AAP ଛାଡିସାରିଥିବା ରାଜକୁମାର ଆନନ୍ଦ ବିଜେପି ନୁହେଁ ଯୋଗ ଦେଲେ ମାୟାବତୀଙ୍କ ବିଏସପିରେ

Published By : Prameya-News7 Bureau | May 05, 2024 IST

ନୂଆଦିଲ୍ଲୀ ୫।୫: ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ତଥା ଆମ ଆଦମୀ ପାର୍ଟି (ଆପ୍)କୁ ବାୟ କହିସାରିଥିବା ନେତା ରାଜକୁମାର ଆନନ୍ଦ ରବିବାର ବହୁଜନ ସମାଜ ପାର୍ଟି (ବସପା)ରେ ଯୋଗ ଦେଇଛନ୍ତି। ଆପ ଛାଡିବା ଠାରୁ ସେ ବିଜେପିକୁ ଯିବେ ବୋଲି ଆକଳନ କରାଯାଉଥିଲା। ତେବେ ସମସ୍ତ କଳ୍ପନାଜଳ୍ପନାରେ ବୀରାମ ଲଗାଇ ରାଜକୁମାର ଆନନ୍ଦ ମାୟାବତୀଙ୍କ ପାର୍ଟି ବସପାର ହାତ ଧରିଛନ୍ତି। ଏବେ ଆଶା କରାଯାଉଛି ବସପା ତାଙ୍କୁ ଦିଲ୍ଲୀ ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ। 

କେଜରିୱାଲ ସରକାରରେ ମନ୍ତ୍ରୀ ଥିବା ରାଜ କୁମାର ଆନନ୍ଦ ନିକଟରେ ଆପରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ରରେ କେଜରିୱାଲ ସରକାରଙ୍କ ଉପରେ ଏସସି, ଏସଟି ଙ୍କ ସହିତ ପାତର ଅନ୍ତର ନୀତିର ଅଭିଯୋଗ କରିଥିଲେ। ରାଜ କୁମାର ଆନନ୍ଦ ମାତ୍ର କିଛି ଦିନ ପୂର୍ବେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନାଙ୍କୁ ତାଙ୍କର ଇସ୍ତଫା ପ୍ରଦାନ କରିଥିଲେ। ଏବେ ସେ ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି। ବସପାରେ ଯୋଗ ଦେବା ପରେ ସେ କହିଛନ୍ତି ଯେ ଆଜି ମୋତେ ଲାଗୁଛି ମୁଁ ମୋ ପାର୍ଟିକୁ ଫେରିପାରିଛି। 

ସେ କହିଛନ୍ତି ଯେ ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ସେହି ସ୍ଥାନରେ ମୋର ଦୋକାନ ଥିଲା, ଯେଉଁଠାରେ ସେତେବେଳେ କାଂସୀ ରାମଜୀ ଓ ବେହେନଜୀ ବସି ମୋତେ  ରାଜନୀତି ଶିଖାଉଥିଲେ। ଏଥିରେ କେଜରିୱାଲ ଆସିବା ପରେ ରାଜନୀତି ବଦଳିଲେ ଦେଶ ବଦଳିବ ବୋଲି କହିଥିଲେ। ଏଣୁ ମୁଁ  ବେହେନଜୀଙ୍କୁ ଛାଡି ତାଙ୍କ ସହ ଚାଲିବା ଆରମ୍ଭ କରିଥିଲି। ରାଜ କୁମାର ଆନନ୍ଦ କହିଛନ୍ତି ଯେ ରାଜନୀତି ବଦଳିନି ହେଲେ ରାଜନେତା ବଦଳି ଯାଇଛନ୍ତି। 

ରାଜକୁମାର ଆନନ୍ଦ ଅରବିନ୍ଦ କେଜରିୱାଲଙ୍କ କ୍ୟାବିନେଟ୍ ରେ ସମାଜକଲ୍ୟାଣ ମନ୍ତ୍ରୀ ଥିଲେ। ନଭେମ୍ବର ୨୦୨୩ରେ ତାଙ୍କ ଘରେ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢଉ କରିଥିଲା। ରାଜ କୁମାର ୨୦୨୦ରେ ଆପ ଟିକେଟରେ ପଟେଲ ନଗର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ତେବେ ସେ ଅଚାନକ ବିଧାୟକ ପଦରୁ ଇସ୍ତଫା ଦେବା ସହ ପାର୍ଟିରୁ ଇସ୍ତଫା ଦେବାରୁ ତାଙ୍କୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.