ଭୁବନେଶ୍ବର ୪।୭: ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ୪ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି ଏବଂ ଗୃହ ସଚିବ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ସରକାରଙ୍କ ଅଧିକାରୀ ମଧ୍ୟ ବୈଠକରେ ସାମିଲ ହେବେ । ଏଥିପାଇଁ ୮୭ ଜଣ ଅଫିସରଙ୍କୁ ନିୟୋଜିତ କଲେ ରାଜ୍ୟ ସରକାର ।

ଏହି ୧୫ତମ ଷ୍ଟାଣ୍ଡିଂ କମିଟି ବୈଠକରେ ମୁଖ୍ୟ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିବେ । ବୈଠକରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ମାନଙ୍କ ସମେତ ଗୃହ ସଚିବ ଓ ପୋଲିସ ଡିଜି ମାନେ ମଧ୍ୟ ଯୋଗ ଦେବେ ।

Also Read:- ଲଗାଣ ବର୍ଷାରେ ଖସିପଡିଲା ଛାତ ସିଲିଂ, ଅଳ୍ପକେ ବର୍ତ୍ତିଲେ ସରକାରୀ ଅଧିକାରୀ

ପରବର୍ତ୍ତୀ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକ ପାଇଁ ଏଜେଣ୍ଡା ନିର୍ଦ୍ଧାରଣ କରିବା ଓ ପୂର୍ବ ବୈଠକର ନିଷ୍ପତ୍ତି ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା ହେବ । ବୈଠକରେ ମୁଖ୍ୟତଃ ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାରେ ମାଓବାଦୀ କାର୍ଯ୍ୟକଳାପର ସମ୍ପୂର୍ଣ୍ଣ ମୂଳପୋଛ ଓ ମାଦକ ଦ୍ରବ୍ୟ ଚୋରାଚାଲାଣ ରୋକିବା ପାଇଁ ରାଷ୍ଟ୍ରୀୟ ନାର୍କୋଟିକ୍ସ ସମନ୍ୱୟ ପୋର୍ଟାଲର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ।

ଏହାସହିତ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ଓ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସୁଧାର ପାଇଁ ପ୍ରତି ୫ କି.ମି. ପରିଧି ମଧ୍ୟରେ ବ୍ୟାଙ୍କିଙ୍ଗ ଆଉଟଲେଟ୍ ଓ ଡ଼ାକଘର ପ୍ରତିଷ୍ଠା କରିବା ନିମନ୍ତେ ପ୍ରସ୍ତୁତ ହୋଇଥିବା ବ୍ଲୁ-ପ୍ରିଣ୍ଟ ଉପରେ ବିଚାରବିମର୍ଶ ହେବ । ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ସୀମା ବିବାଦ ଉପରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି ।