ଇଲେକ୍ସନ ସମୟରେ ଦେଶରେ ଜବତ ହେଲାଣି ୮,୮୮୯ କୋଟି ଟଙ୍କାର ସାମଗ୍ରୀ: ନିର୍ବାଚନ ଆୟୋଗ

Published By : Prameya-News7 Bureau | May 18, 2024 IST

ନୂଆଦିଲ୍ଲୀ ୧୮।୯: ନିର୍ବାଚନ ଆୟୋଗ ଶନିବାର କହିଛନ୍ତି ଯେ ଦେଶରେ ଜାରି ଲୋକସଭା ନିର୍ବାଚନ କାଳରେ ୮,୮୮୯ କୋଟି ଟଙ୍କାର ସାମଗ୍ରୀ ଜବତ ହେଲାଣି। ମୋଟ ଜବତର ୪୫ ପ୍ରତିଶତ କେବଳ ନିଶା ସାମଗ୍ରୀ। ଆୟୋଗ ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ନିର୍ବାଚନ ସମୟରେ ଜବତର ପରିମାଣ ଖୁବ୍ ଶୀଘ୍ର ୯,୦୦୦ କୋଟି ଟଙ୍କାକୁ ପାର କରିଯିବ। ଜାରି ନିର୍ବାଚନରେ ଧନବଳ ଓ ପ୍ରଲୋଭନ ଉପରେ ନିର୍ବାଚନ ଆୟୋଗଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଯୋଗୁ ୮,୮୮୯ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି। 

ଆୟୋଗ କହିଛନ୍ତି ୪୫ ପ୍ରତିଶତ ନିଶା ସାମଗ୍ରୀର ମୂଲ୍ୟ ୩,୯୫୮ କୋଟି ଟଙ୍କାରୁ ବି ଅଧିକ। ଏଣୁ ଦେଶରେ ମାଦକ ପଦାର୍ଥ ସହିତ ପ୍ରଲୋଭନ ବିରୋଧରେ ନଜର ବଢାଇ ଦିଆଯାଇଛି। ଡ୍ରଗସ୍, ମଦ, ମୂଲ୍ୟବାନ ଧାତୁ, ମାଗଣା ବସ୍ତୁ ଓ ନଗଦ ନିର୍ବାଚନକୁ ଅଲଗା ଅଲଗା ସ୍ତରରେ ପ୍ରଭାବିତ କରୁଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏକ ସମୀକ୍ଷା ଗସ୍ତକାଳରେ ନୋଡାଲ ଏଜେନ୍ସୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ନିର୍ବାଚନରେ ନିଶା ସାମଗ୍ରୀର ବ୍ୟାପାର ଓ କଳା ଧନ ବିରୋଧରେ ଏଜେନ୍ସୀଙ୍କ ଦ୍ୱାରା ସଠିକ ଗୁଇନ୍ଦା ଆଧାରିତ ସହଯୋଗ ଏହି ସମୟର ଆବଶ୍ୟକତା। 

ଆୟୋଗ କହିଛନ୍ତି ଯେ ଗତ ୩ ପର୍ଯ୍ୟାୟ ପ୍ରଚାରର ତୀବ୍ରତା ବୃଦ୍ଧି ସହ ଇସିଆଇ ମତଦାତାଙ୍କୁ ପ୍ରଲୋଭନ ମାଧ୍ୟମରେ ପ୍ରଭାବିତ କରିବା ପ୍ରୟାସ ଉପରେ କଡା ନଜର ରଖାଯାଇଛି। ଏଥିପାଇଁ ସିଇଓ ଏବଂ ପ୍ରବର୍ତ୍ତନ ଏଜେନ୍ସୀମାନଙ୍କୁ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆୟୋଗ ଦ୍ୱାରା ନିଶା ସାମଗ୍ରୀ ଓ ଅନ୍ୟ ପ୍ରଲୋଭନ ବିରୋଧରେ ଅଭିଯାନ ଜାରି ରହିବ ବୋଲି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.