‘ଇଣ୍ଡିଆ’ ମେଣ୍ଟ ଜିତିବ ଲୋକସଭା ନିର୍ବାଚନ, ୨୦୦ ସିଟ୍ ଛୁଇଁ ପାରିବନି ବିଜେପି, ଜାଣନ୍ତୁ ଆଉ କ'ଣ କହିଲେ ମମତା ବାନାର୍ଜୀ?

Published By : Prameya-News7 Bureau | May 18, 2024 IST

କୋଲକାତା ୧୮।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଶନିବାର କହିଛନ୍ତି ଯେ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟ ଲୋକସଭା ନିର୍ବାଚନ ପରେ ସରକାରକୁ ଆସିବ। ଭାରତୀୟ ଜନତା ପାର୍ଟି (ବିଜେପି) ୨୦୦ ଟାର୍ଗେଟ୍ ମଧ୍ୟ ପୂରଣ କରିପାରିବ ନାହିଁ। ସେ କଂଗ୍ରେସ ଓ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ଉପରେ ବେଙ୍ଗଲ ସରକାରଙ୍କୁ ବଦନାମ କରିବା ପାଇଁ ରାଜ୍ୟରେ ବିଜେପି ସହିତ ମେଣ୍ଟ କରିଥିବା ଅଭିଯୋଗ କରିଛନ୍ତି। 

ଏଣୁ ମମତା ବାନାର୍ଜୀ ଭୋଟରଙ୍କୁ ତୃଣମୂଳକୁ ଛାଡି ଅନ୍ୟ କୌଣସି ଦଳକୁ ଭୋଟ ନ ଦେବାପାଇଁ ନିବେଦନ କରିଛନ୍ତି। କହିଛନ୍ତି ଯେ ଅନ୍ୟ ଦଳକୁ ଭୋଟ ଦେଲେ ବିଜେପିକୁ ହିଁ ରାଜ୍ୟରେ ଲାଭ ହେବ। ଏଥର ବିଜେପି କେନ୍ଦ୍ରରେ ୨୦୦ ସିଟ୍‌ ମଧ୍ୟ ପାଉ ନାହିଁ ବୋଲି ସେ ଦାବିର ସହ କହିଛନ୍ତି। ଆରାମବାଗ ଲୋକସଭା ନିର୍ବାଚନମଣ୍ଡଳି ଅନ୍ତର୍ଗତ ଗୋଘାଟରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ମମତା କହିଛନ୍ତି ଯେ ମୁଁ ହିଁ ବିରୋଧୀଙ୍କ ମେଣ୍ଟକୁ ‘ଇଣ୍ଡିଆ’ ନାମକରଣ କରାଯାଉ ବୋଲି କହିଥିଲି ଓ ଜାତୀୟ ସ୍ତରରେ ଆମ ମେଣ୍ଟ ସହଯୋଗୀ ନିରଙ୍କୁଶ ନରେନ୍ଦ୍ର ମୋଦି ସରକାରଙ୍କୁ ବିରୋଧ କରିବା ପାଇଁ ଏବେ ଏକାଠୀ ମିଶି କାମ କରୁଛି। 

ସେ କହିଛନ୍ତି ଯେ ତୃଣମୂଳ କଂଗ୍ରେସ ଇଣ୍ଡିଆ ମେଣ୍ଟକୁ କ୍ଷମତାକୁ ଆଣିବା ପାଇଁ ଭୂମିକା ନିର୍ବାହ କରିବ। ଏବେ ମୋଦିଙ୍କ ଶ୍ୱର ମଧ୍ୟ ବଦଳିଗଲାଣି, ସେ ଆଉ କେଉଁଠି ବି ୪୦୦ ପାର ଦାବି କରୁ ନାହାନ୍ତି। ହେଲେ ମୁଁ କହୁଛି ଏଥର ବିଜେପି ୨୦୦ ସିଟ୍‌ ମଧ୍ୟ ପୂରଣ କରିପାରିବ ନାହିଁ। ସେ କହିଛନ୍ତି ଯେ ରାଜ୍ୟରେ କେବଳ ଟିଏମସି ହିଁ ବିଜେପିକୁ ଦୃଢତାର ସହ ମୁକାବିଲା କରୁଛି। ମମତା ତାଙ୍କ ଭାଷଣରେ ମୋଦି ଓ ଶାହଙ୍କୁ ବି ଘେରିଛନ୍ତି, ସେ ଉଭୟଙ୍କୁ ବଙ୍ଗ ବିରୋଧୀ ବୋଲି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.