ପାଟନା ୮।୧୧:  ବିହାର ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କାଳରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ)ର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା କିଛି ଲୋକଙ୍କ ପାଇଁ ମହଙ୍ଗା ପଡିଛି। ଆରା, ଗୋପାଲଗଞ୍ଜ ଓ ସାରଣ ଜିଲ୍ଲାରେ ଏପରି ୪ ଜଣ ଲୋକଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଅଧିକାରୀ  ଏହି ସୂଚନା ଦେଇଛନ୍ତି।

ନିର୍ବାଚନ ଆୟୋଗଙ୍କ ନିୟମରେ ସ୍ପଷ୍ଟ ରୂପେ କୁହାଯାଇଛି ମତଦାନ କେନ୍ଦ୍ରକୁ ମୋବାଇଲ ନେଇଯିବା ଓ ଭୋଟିଂ ପ୍ରକ୍ରିୟାର ଫଟୋ ଉଠାଇବା ସମ୍ପୂର୍ଣ୍ଣ ନିଷେଧ। ଏହା ସତ୍ତ୍ୱେ କିଛି ଲୋକ ଇଭିଏମର ଭିଡିଓ ଏବଂ ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଏହା ନା କେବଳ ଆଦର୍ଶ ଆଚରଣ ସଂହିତାର ଉଲ୍ଲଂଘନ ବରଂ ଆଇନତଃ ଅପରାଧ ମନେ କରାଯାଉଛି। ଅଧିକାରୀଙ୍କ ଅନୁସାରେ ଗୋପାଲ ଗଞ୍ଜରେ ଦୁଇଜଣଙ୍କ ବିରୋଧରେ ଓ ଆରା ଏବଂ ସାରଣରେ ଜଣେ ଲେଖାଏଁ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ୩ ଜିଲ୍ଲାରେ ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା।

ପୋଲିସ ଅନୁସାରେ ଏହି ଲୋକେ ଭୋଟ ଗ୍ରହଣ କେନ୍ଦ୍ରକୁ ମୋବାଇଲ ନେଇ କିପରି ପହଞ୍ଚିଲେ ଏ ନେଇ ପ୍ରଥମେ ଯାଞ୍ଚ ହେଉଛି। ଭୋଟ ଗ୍ରହଣ କେନ୍ଦ୍ରକୁ ମୋବାଇଲ ନେଇଯିବା ସମ୍ପୂର୍ଣ୍ଣ ନିଷେଧ। ସାରଣ ପୋଲିସ କହିଛି ଯେ ୬ ନଭେମ୍ବର ପୂର୍ବାହ୍ନ ୧୦ଟା ୧୫ ମିନିଟ୍ ରେ ସୋସିଆଲ ମିଡିଆ ଉପରେ ନଜର ପକାଯିବା ବେଳେ କିଛି ଆକାଉଣ୍ଟରେ ନିର୍ବାଚନ ସମ୍ପର୍କିତ ଭ୍ରମାତ୍ମକ ଓ ଅନୁଚିତ ପୋଷ୍ଟ ସାମ୍ନାକୁ ଆସିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କୁ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳକୁ ଭୋଟ ଦେଉଥିବା ଦେଖା ଯାଇଥିଲା। ପୋଲିସ କହିବା ଅନୁସାରେ ଏପରି ପୋଷ୍ଟ ନିର୍ବାଚନ ଆୟୋଗଙ୍କ ଗାଇଡଲାଇନର ଉଲ୍ଲଂଘନ ଅଟେ।

ଏଣୁ ପୋଲିସ ସାଧାରଣ ନାଗରିକଙ୍କୁ ମତଦାନ କାଳରେ କୌଣସି ପ୍ରକାରର ଭିଡିଓ ଅଥବା ଫଟୋ ସୋସିଆଲ ମିଡିଆରେ ସେୟାର ନ କରିବାକୁ ଅପିଲ କରିଛି। ଏହା ଦ୍ୱାରା ନିର୍ବାଚନ ପ୍ରକ୍ରିୟା ପ୍ରଭାବିତ ହେବ ଓ ଏଥି ପାଇଁ ଆଇନରେ ଦଣ୍ଡ ବ୍ୟବସ୍ଥା ମଧ୍ୟ ଅଛି। ଏଣୁ ପୋଲିସ ଚେତାବନୀ ଦେଇଛି ଯେ ଯଦି କୌଣସି ବ୍ୟକ୍ତି ଏପରି ନିୟମ ଉଲ୍ଲଂଘନ କରିବା ଜଣାପଡେ ତା ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।