣ କରିଥିଲା। ଗୋଦାମରେ ନିଆଁ ଲାଗିବା ଯୋଗୁ ଉଠୁଥିବା କଳା ଧୂଆଁ ବେଶ ଦୂର ପର୍ଯ୍ୟନ୍ତ ଦେଖାଯାଉଥିଲା।

ଦୁର୍ଘଟଣା କାଳରେ ଗୋଦାମରେ କେତେ ଶ୍ରମିକ ଥିଲେ ତାହା ସ୍ପଷ୍ଟ ହୋଇ ପାରିନାହିଁ। ଏହା ସତ୍ତ୍ୱେ କେହି ହତାହତ ହୋଇଥିବାର ସୂଚନା ନାହିଁ। ତେବେ ଗୋଦାମରେ ନିଆଁ ଲାଗିବା ଯୋଗୁ ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ଆଶଙ୍କା କରାଯାଉଛି। ତେବେ କେତେ ପରିମାଣର ନଷ୍ଟ ହୋଇଛି ତାହା ନିଆଁ ଆୟତ୍ତ ହେବା ପରେ ଜଣା ପଡିବ ବୋଲି କୁହାଯାଉଛି। ନିଆଁ ଲିଭିବା ପରେ ଗୋଦାମ ଭିତରର ପରିସ୍ଥିତି ସ୍ପଷ୍ଟ ହେବ। ଉଲ୍ଲେଖଯୋଗ୍ୟଯେ ରୋଜଗାର ପାଇଁ ଅଧିକାଂଶ ପ୍ରବାସୀ ଶ୍ରମିକ ଗୁଜରାଟର ସୁରାଟକୁ ମୁହାଁଇଥାନ୍ତି। ଏଠାକାର ଦାକାନରୁ ଆରମ୍ଭ କରି କମ୍ପାନୀରେ କାମ କରିବା ପାଇଁ ଓଡିଶା, ବିହାର ଓ ୟୁପିରୁ ଲୋକେ ଆସିଥାନ୍ତି।