ଭୁବନେଶ୍ବର: ରାଜଧାନୀରେ ମାତିଥିଲେ ବାପା ଝିଅ ଠକେଇ ରାକେଟ। ରେଳବାଇର ଚାକିରି କରାଇ ଦେବାକୁ କହି ଠକିଥିଲେ ୧୭ ଲକ୍ଷ ଟଙ୍କାରୁ ଅଧିକ। ହେଲେ ଏବେ ଏହି ୪୨୦ ବାପା- ଝିଅକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଗିରଫ ହେଲେ ବିଦ୍ୟାଧର ଦାସ ଓ ତାଙ୍କ ଝିଅ।

ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଭୁବନେଶ୍ବର ୟୁନିଟ ୧ ହାଟରେ ଏକ ଚାହା ଦୋକନ ଖୋଲିଥିଲେ । ଗିରଫ ବିଦ୍ୟାଧର ପୂର୍ବରୁ ଏକ ଠକେଇର ଶିକାର ହୋଇଥିଲେ। ଏମିତିକି ତାଙ୍କ ଅଭିଯୋଗ ପରେ ୭ ଦିନ ତଳେ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ହେଲେ ଏହିଠାରୁ ବିଦ୍ୟାଧରଙ୍କ ମୁଣ୍ଡରେ ଜୁଟିଥିଲା ସଇତାନୀ ଯୋଜନା। ଝିଅ ସହ ମିଶି କରିଥିଲେ ଲୁଟ୍ ପ୍ଲାନିଂ।

Also Read: ଭିଜିଲାନ୍ସ ଜାଲରେ ମହିଳା RI, ମତ୍ସ୍ୟ ପୋଖରୀ ଯୋଜନାରେ ହିତାଧିକାରୀଙ୍କ ଠାରୁ ନେଉଥିଲେ ଲାଞ୍ଚ

ଏମିତି କରିଥିଲେ ଯୋଜନା

ବିଦ୍ୟାଧର ସମସ୍ତଙ୍କୁ ନିଜ ଝିଅର ରେଳବାଇ ବିଭାଗର ଚାକିରି ହୋଇଥିବା ନେଇ କହିଥିଲେ। ଆଉ ଟଙ୍କା ଦେଲେ ରେଳବାଇରେ ଚାକିରି କରାଇଦେବାକୁ ମିଥ୍ୟା ପ୍ରତିଶୃତି ମଧ୍ୟ ଦେଉଥିଲେ । ଏମିତିରେ ଏଭଳି ପ୍ରଲୋଭନରେ ଫସିଯାଉଥିବା ଲୋକଙ୍କ ଟଙ୍କା ଝିଅ ଆକାଉଣ୍ଟକୁ ଆସୁଥିଲା । ଅଭିଯୋଗକାରୀ ନୃସିଂହ ଚରଣ ସାହୁଙ୍କୁ ମଧ୍ୟ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ ବିଦ୍ୟାଧର। ଏହିଭଳି ଭାବରେ ସେ ପ୍ରାୟ ୨୫ ଲକ୍ଷ ଟଙ୍କା ଠକିଥିବା ପୋଲିସ ସୂଚନା ଦେଇଥିବା ବେଳେ ଠକେଇ ରାକେଟ ନେଇ ତଦନ୍ତ ଚାଲିଛି।