ନୂଆଦିଲ୍ଲୀ ୧୮।୫: ଦେଶରେ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନର ୪ ପର୍ଯ୍ୟାୟ ଭୋଟଗ୍ରହଣ ସରିଲାଣି, ଏହା ସହିତ ମେ ୨୦ରେ ପଞ୍ଚମ ପର୍ଯ୍ୟୟ ଭୋଟ ଗ୍ରହଣ ହେବାକୁ ଯାଉଛି। ଏଥି ମଧ୍ୟରେ ନିର୍ବାଚନ ଆୟୋଗ ଭୋଟିଂ ପ୍ରତିଶତ ବଢାଇବା ପାଇଁ ଏକ ନୂଆ ଉପାୟ କରିଛନ୍ତି। ମତଦାନ ହାର ବୃଦ୍ଧିରେ ସ୍କୁଲମାନେ ମଧ୍ୟ ଯୋଗଦାନ ଦେଉଛନ୍ତି। ଏଣୁ ନିର୍ବାଚନ ଆୟୋଗଙ୍କ ଉପାୟ ଅନୁସାରେ ଯଦି ଅଭିଭାବକ ଭୋଟ ଦିଅନ୍ତି ତେବେ ସେମାନଙ୍କ ପିଲାଙ୍କୁ ପରୀକ୍ଷାରେ ଅତିରିକ୍ତ ୧୦ ପ୍ରତିଶତ ମାର୍କ ଦିଆଯିବ ବୋଲି ଘୋଷଣା କରିଛନ୍ତି।
ସେହିପରି ନିର୍ବାଚନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରୁଥିବା ସ୍କୁଲ କର୍ମଚାରୀଙ୍କୁ ଗୋଟିଏ ଦିନର ଅତିରିକ୍ତ ବେତନ ପ୍ରଦାନ କରାଯିବ ବୋଲି ମଧ୍ୟ କହିଛନ୍ତି। ସୂଚନା ଅନୁସାରେ ପଞ୍ଚମ ପର୍ଯ୍ୟାୟ ୨୦ ମେ ଭୋଟ ଗ୍ରହଣରେ ଯେଉଁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଭୋଟ ଦେବେ ସେମାନଙ୍କୁ ଏହି ଅତିରିକ୍ତ ୧୦ ନମ୍ବର ଦିଆଯିବ। ଏହି ନମ୍ବର କୌଣସି ଗୋଟିଏ ବିଷୟରେ ଦିଆଯାଇପାରେ ଅଥବା ସବୁ ବିଷୟରେ ମିଶାଇ ଦିଆଯାଇପାରେ। ସେହିପରି ସ୍କୁଲ କର୍ମଚାରୀ ଯଦି ଭୋଟଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥାନ୍ତି ସେମାନଙ୍କୁ ଗୋଟିଏ ଦିନର ଅତିରିକ୍ତ ବେତନ ଦିଆଯିବ।
୨୦ ମେରେ ୬ଟି ରାଜ୍ୟରେ ଭୋଟ ଗ୍ରହଣ ହେବ। ଏଥିରେ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଓଡିଶା, ଝାଡଖଣ୍ଡ ଓ ଦୁଇ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖର ମୋଟ ୪୯ଟି ଆସନ ନିମନ୍ତେ ଭୋଟ ପଡିବ। ପଞ୍ଚମ ପର୍ଯ୍ୟାୟରେ ଯେଉଁ ଆସନରେ ସବୁ ମତଦାନ ହେବ ସେଥିରେ ଉତ୍ତରପ୍ରଦେଶର ୧୪, ମହାରାଷ୍ଟ୍ରର ୧୩, ପଶ୍ଚିମବଙ୍ଗର ୭, ବିହାରର ୫ ଏବଂ ଓଡିଶାର ୫ଟି ଆସନ ନିମନ୍ତେ ଭୋଟଗ୍ରହଣ ହେବ। ଏହା ଛଡା ଝାଡଖଣ୍ଡର ୩ ଓ ଜମ୍ମୁ-କାଶ୍ମୀର, ଲଦ୍ଦାଖର ଗୋଟିଏ ଲେଖାଏଁ ଆସନ ନିମନ୍ତେ ଲୋକେ ଭୋଟ କରିବେ।