ସୁବିଧାବାଦି ନୀତି ପାଇଁ ଟେସଲାକୁ ରୋକ୍‌ଠୋକ୍ ଶୁଣାଣିଲେ କେନ୍ଦ୍ର ସରକାର: କମ୍ପାନୀ ପାଇଁ ନୀତି ପରିବର୍ତ୍ତନ ହେବନି

Published By : Prameya-News7 Bureau | May 18, 2024 IST

intermet

ନୂଆଦିଲ୍ଲୀ: ଟେସଲାର ସୁବିଧାବାଦି ନୀତି ପାଇଁ ରୋକ୍‌ଠୋକ୍ ଶୁଣାଣିଲା ଭାରତ। କୌଣସି କମ୍ପାନୀକୁ ସୁହାଇଲା ଭଳି ଦେଶରେ ନୀତି ପରିବର୍ତ୍ତନ କରାଯାଏନି। ଭାରତ ତା'ର ଇଭି ନୀତି ପ୍ରସ୍ତୁତ କରି ସାରିଛି। ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ନୀତି ଆୟୋଗର ପୂର୍ବତନ ସିଇଓ ତଥା ଜି-୨୦ ସେର୍‌ପା ଅମିତାଭ କାନ୍ତ କହିଛନ୍ତି। ଟେସ୍‌ଲା ବିଷୟରେ ପଚରାଯିବାରୁ ଏଭଳି କହିଛନ୍ତି ଅମିତାଭ।

ନିକଟରେ ଭାରତ ସରକାର ନୂଆ ଇଭି ପଲିସି ଘୋଷଣା କରିଥିଲେ। ଏହାପରେ ଟେସଲା ଭାରତକୁ ଆସିବା ନେଇ କଳ୍ପନାଜଳ୍ପନା ତୀବ୍ର ହୋଇଥିଲା। ଟେସଲା ସିଇଓ ଏଲନ୍ ମସ୍କ ମଧ୍ୟ ଭାରତ ଆସିବାକୁ ଘୋଷଣା କରିଥିଲେ। ଏଥିସହ ତାଙ୍କ ଟିମ୍ ଦେଶରେ ଇଭି ପ୍ଲାଣ୍ଟ ବସାଇବାକୁ ଉପଯୁକ୍ତ ସ୍ଥାନ ଖୋଜିବା ଆରମ୍ଭ କରିଥିଲେ। କିନ୍ତୁ, ଏଲନ୍ ମସ୍କ ଭାରତ ଗସ୍ତକୁ ବାତିଲ କରି ଚୁପଚାପ୍ ଚୀନ ଚାଲିଯାଇଥିଲେ। ସେବେଠାରୁ ଟେସ୍‌ଲା ଇଣ୍ଡିଆରେ ପ୍ଲାଣ୍ଟ ବସାଇବା ଯୋଜନା ଗଣ୍ଠିଲି ଭିତରେ ରହିଯାଇଛି। 

ଶନିବାର ଅମିତାଭଙ୍କୁ ଟେସଲା ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ବିଭିନ୍ନ କମ୍ପାନୀ ପାଇଁ ଅଲଗା ଅଲଗା ନୀତି ହୋଇପାରିବ ନାହିଁ। ଆମର ଏକ ଇଭି ନୀତି ଅଛି ଏବଂ ପ୍ରତ୍ୟେକ କମ୍ପାନୀ ଏହାକୁ ଗ୍ରହଣ କରିବାକୁ ପଡ଼ିବ। ପ୍ରକୃତରେ ଟେସ୍‌ଲା ଭାରତ ସରକାରଙ୍କ ଇଭି ପଲିସି ସତ୍ତ୍ୱେ ବି ଭାରତ ସରକାରଙ୍କ ପାଖରେ ଆଉ କିଛି ଦାବି ରଖିଥିଲା। ଯାହାକୁ ନେଇ ଭାରତ ସରକାର ଓ ଟେସ୍‌ଲା ମଧ୍ୟରେ କଥା ଅଟକି ରହିଛି। ଭାରତ ସରକାରଙ୍କ ଇଭି ନୀତି ଅନୁସାରେ, ଦେଶରେ ଉତ୍ପାଦନ କାରଖାନା ପ୍ରତିଷ୍ଠା କରୁଥିବା କମ୍ପାନୀମାନଙ୍କୁ କେନ୍ଦ୍ର ସରକାର ବିଭିନ୍ନ ପ୍ରୋତ୍ସାହନ ଦେବେ ବୋଲି ଘୋଷଣା କରିଛନ୍ତି।

ନୂଆ ଇଭି ପଲିସି ଅନୁଯାୟୀ ଦେଶରେ ୪୧୫୦ କୋଟି ଟଙ୍କା ନିବେଶ କରୁଥିବା କମ୍ପାନୀଗୁଡ଼ିକୁ ଟିକସ ଛାଡ଼ କରାଯିବ। ଏଥିସହ ମେନୁଫେକ୍ଚରିଂ ପ୍ଲାଣ୍ଟ ବସାଉଥିବା କମ୍ପାନୀଗୁଡିକୁ ୩ ବର୍ଷ ମଧ୍ୟରେ ଭାରତୀୟ କମ୍ପାନୀଗୁଡିକରୁ ୨୫ ପ୍ରତିଶତ ଓ ୫ ବର୍ଷ ମଧ୍ୟରେ ୫୦ ପ୍ରତିଶତ ପାର୍ଟି କିଣିବାକୁ ପଡ଼ିବ। ଏହା ବ୍ୟତୀତ ଭାରତରେ ୩୫ ହଜାର ଡଲାରରୁ ଅଧିକ ମୂଲ୍ୟର କାର ଆମଦାନୀ ଉପରେ କମ୍ପାନୀ ୧୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡିବ। ଏଥିସହ, କମ୍ପାନୀ ଯେତେ ନିବେଶ କରିବ କାର ଆମଦାନୀ କରିବାରେ ସେତେ ଅଧିକ ଟ୍ୟାକ୍ସ ଛାଡ଼ କରାଯିବ ବୋଲି ଇଭି ନିତିରେ ଉଲ୍ଲେଖ ରହିଛି। 

ତେବେ ଅଟୋ ମୋବାଇଲ୍ କ୍ଷେତ୍ରରେ ଭାରତାବାସୀଙ୍କୁ ନୂଆ ସ୍ୱପ୍ନ ଦେଖାଇଛନ୍ତି ଅମିତାଭ କାନ୍ତ। ଆଗାମୀ ପାଞ୍ଚ ବର୍ଷରେ ଭାରତରେ ଅଟୋମୋବାଇଲ୍ କ୍ଷେତ୍ରରେ ଅନେକ କିଛି ପରିବର୍ତ୍ତନ ହେବ। ବିଶ୍ୱ ପରିବହନର ସ୍ଥାୟୀ ମାଧ୍ୟମ ଆଡ଼କୁ ବଢୁଛି। ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ, ତିନି ଚକିଆ ଯାନ ଏବଂ ବସ୍ କିଣିବା ଉପରେ ମଧ୍ୟ ସରକାର ସବସିଡି ଦେଉଛନ୍ତି। ଏହାର ବ୍ୟାପକ ପ୍ରଭାବ ଦୃଶ୍ୟମାନ ହେବ ବୋଲି ଅମିତାଭ କାନ୍ତ କହିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.