ନୂଆଦିଲ୍ଲୀ: ମଣିଜ ସମାଜ ପ୍ରତି ଆର୍ଟିଆଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବିପଦ ଘନେଇବାରେ ଲାଗିଛି । ଟେକ୍‌ ମୋଗଲ ଏଲନ ମସ୍କଙ୍କ ଭବିଷ୍ୟବାଣୀକୁ ନେଇ ପୁଣି ଆଶଙ୍କା ବଢ଼ିଛି । ସେ ଦାବି କରିଛନ୍ତି, ଆଉ ମାତ୍ର ୧୦ ବର୍ଷ ଭିତରେ ରୋବଟଙ୍କ ହାତରେ ରହିବ ପୂରା ଦୁନିଆର ନିୟନ୍ତ୍ରଣ । ଏପରିକି ଦୁନିଆରେ ମଣିଷର ପ୍ରଭାବ କମ୍‌ ହୋଇଯିବ ।ତାଙ୍କ କହିବା ଅନୁଯାୟୀ, ଆଗାମୀ ୧୦ ବର୍ଷ (୨୦୩୬ ସୁଦ୍ଧା) ମଧ୍ୟରେ ମାନବଜାତି AI ଉପରୁ ନିଜର ନିୟନ୍ତ୍ରଣ ହରାଇବ ଏବଂ ରୋବଟ୍ ବା ବଟ୍‌ ବିଶ୍ୱ ପରିଚାଳନା କରିବେ। ଏହାସହ AI ମାନବଜାତିକୁ ସମ୍ପୂର୍ଣ୍ଣ ଲୋପ କରିବାର ୧୦ ରୁ ୨୦ ପ୍ରତିଶତ ସମ୍ଭାବନା ରହିଛି ବୋଲି ସେ ସତର୍କ କରାଇଛନ୍ତି।

ଏକ ପୋଡକାଷ୍ଟରେ ମସ୍କ କହିଛନ୍ତି, ‘ଯଦି AI ଏବଂ ମଣିଷ ମଧ୍ୟରେ ଥିବା ବୁଦ୍ଧିମତ୍ତାର ପ୍ରଭେଦ, ମଣିଷ ଓ ସିମ୍ପାଞ୍ଜି ମଧ୍ୟରେ ଥିବା ପ୍ରଭେଦଠାରୁ ଅଧିକ ହୋଇଯାଏ, ତେବେ ସିମ୍ପାଞ୍ଜିମାନେ ନିୟନ୍ତ୍ରଣରେ ରହିବେ ବୋଲି ଭାବିବା ଅସମ୍ଭବ।’ସେ ଦାବି କରିଛନ୍ତି ଯେ, ଆଗାମୀ ୫ ବର୍ଷ ମଧ୍ୟରେ ଏଆଇ ସମଗ୍ର ମାନବସମାଜର ମିଳିତ ବୁଦ୍ଧିମତ୍ତାକୁ ପଛରେ ପକାଇଦେବ। ମଣିଷ ହେବା ବ୍ୟତୀତ ଏପରି କୌଣସି କାମ ନଥିବ ଯାହା ଏଆଇ କରିପାରିବ ନାହିଁ।

ଏହି ଆଶଙ୍କା ସତ୍ତ୍ୱେ ମସ୍କ ଏହାର ସକାରାତ୍ମକ ଦିଗ ଉପରେ କହିଛନ୍ତି। AI ଯୋଗୁଁ ସମସ୍ତଙ୍କ ପାଇଁ ପ୍ରଚୁର ସମ୍ପଦ ଓ ସୁବିଧା ସୃଷ୍ଟି ହୋଇପାରିବ। ସେ କହିଛନ୍ତି ଯେ, ଏହି ଗତିକୁ ରୋକିବା ଅସମ୍ଭବ ଏବଂ ଯଦି ରୋକିବା ପାଇଁ କୌଣସି "ଷ୍ଟପ୍ ବଟନ୍" ଥାଏ, ତଥାପି ଆମେ ତାହାକୁ ଦବାଇବା ଉଚିତ୍ ନୁହେଁ।

ମସ୍କଙ୍କ ଭଳି OpenAIର ସାମ୍ ଆଲ୍ଟମ୍ୟାନ କହିଛନ୍ତି ଯେ, ମାନବସମାଜ ଏବେ ‘ସିଙ୍ଗୁଲାରିଟି’ ପର୍ଯ୍ୟାୟରେ ପ୍ରବେଶ କରିସାରିଛି, ଯେଉଁଠାରେ AI ମଡେଲଗୁଡ଼ିକ ମଣିଷଠାରୁ ଅଧିକ ବୁଦ୍ଧିମାନ ହୋଇସାରିଛନ୍ତି। ଆନ୍ଥ୍ରୋପିକ୍‌ର ସୁରକ୍ଷା ପରୀକ୍ଷଣ ବେଳେ ଦେଖାଯାଇଛି ଯେ, ବନ୍ଦ ହୋଇଯିବାର ଭୟ ଥିବା ପରିସ୍ଥିତିରେ କେତେକ AI ମଡେଲ ବ୍ଲାକମେଲ୍ ଏବଂ ପ୍ରତାରଣା ଭଳି କାର୍ଯ୍ୟର ଆଶ୍ରୟ ନେଇଥିଲେ। ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ଆଡଭାନ୍ସଡ୍ AI ସିଷ୍ଟମଗୁଡ଼ିକ ମିଛ କହିବା ଓ ଠକିବା ଭଳି ଆଚରଣ ଦେଖାଉଥିବା ପରୀକ୍ଷାରୁ ଜଣାପଡ଼ିଛି।