ଭୁବନେଶ୍ୱର: କୃଷି ଗବେଷଣାର ଫଳାଫଳକୁ କୃଷକଙ୍କ କ୍ଷେତ୍ରରେ ପହଞ୍ଚାଇ ବୈଜ୍ଞାନିକ କୃଷି ପଦ୍ଧତିର ପ୍ରସାର ସହ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଶିକ୍ଷା 'ଓ' ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ଗ୍ରାମୀଣ କୃଷି କାର୍ଯ୍ୟାନୁଭୂତି (ଆରଏଡବ୍ଲୁଇ) କାର୍ଯ୍ୟକ୍ରମ ଅଧୀନରେ ଜୁଲାଇ ୩୦ରୁ ଅଗଷ୍ଟ ୬ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, ଜଟଣୀ ଓ ବାଲିଅନ୍ତା ବ୍ଲକର ୧୧ଟି ପୋଷ୍ୟ ଗ୍ରାମରେ ୧୬ଟି କୃଷକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଝିଂଟିଶାସନ, ପାଣିକଟା, ବୁଢ଼ିପଡ଼ା, କୁଜିମହଲ, ସିଙ୍ଗିରିଶାସନ, ପୁରୁଣା ପଧାନ, ଛତାବର, ଭୋଳା, ବରୁଦାଖାନା, ମେଣ୍ଢାଶାଳ ଏବଂ ପୁରୋହିତପୁର ଗ୍ରାମରେ ଆୟୋଜିତ ଏହି କାର୍ଯ୍ୟକ୍ରମଗୁଡ଼ିକର ଉଦ୍ଦେଶ୍ୟ ଥିଲା କୃଷକମାନଙ୍କ ନିକଟରେ ବୈଜ୍ଞାନିକ କୃଷି ଜ୍ଞାନ ପହଂଚାଇବା, ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଏବଂ କୃଷି ଶିକ୍ଷା ଓ ଗ୍ରାମୀଣ ସମାଜ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ।

ବର୍ତମାନ କୃଷି କ୍ଷେତ୍ରରେ ବଢ଼ୁଥିବା ଉତ୍ପାଦନ ଖର୍ଚ୍ଚ, ଜଳବାୟୁ ପରିବର୍ତନ, ମୃତିକାର ଉର୍ବରତା ହ୍ରାସ, ଜଳ ସଂକଟ ଏବଂ କୀଟ ଓ ରୋଗର ପ୍ରକୋପ ଭଳି ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ କାର୍ଯ୍ୟକ୍ରମର ବିଷୟବସ୍ତୁ ସ୍ଥାନୀୟ ଚାଷ ପ୍ରଣାଳୀ, ଉପଲବ୍ଧ ସମ୍ବଳ ଓ କୃଷକଙ୍କ ଆବଶ୍ୟକତା ଅନୁଯାୟୀ ଚୟନ କରାଯାଇଥିଲା, ଯାହାଫଳରେ ସେମାନଙ୍କୁ ଦିଆଯାଇଥିବା ପରାମର୍ଶ କ୍ଷେତ୍ରସ୍ତରରେ ପ୍ରଭାବଶାଳୀ ଭାବେ ପ୍ରୟୋଗ ହୋଇପାରିବ ।

ପାରମ୍ପରିକ ସଂପ୍ରସାରଣ କାର୍ଯ୍ୟକ୍ରମ ପରିବର୍ତ୍ତେ ଏଥିରେ ଅଂଶଗ୍ରହଣମୂଳକ ଓ ଆନ୍ତରିକ କାର୍ଯ୍ୟପଦ୍ଧତିକୁ ଅନୁସରଣ କରାଯାଇଥିଲା । ଆରଏଡବ୍ଲୁଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସ୍ନାତକ କୃଷି ଛାତ୍ରଛାତ୍ରୀମାନେ ସଚେତନତା ରାଲି, ହସ୍ତଲିଖିତ ପ୍ଲାକାର୍ଡ, ସ୍ଲୋଗାନ, ପଥପ୍ରାନ୍ତ ନାଟକ, କୃଷକଙ୍କ ସହ ମତ ବିନିମୟ ଓ ଘରକୁ ଘର ବୁଲି ସଚେତନତା ସୃଷ୍ଟି କରି ବୈଜ୍ଞାନିକ କୃଷି ସମ୍ବନ୍ଧୀୟ ସୂଚନାକୁ ସହଜ ଭାଷାରେ ପହଂଚାଇଥିଲେ । ଏହା ଦ୍ୱାରା କୃଷକମାନେ ଆଧୁନିକ କୃଷି ପ୍ରଯୁକ୍ତି ସଂପର୍କରେ ସଚେତନ ହେବା ସହ ଛାତ୍ରଛାତ୍ରୀମାନେ ଗ୍ରାମୀଣ କୃଷି ବ୍ୟବସ୍ଥା ଓ କୃଷକଙ୍କ ବାସ୍ତବ ସମସ୍ୟା ସଂପର୍କରେ ପ୍ରତ୍ୟକ୍ଷ ଅନୁଭୂତି ଲାଭ କରିଥିଲେ ।

Also Read: ଆଇଟିଇଆରରେ ୧୦ ଦିନିଆ ଏନ୍ସିସି ସମ୍ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ, ଅଂଶଗ୍ରହଣ କଲେ ୫୦୦ NCC କ୍ୟାଡେଟ୍

ଏହି କାର୍ଯ୍ୟକ୍ରମଗୁଡ଼ିକରେ କୃଷକ, ମହିଳା କୃଷକ, ଗ୍ରାମୀଣ ଯୁବକଯୁବତୀ ଓ କୃଷି ଉଦ୍ୟୋଗୀମାନଙ୍କର ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ମୁକ୍ତ ଆଲୋଚନା ଓ ପ୍ରଶ୍ନୋତର ଅଧିବେଶନ ମାଧ୍ୟମରେ କୃଷକମାନେ ସେମାନଙ୍କ କ୍ଷେତ୍ରସ୍ତରୀୟ ସମସ୍ୟାର ବୈଜ୍ଞାନିକ ସମାଧାନ ସଂପର୍କରେ ପରାମର୍ଶ ପାଇଥିଲେ ।

ଆରଏଡବ୍ଲୁଇ କମିଟିର ଅଧ୍ୟାପକମାନଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମଗୁଡ଼ିକରେ କୀଟନାଶକର ସୁରକ୍ଷିତ ଓ ସଠିକ୍ ବ୍ୟବହାର, ସମନ୍ୱିତ କୀଟ ପରିଚାଳନା (ଆଇପିଏମ୍), ସମନ୍ୱିତ ପୋଷକ ପରିଚାଳନା (ଆଇଏନ୍ଏମ୍), ସନ୍ତୁଳିତ ସାର ପ୍ରୟୋଗ, ବୈଜ୍ଞାନିକ ଆଗାଛା ପରିଚାଳନା, ମୃତିକା ସ୍ୱାସ୍ଥ୍ୟ ପରିଚାଳନା, ବର୍ଷାଜଳ ସଂରକ୍ଷଣ, ଫସଲ ବିବିଧୀକରଣ, ଡିଜିଟାଲ କୃଷି, ମୋବାଇଲ ଆଧାରିତ କୃଷି ପରାମର୍ଶ ସେବା, ପରାଗ ସଂଚାରକ ପୋକଙ୍କ ସଂରକ୍ଷଣ, ପାର୍ଥେନିୟମ ଆଗାଛା ନିୟନ୍ତ୍ରଣ, ଫଳ ଓ ସବୁଜ ପନିପରିବାର ପୌଷ୍ଟିକ ଗୁରୁତ୍ୱ, କୃଷି ରସାୟନର ସୁରକ୍ଷିତ ବ୍ୟବହାର ଏବଂ କୃଷକମାନଙ୍କ ପାଇଁ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସଂର୍ପକରେ ସଚେତନ କରାଯାଇଥିଲା । ଏଥିସହ ବୈଜ୍ଞାନିକମାନେ ଜଳବାୟୁ ଅନୁକୂଳ କୃଷି, ପ୍ରାକୃତିକ ସଂପଦର ଦକ୍ଷ ବ୍ୟବହାର ଏବଂ କମ୍ ଖର୍ଚ୍ଚରେ ଅଧିକ ଉତ୍ପାଦନକ୍ଷମ ପ୍ରଯୁକ୍ତି ଅପନାଇବା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ।

ସୋଆ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କହିଛନ୍ତି ଯେ କୃଷି ଗବେଷଣାର ପ୍ରକୃତ ସଫଳତା ସେତେବେଳେ ସାର୍ଥକ ହୁଏ, ଯେତେବେଳେ ତାହା କୃଷକଙ୍କ କ୍ଷେତ୍ରରେ ପହଂଚି ସେମାନଙ୍କ ଜୀବନରେ ପରିବର୍ତନ ଆଣିପାରେ । କୃଷକଙ୍କ ଜୀବନଜୀବିକାର ଉନ୍ନତି, ଖାଦ୍ୟ ଓ ପୁଷ୍ଟି ସୁରକ୍ଷା ସୁନିଶ୍ଚିତ କରିବା ଏବଂ ସ୍ଥାୟୀ କୃଷି ବିକାଶ ପାଇଁ ଶିକ୍ଷା, ଗବେଷଣା ଓ ସଂପ୍ରସାରଣକୁ ସମନ୍ୱିତ ଭାବେ ଆଗେଇ ନେବାକୁ ଅନୁଷ୍ଠାନ ସର୍ବଦା ପ୍ରତିବଦ୍ଧ । ଆରଏଡବ୍ଲୁଇ କାର୍ଯ୍ୟକ୍ରମ ଭବିଷ୍ୟତର ଦକ୍ଷ କୃଷି ସଂପ୍ରସାରଣ ବିଶେଷଜ୍ଞ ସୃଷ୍ଟିରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ସେ କହିଥିଲେ ।

ଆର୍ଏଡବ୍ଲୁଇ କମିଟିର ଅଧ୍ୟକ୍ଷ ଡଃ ଅଂଶୁମାନ ଜେନା କହିଛନ୍ତି ଯେ, ପ୍ରତ୍ୟେକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ କୃଷକଙ୍କ ଆବଶ୍ୟକତାକୁ ଚିହ୍ନଟ କରି ପ୍ରସ୍ତୁତ କରାଯାଇଥିଲା, ଯାହାଦ୍ୱାରା ବୈଜ୍ଞାନିକ ପରାମର୍ଶ ସେମାନଙ୍କ କୃଷି ସମସ୍ୟାର ବ୍ୟବହାରିକ ସମାଧାନ ପ୍ରଦାନ କରିପାରିବ । ସୋଆ କୃଷି ବିଜ୍ଞାନ ଅନୁଷ୍ଠାନ କେବଳ ଉଚ୍ଚମାନର କୃଷି ଶିକ୍ଷା ପ୍ରଦାନରେ ସୀମିତ ନ ରହି, ପ୍ରଯୁକ୍ତି ହସ୍ତାନ୍ତର ଏବଂ କ୍ଷେତ୍ରସ୍ତରୀୟ ସଂପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ କୃଷକ ସମାଜକୁ ସଶକ୍ତ କରିବା ପାଇଁ ମଧ୍ୟ ନିରନ୍ତର କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି ।