ଜେନେଭା: କରୋନା ମହାମାରୀ ପରେ ବିଶ୍ୱବାସୀଙ୍କ ପାଇଁ ପୁଣି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଆଫ୍ରିକୀୟ ଦେଶ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ ଏବଂ ୟୁଗାଣ୍ଡାରେ ଇବୋଲା ଭାଇରସ୍‌ର ଏକ ବିରଳ ଷ୍ଟ୍ରେନ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସ୍ଥିତିକୁ ଗମ୍ଭୀରତାର ସହ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରବିବାର ଏହାକୁ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ବା ଗ୍ଲୋବାଲ୍ ହେଲ୍ଥ ଏମରଜେନ୍ସି ଭାବେ ଘୋଷଣା କରିଛି। ତେବେ ଏହାକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ‘ମହାମାରୀ’ର ଆଖ୍ୟା ଦିଆଯାଇ ନାହିଁ।

ରହିଛି କିଛି ବଡ଼ ଚିନ୍ତା:

  କମ୍ ସମୟରେ ଅଧିକ ମୃତ୍ୟୁ: ଏହି ନୂଆ ଆଉଟ୍‌ବ୍ରେକ୍ ଯୋଗୁଁ ବର୍ତ୍ତମାନ ସୁଦ୍ଧା କଙ୍ଗୋର ୮୭ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଶତାଧିକ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି।

  ଭାଇରସ୍ ବିରଳ ଷ୍ଟ୍ରେନ୍: କଙ୍ଗୋ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ସଂକ୍ରମଣ ‘ବୁନ୍ଦିବୁଗ୍ୟୋ ଭାଇରସ୍’ ଯୋଗୁଁ ହେଉଛି। ଏହା ପୂର୍ବରୁ ଦେଖାଯାଉଥିବା ଜାୟାର ଷ୍ଟ୍ରେନ୍ ତୁଳନାରେ ଏକ ଭିନ୍ନ ଓ ବିରଳ ଭାରିଏଣ୍ଟ।

  ନାହିଁ କୌଣସି ଟିକା ବା ଚିକିତ୍ସା: ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ବର୍ତ୍ତମାନ ଉପଲବ୍ଧ ଥିବା ଇବୋଲା ଭ୍ୟାକ୍ସିନ୍ ଏହି ବୁନ୍ଦିବୁଗ୍ୟୋ ଷ୍ଟ୍ରେନ୍ ଉପରେ କାମ କରେ ନାହିଁ। ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣିତ ଚିକିତ୍ସା ବା ଆଣ୍ଟିଭାଇରାଲ୍ ଔଷଧ ନଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

ଖଣି ଅଞ୍ଚଳରୁ ବ୍ୟାପିଲା ସଂକ୍ରମଣ, ଆତଙ୍କିତ ଲୋକେ

ଆଫ୍ରିକା ସିଡିସିର ମହାନିର୍ଦ୍ଦେଶକ ଡାକ୍ତର ଜିନ୍ କାସେୟା କହିଛନ୍ତି ଯେ, ଏହି ସଂକ୍ରମଣ ପ୍ରଥମେ କଙ୍ଗୋର ‘ମୋଙ୍ଗୱାଲୁ’ ନାମକ ଏକ ବ୍ୟସ୍ତବହୁଳ ଖଣି ଅଞ୍ଚଳରୁ ଆରମ୍ଭ ହୋଇଥିଲା। ଏହାପରେ ରୋଗୀମାନେ ଚିକିତ୍ସା ପାଇଁ ବୁନିଆ ଏବଂ ରୱାମପାରା ସହରକୁ ଆସିବା ଯୋଗୁଁ ଏହା ତିନୋଟି ବଡ଼ ସ୍ୱାସ୍ଥ୍ୟ ଜୋନ୍‌କୁ ବ୍ୟାପିଯାଇଛି। ଇତୁରୀ ପ୍ରାନ୍ତର ରାଜଧାନୀ ବୁନିଆର ଜଣେ ବାସିନ୍ଦା ଜିନ୍ ମାର୍କ ଆସିମୱେ କହିଛନ୍ତି, "ଏଠାରେ ପ୍ରତିଦିନ ଲୋକେ ମରୁଛନ୍ତି, ଗୋଟିଏ ଗୋଟିଏ ଦିନରେ ୨ ରୁ ୩ ଟି ଶବଦାହ ହେଉଛି। ଲୋକେ ଆତଙ୍କିତ ଅଛନ୍ତି।"

ହିଂସା ଯୋଗୁଁ ବାଧାପ୍ରାପ୍ତ ହେଉଛି ଉଦ୍ଧାର କାର୍ଯ୍ୟ

କଙ୍ଗୋର ପୂର୍ବ ଅଞ୍ଚଳରେ ଇସଲାମିକ ଷ୍ଟେଟ୍ ସମର୍ଥିତ ଆତଙ୍କବାଦୀ ସଂଗଠନଗୁଡ଼ିକର ସକ୍ରିୟତା ଓ ହିଂସା ଯୋଗୁଁ ସ୍ୱାସ୍ଥ୍ୟ କର୍ମୀମାନେ ଠିକ୍ ଭାବେ କଣ୍ଟାକ୍ଟ ଟ୍ରେସିଂ ଏବଂ ରୋଗୀଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି, ଯାହା ସ୍ଥିତିକୁ ଆହୁରି ଜଟିଳ କରିଦେଇଛି।

ୟୁଗାଣ୍ଡାରେ ମଧ୍ୟ କଙ୍ଗୋରୁ ଫେରିଥିବା ଜଣେ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ହେବା ପରେ ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟରେ ସୀମାନ୍ତ ଯାଞ୍ଚ ଏବଂ ହାଇ-ଆଲର୍ଟ ଜାରି କରାଯାଇଛି। ୧୯୭୬ ମସିହାରେ ପ୍ରଥମ ଥର ଚିହ୍ନଟ ହେବା ପରେ କଙ୍ଗୋରେ ଏହା ହେଉଛି ୧୭ତମ ଇବୋଲା ଆଉଟ୍‌ବ୍ରେକ୍। ଇବୋଲା ଭାଇରସ୍ ମୁଖ୍ୟତଃ ରୋଗୀର ରକ୍ତ, ବାନ୍ତି ଏବଂ ଶରୀରର ଅନ୍ୟାନ୍ୟ ତରଳ ପଦାର୍ଥର ସିଧାସଳଖ ସଂସ୍ପର୍ଶରେ ଆସିଲେ ବ୍ୟାପିଥାଏ।