ନୂଆଦିଲ୍ଲୀ: ଭାରତୀୟ ବ୍ୟବସାୟ ଜଗତ ତଥା ସମାଜସେବା କ୍ଷେତ୍ରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏସେଲ୍ ଗ୍ରୁପ୍ (Essel Group) ଅଧ୍ୟକ୍ଷ ଡ. ସୁଭାଷ ଚନ୍ଦ୍ରଙ୍କ ପିତା ନନ୍ଦ କିଶୋର ଗୋଏଙ୍କାଙ୍କର ୯୬ ବର୍ଷ ବୟସରେ ମୁମ୍ବାଇଠାରେ ପରଲୋକ ଘଟିଛି। ସୋମବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଦେଶର ବିଭିନ୍ନ ବ୍ୟବସାୟୀ, ଗଣମାଧ୍ୟମ ବ୍ୟକ୍ତିତ୍ୱ ଏବଂ ପ୍ରତିଷ୍ଠିତ ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି।

ପୁଅ ଡ. ସୁଭାଷ ଚନ୍ଦ୍ରଙ୍କ ଭାବପୂର୍ଣ୍ଣ ପୋଷ୍ଟ:

ପିତାଙ୍କ ଦେହାନ୍ତ ନେଇ ଡ. ସୁଭାଷ ଚନ୍ଦ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (X)ରେ ଏକ ଭାବପୂର୍ଣ୍ଣ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ‘‘ଆଜି ସକାଳେ ଆମର ପ୍ରିୟ ପିତା ନନ୍ଦକିଶୋର ଗୋଏଙ୍କା ଆଖି ବୁଜିଛନ୍ତି। ଏହା ପରିବାର ପାଇଁ ଅତ୍ୟନ୍ତ ଦୁଃଖଦ ମୁହୂର୍ତ୍ତ। କିନ୍ତୁ ମୁଁ ତାଙ୍କର ଏହି ୯୬ ବର୍ଷର ଦୀର୍ଘ ଜୀବନକୁ ଏକ ଉତ୍ସବ ଭାବେ ପାଳନ କରିବାକୁ ଚାହେଁ, ଯାହାକୁ ସେ ସମାଜସେବା, ଗୋ-ସେବା ଏବଂ ଜଣେ ଆରଏସଏସ ସ୍ୱୟଂସେବକ ଭାବେ ଦେଶ ସେବାରେ ସମର୍ପିତ କରିଥିଲେ।’’

 

ନନ୍ଦକିଶୋର ଗୋଏଙ୍କା କିଏ ?

୧୯୩୦ ସେପ୍ଟେମ୍ବର ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ନନ୍ଦକିଶୋର ଗୋଏଙ୍କା । ଜଣେ ସଫଳ ବ୍ୟବସାୟୀ ହେବା ସହ ଜାତୀୟ ସ୍ୱୟଂସେବକ ସଂଘ (RSS)ର ଜଣେ ନିଷ୍ଠାପର ସ୍ୱୟଂସେବକ ଥିଲେ। ସେ ସଂଗଠନର ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ। ବ୍ୟବସାୟ ସହିତ ଗୋ-ସେବା ଏବଂ ସାମାଜିକ କଲ୍ୟାଣ କାର୍ଯ୍ୟରେ ସେ ସଦାସର୍ବଦା ଆଗଧାଡ଼ିରେ ରହୁଥିଲେ। ବୈଶ୍ୟ ସମାଜରେ ଏକତା ବଜାୟ ରଖିବା ଏବଂ ମହାରାଜା ଅଗ୍ରସେନଙ୍କ ଐତିହାସିକ ସ୍ଥଳୀ 'ଅଗ୍ରୋହା'ର ବିକାଶ ପାଇଁ ସେ ପ୍ରଶଂସନୀୟ କାର୍ଯ୍ୟ କରିଯାଇଛନ୍ତି।

ହରିୟାଣାରେ ହେବ ଶେଷକୃତ୍ୟ:

ନନ୍ଦକିଶୋରଙ୍କ ପାର୍ଥିବ ଶରୀରକୁ ବର୍ତ୍ତମାନ ଶେଷ ଦର୍ଶନ ପାଇଁ ମୁମ୍ବାଇର ମେରାଇନ୍ ଡ୍ରାଇଭ୍ ସ୍ଥିତ ବାସଭବନରେ ରଖାଯାଇଛି। ଏଠାରେ ସମ୍ପର୍କୀୟ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଆସନ୍ତା ବୁଧବାର ସକାଳେ ହରିୟାଣାର ହିସାର ଜିଲ୍ଲା ଅନ୍ତର୍ଗତ ଅଗ୍ରୋହାର 'ଗୋଏଙ୍କା ଉଦ୍ୟାନ'ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ପୂର୍ବରୁ ତାଙ୍କ ପତ୍ନୀଙ୍କ ଶେଷକୃତ୍ୟ ମଧ୍ୟ ଏହି ଅଗ୍ରୋହା ଧାମରେ କରାଯାଇଥିଲା। ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ପୁଅ ଡ. ସୁଭାଷ ଚନ୍ଦ୍ର ଦେଶର ଅଗ୍ରଣୀ ମିଡିଆ ଏବଂ ଏଣ୍ଟରଟେନମେଣ୍ଟ ନେଟୱର୍କ 'ଜି' (ZEE) ଏବଂ 'ଏସେଲ୍ ଗ୍ରୁପ୍'ର ପ୍ରତିଷ୍ଠା କରିଛନ୍ତି।