ଭୁବନେଶ୍ବର ୩୧।୭: ବନ୍ୟାରେ ୧୫ଟି ଜିଲ୍ଲାର ୫୭ ବ୍ଲକ୍‌ ପ୍ରଭାବିତ । ବନ୍ୟା ସ୍ଥିତି ସମୀକ୍ଷା ପରେ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମହାନଦୀକୁ ଛାଡ଼ିଦେଲେ ବାକି ସବୁ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ବନ୍ୟା ପାଣି କମିବା ପର୍ଯ୍ୟନ୍ତ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବ । କ୍ଷୟକ୍ଷତି ରିପୋର୍ଟ ଆସିଲେ ସଙ୍ଗେ ସଙ୍ଗେ କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସନ୍ଧ୍ୟା ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ଅଧିକ ଗେଟ୍ ଖୋଲିବ । କେବଳ ମହାନଦୀରେ ବନ୍ୟା ସ୍ଥିତି ରହିଛି । ସେଥିପାଇଁ କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଖୋର୍ଦ୍ଦା ଜିଲ୍ଲାପାଳଙ୍କୁ କୁହାଯାଇଛି ପୂର୍ବାନୁମାନ ଠାରୁ ଅଧିକ ଆଲର୍ଟ ରହିବା ପାଇଁ । ଏବେ ହୀରାକୁଦର ୧୨ଟି ଗେଟ୍ ଖୋଲିଛି । ଆଉ ଅଧିକ ଗେଟ୍ ଖୋଲିବ । କିନ୍ତୁ ସେ ପାଣି ମୁଣ୍ଡୁଳିରେ ପହଁଚିଲା ବେଳକୁ ୪୦ ଘଣ୍ଟା ସମୟ ଲାଗିବ । ତା ଭିତରେ ମୁଣ୍ଡୁଳିରୁ ବନ୍ୟାଜଳ ନିଷ୍କାସନ ହୋଇ ଯାଇଥିବ ।

ଏବେ ରାଜ୍ୟର ୧୫ ଜିଲ୍ଲା ବନ୍ୟା ପ୍ରଭାବିତ । ଯାଜପୁର, ଭଦ୍ରକ, ବାଲେଶ୍ବରର ଅନେକ ଅଞ୍ଚଳ ଏବେ ବି ଜଳମଗ୍ନ ଅଛି । ୧୫ ଜିଲ୍ଲାର ୫୭ ବ୍ଲକ୍ ୪୪୬ ଗ୍ରାମ ପଞ୍ଚାୟତ, ୧୩୬୨ ଗାଁ ଏବଂ ୧୧ ପୌରାଞ୍ଚଳର ୧୭୪ ୱାର୍ଡ ପ୍ରଭାବିତ ହୋଇଛି । ୭ ଲକ୍ଷ ୯୧ ହଜାର ୮୪୬ ଲୋକ ପ୍ରଭାବିତ ହୋଇଛନ୍ତି । ୨ ଲକ୍ଷ ୬୮ ହଜାର ୯୪୩ ଲୋକ ଜଳବନ୍ଦୀ । ୨୧ ହଜାର ୩୮୦ ହେକ୍ଟର ଜମି ପ୍ରଭାବିତ ହୋଇଛି । ୭୦୦ ଘର ପ୍ରଭାବିତ ହୋଇଛି । ୬୪୭ ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ଅଛି । ୨୦ଟି ସ୍ଥାନରେ ପଶୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ପାଣି ଘେରରେ ଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଛି ।

କୁଶଭଦ୍ରା, ଇବ୍, ଜଳକା, ଋଷିକୁଲ୍ୟା, ବୈତରଣୀ, ବ୍ରାହ୍ମଣୀ ନଦୀର ଜଳସ୍ତର ବିପଦ ସଂକେତ ତଳକୁ ଖସିଲାଣି । ମହାନଦୀ ଜଳ ପତ୍ତନ ବଢୁଛି । ହୀରାକୁଦର ୧୨ଟି ଗେଟ୍ ଖୋଲାଯାଇଛି । ଆହୁରି ଦେଢ଼ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଆବଶ୍ୟକ ପଡିଲେ ଆହୁରି ଗେଟ୍ ଖୋଲାଯାଇପାରେ ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ।