ରାୟପୁର : ଛତିଶଗଡ଼ର ପ୍ରସିଦ୍ଧ ଲୋକଗୀତ ଗାୟିକା ଡ.ତିଜନବାଇ ଅଚାନକ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ରାୟପୁର ଏମସର ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା, ନିମୋନିଆ, ଡିହାଇଡ୍ରେସନ ଓ ଲୋ ବ୍ଲଡ ପ୍ରେସର ଅଭିଯୋଗ ପରେ ଏମସ୍ ରେ ଭର୍ତ୍ତି କରାଯାଇଛି। ଏମସ୍ ଚିକିତ୍ସା ଅଧିକ୍ଷକ ପ୍ରଫେସର ଡା. ଦେବେନ୍ଦ୍ର ତ୍ରିପାଠୀ କହିଛନ୍ତି ଯେ ତିଜନବାଇଙ୍କୁ ଟ୍ରମା ଏବଂ ଏମାର୍ଜେନ୍ସୀ ବିଭାଗରେ ଭର୍ତ୍ତି କରାଯାଇଛି। ଏହାପରେ ତାଙ୍କୁ ଆଇସିୟୁକୁ ସିଫ୍ଟ କରାଯାଇଛି।

ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ରହିଛି। ତିଜନବାଇଙ୍କ ପ୍ରାରମ୍ଭିକ ଚିକିତ୍ସା ଟ୍ରମା ୟୁନିଟ୍ ରେ ଡା.ନମନ କରିଥିଲେ। ଏହାପରେ ଜେନେରାଲ ମେଡିସିନରେ ପ୍ରୋଫେସର ଡା. ପ୍ରିତମ ୱାସନିକଙ୍କ ଦେଖରେଖରେ ତାଙ୍କ ଚିକିତ୍ସା ଚାଲିଛି। ମେଡିସିନ ବିଭାଗର ଡା. ପ୍ରଣିତା, ପଲ୍ମୋନେରୀ ମେଡିସିନର ଡା. ରଙ୍ଗନାଥନ ଓ କିଡନୀ ରୋଗ ବିଶେଷଜ୍ଞ ଡା. ନିଲମ ତାଙ୍କ ଚିକିତ୍ସା ଲାଗି ଗଠିତ ମେଡିକାଲ ଟିମ୍ ରେ ଅଛନ୍ତି।

ତିଜନବାଇଙ୍କ ବୋହୂ ବେଣୁ ଦେଶମୁଖଙ୍କ ଅନୁସାରେ ଡାକ୍ତରଙ୍କ ଏମାର୍ଜେନ୍ସୀ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଏବେ ସେ ବିପଦରୁ ବାହାରେଥିବା ଅନୁମାନ କରାଯାଉଛି। ଏମସ୍ ପ୍ରବନ୍ଧନ ଦ୍ୱାରା ଜାରି ପ୍ରେସ୍ ବୁଲେଟିନ ଅନୁସାରେ ତାଙ୍କୁ ଗୁରୁତର ଅବସ୍ଥାରେ ଏମସ୍ ଟ୍ରମା ଏମାର୍ଜେନ୍ସୀ ବିଭାଗକୁ ଅଣାଯାଇଥିଲା। ତାଙ୍କୁ ଏବେ ଆଇସିୟୁକୁ ସିଫ୍ଟ କରି ଚିକିତ୍ସା କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ପଦ୍ମ ବିଭୂଷଣ ଡ. ତିଜନବାଇ ତାଙ୍କର ଅନନ୍ୟ କାପାଳିକ ଶୈଳୀର ମହାଭାରତ କଥା (ପଣ୍ଡୱାନୀ) ପାଇଁ ଦେଶ ଓ ବିଦେଶରେ ପରିଚିତ।