ଭୁବନେଶ୍ୱର, ୨୦/୦୮ : ଗତ ୧୨ ବର୍ଷ ଭିତରେ ୨ଟି ଭୂକମ୍ପ ଝଟକା ଓଡ଼ିଶାକୁ ଥରାଇ ଦେଇଥିଲା। ୨୦୧୪ ଓ ୨୦୨୫ର ଭୂକମ୍ପ କମ୍ପନ ଛାତିରେ ଛନକା ଭରି ଦେଇଥିଲା । ୟା'ଠାରୁ ବି ବଡ଼ ଧରଣର ଶକ୍ତିଶାଳୀ ଭୂମିକମ୍ପ ଆଗକୁ ଆସିପାରେ। ତୀବ୍ରତା ୬-୭ଟପିପାରେ। ବଙ୍ଗୋପସାଗର ଏମିତି କିଛି ସଙ୍କେତ ଦେଖାଇଲାଣି। ବର୍ଷ ବର୍ଷ ଧରି ସମୁଦ୍ର ଗର୍ଭରେ ଦବି ରହିଥିବା ଦୁର୍ବଳ ଭୂଖଣ୍ଡ ତଳୁ ଉଠିପାରେ କମ୍ପନର ଶକ୍ତିଶାଳୀ ବିସ୍ଫୋରଣ। ଦୋହଲାଇ ଦେଇପାରେ ଉପକୂଳ ଓଡ଼ିଶା ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳକୁ।

ଆଇଆଇଟି ଖଡ଼ଗପୁରର ଭୂତତ୍ତ୍ୱ ବିଜ୍ଞାନ ଗବେଷକ ଟିମର ସଦ୍ୟ ପ୍ରକାଶିତ ଗବେଷଣା ରିପୋର୍ଟରୁ ଯେଉଁ ତଥ୍ୟ ମିଳିଛି, ତାହା ଭୟାନକ ସଙ୍କେତ ଦେଖାଉଛି। ଶାନ୍ତ ବଙ୍ଗୋପସାଗର ଗର୍ଭ ଭିତରେ କିଛି ବଡ଼ ଧରଣର ହଲଚଲ୍ ଆରମ୍ଭ ହେଲାଣି। ଆଇଆଇଟି ଖଡ଼ଗପୁରର ଗବେଷକ ପ୍ରଫେସର ମହମ୍ମଦ ଶାହାବୁଦ୍ଦିନ, ପ୍ରିୟଙ୍କ ପାଠକ ଏବଂ ୱିଲିୟମ କୁମାର ମହାନ୍ତି ବଙ୍ଗୋପସାଗରରେ ଭୂକମ୍ପ ସମ୍ଭାବନାକୁ ନେଇ ବିସ୍ତୃତ ଗବେଷଣା କରିଛନ୍ତି ।

ଏହି ଗବେଷଣା ରିପୋର୍ଟରେ ଅନେକ ରୋଚକ ତଥ୍ୟ ପଦାକୁ ଆସିଛି। ଆଗାମୀଦିନରେ ବଙ୍ଗୋପସାଗର ଏକ ପ୍ରମୁଖ ଭୂକମ୍ପ ସମ୍ବେଦନଶୀଳ କ୍ଷେତ୍ର (ସେସମିକ ହଟସ୍ପଟ୍) ରୂପ ନେଇପାରେ। ଦୀର୍ଘ ବର୍ଷ ଧରି ସୁପ୍ତ ରହିଥିବା ପୁରୁଣା ଫାଟଗୁଡ଼ିକ ସକ୍ରିୟ ହେଉଛନ୍ତି। ଭୂ-ତାତ୍ତ୍ୱିକ ଓ ଟେକ୍ନୋନେଟ ପରିବର୍ତ୍ତନ ଭବିଷ୍ୟତରେ ବଡ଼ ବିପଦ ସୃଷ୍ଟି କରିପାରେ। ଶାନ୍ତ ମନେ କରାଯାଉଥିବା ବଙ୍ଗୋପସାଗରର ଆଭ୍ୟନ୍ତରୀଣ ସମୁଦ୍ର ଶଯ୍ୟାରେ କ୍ରମାଗତ ଭାବେ ଭୂ-ତାତ୍ତ୍ୱିକ ଚାପ ବଢୁଛି। ଗବେଷଣା ଅନୁସାରେ ଭାରତୀୟ ଭୂଖଣ୍ଡ ଉତ୍ତର-ପୂର୍ବ ଦିଗକୁ ଗତି କରୁଥିବାରୁ ସମୁଦ୍ର ତଳେ ଚାପ ସୃଷ୍ଟି ହେଉଛି। ବଙ୍ଗୋପସାଗର ଉପକୂଳ ତୁଳନାରେ ମଧ୍ୟବର୍ତ୍ତୀ ଅଞ୍ଚଳର ଭୂଖଣ୍ଡ ତଳେ ବିପଦ ବଢୁଛି। କାରଣ ତଟଠାରୁ ଦୂର ଗଭୀର ସମୁଦ୍ର ଅଞ୍ଚଳରେ ବି-ଭାଲୁ (୦.୭୨) ବହୁତ କମ୍ ରହୁଛି। ଭୂବିଜ୍ଞାନୀଙ୍କ ଅନୁସାରେ ବି-ଭାଲ୍ୟୁ କମ୍ ଅର୍ଥ ଗଭୀର ସମୁଦ୍ର ଭିତରେ ଥିବା ଭୂଖଣ୍ଡର ପୁରୁଣା ଫାଟଗୁଡ଼ିକ ଉପରେ ଅତ୍ୟଧିକ ଚାପ ରହୁଛି। କିନ୍ତୁ, ତାହା ମୁକ୍ତ ହୋଇପାରୁନି। ଖାଲି ସେତିକି ନୁହେଁ, ଗଙ୍ଗା, ବ୍ରହ୍ମପୁତ୍ର, ମହାନଦୀ ସମେତ ବିଭିନ୍ନ ନଦୀରୁ ପ୍ରଚୁର ମାତ୍ରାରେ ପଟୁ ମାଟି ବର୍ଷ ବର୍ଷ ଧରି ସମୁଦ୍ର ଭିତରେ ଜମାଟ ବାନ୍ଧିବାରେ ଲାଗିଛି। ସମୁଦ୍ର ଗର୍ଭସ୍ଥ ଭୂପୃଷ୍ଠରୁ ପ୍ରାୟ ୧୩ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବହଳ ପଟୁ ମାଟି ଜମାଟ ବସି ସାରିଲାଣି। ଭୂଖଣ୍ଡର ପୁରୁଣା ଫାଟକୁ ଏହା ଗଭୀର ପ୍ରଭାବ ପକାଉଛି। ଏସବୁ ଚାପ ଯେଉଁ ଫାଟ ଉପରେ ରହୁଛି, ତାହା ମୁକ୍ତ ହୋଇ ବାହାରୁନି। ଚାପ ଏତେ ବଢ଼ିଗଲାଣି ଯେ ଏହି ଦୁର୍ବଳ ଭୂଖଣ୍ଡରୁ କେବେ ବି ବଡ଼ ଧରଣର ହଲଚଲ ଆସିପାରେ। ଏହା ମଧ୍ୟମରୁ ବଡ଼ ଧରଣର ଭୂକମ୍ପ କରିପାରେ। ଯାହାକି ବଡ଼ ବିପଦ ସୃଷ୍ଟି କରିବା ନେଇ ବିଶେଷଜ୍ଞ ଆଶଙ୍କା କରୁଛନ୍ତି।

Also Read :-ଭାରି ପଡ଼ିଲା ଆନ୍ଦୋଳନ, ବାତିଲ ହେବ ଶତାଧିକ ଗାଡ଼ିର ପରମିଟ୍

୧୯୧୭ରୁ ୨୦୨୫ ମଧ୍ୟରେ ବଙ୍ଗୋପସାଗରରେ ୧୨୩ଟି ଭୂକମ୍ପ ଆସିଥିବା ରେକର୍ଡ କରାଯାଇଛି। ଏଠାରେ ମନେ ପକାଇ ଦେଉ ଯେ ୨୦୧୪ ପୂର୍ବରୁ ଭୂକମ୍ପ ଡର କେବେ ଓଡ଼ିଶାରେ ଅନୁଭୂତ ହୋଇନଥିଲା । ମେ' ୨୧, ୨୦୧୪ । ରାତି ୯ଟା ୫୧। ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଓଡ଼ିଶା। ଅନେକ ଲୋକେ ଜୀବନ ବିକଳରେ ଧାଁ ଧପଡ଼ କଲେ। ଘର ବାଲକୋନି, ପାଚେରି ଡେଇଁ କିଛି ଆହତ ବି ହେଲେ। ଭୂମିକମ୍ପର ଏତେ ଶକ୍ତିଶାଳୀ କମ୍ପନ ଓଡ଼ିଶାବାସୀ କେବେ ଅନୁଭବ କରିନଥିଲେ। ବଙ୍ଗୋପସାଗରରେ ଉତ୍ପନ୍ନ ହୋଇଥିଲା ଏହି ଭୂକମ୍ପ। ପାରାଦୀପରୁ ଦୂରତା ଥିଲା ୨୭୫ କିଲୋମିଟର। ତୀବ୍ରତା ଥିଲା ୬। କେବଳ ଓଡ଼ିଶା ନୁହେଁ, ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ସହ ଚେନ୍ନାଇ, ଦିଲ୍ଲୀ ଯାଏ କମ୍ପନ ଅନୁଭୂତ ହୋଇଥିଲା । ପ୍ରଥମ ଥର ପାଇଁ ଭୂକମ୍ପ ଝଟକାରେ ଡରିଗଲେ ଓଡ଼ିଶାବାସୀ।

ଗତବର୍ଷ ଫେବ୍ରୁଆରୀ ୨୫ ତାରିଖ ସକାଳ ୬ଟା ୧୦ରେ ଭୂକମ୍ପ ଝଟକା ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରରେ ନିଦ ଭାଙ୍ଗି ଦେଲା । ଏଥର ବି ଭୂକମ୍ପ କେନ୍ଦ୍ର ଥିଲା ବଙ୍ଗୋପସାଗର। ତୀବ୍ରତା ଥିଲା ୫.୩। ଭୂକମ୍ପ କେନ୍ଦ୍ରର ଦୂରତା ଭୁବନେଶ୍ୱରରୁ ମାତ୍ର ୨୫୭ କିମି ଥିଲା। ବିଶେଷଜ୍ଞଙ୍କ ମତ, ଏହାକୁ ସାଧାରଣ କଥା ଭାବେ ନେବା ଠିକ୍ ହେବନି। ଏହା ସମ୍ଭାବ୍ୟ ବଡ଼ ବିପତ୍ତିର ସତର୍କ ଘଣ୍ଟି। ଯଦି ଭୂକମ୍ପ ତୀବ୍ରତା ସାମାନ୍ୟ ଅଧିକ ହୋଇଥାଆନ୍ତା କିମ୍ବା ଉପକୂଳର ଆହୁରି ନିକଟବର୍ତ୍ତୀ ହୋଇ ଥାଆନ୍ତା, ତେବେ ବ୍ୟାପକ କ୍ଷତି ସହିବାକୁ ପଡ଼ି ଥାଆନ୍ତା। ପୂର୍ବରୁ କରାଯାଇଥିବା କେତେକ ଅଧ୍ୟୟନ ଦର୍ଶାଇଥିଲା ଯେ କେନ୍ଦ୍ରୀୟ ଓ ପଶ୍ଚିମ ବଙ୍ଗୋପସାଗରରେ ଭୂକମ୍ପ ହେଲେ ବି ସୁନାମି ସମ୍ଭାବନା କମ୍। ମାତ୍ର ନୂଆ ଗବେଷଣା ଅନୁସାରେ, ଏ ଅଞ୍ଚଳରେ ସୁନାମି ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇନପାରେ। ଓଡ଼ିଶା ସମେତ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ସମ୍ପୂର୍ଣ୍ଣ ସୁନାମି ବିପଦମୁକ୍ତ ନୁହନ୍ତି।

ସାଧାରଣତଃ ଓଡ଼ିଶା ମଧ୍ୟମ ଓ ସ୍ବଳ୍ପ ଭୂକମ୍ପ ପ୍ରବଣ ଅଞ୍ଚଳ ଭାବେ ତାଲିକାଭୁକ୍ତ। କିନ୍ତୁ, ବଙ୍ଗୋପସାଗର ଭୂଗର୍ଭରେ କମ୍ପନ ହେଲେ ଓଡ଼ିଶାକୁ ବିପଦ ବେଶି। ବାଲେଶ୍ୱରରୁ ଗଞ୍ଜାମ ପର୍ଯ୍ୟନ୍ତ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକୁ ଭୂକମ୍ପ ବିପଦ ଅଧିକ। ଓଡ଼ିଶା ଉପକୂଳ ଓ ମହାନଦୀ ଶଯ୍ୟା ଅଞ୍ଚଳର ମାଟି ନରମ ରହୁଥିବାରୁ ଭୂକମ୍ପ କମ୍ପନ ତୀବ୍ରତାକୁ ବହୁଗୁଣିତ କରିବାର ଆଶଙ୍କା ରହିଛି। ପାରାଦୀପ, ଧାମରା, ଗୋପାଳପୁର ପରି ବନ୍ଦର ଅଞ୍ଚଳ ଏଥିରେ ପ୍ରଭାବିତ ହୋଇପାରେ। ତେଣୁ ଉପକୂଳବର୍ତ୍ତୀ ଅଞ୍ଚଳରେ କୋଠାବାଡ଼ି ନିର୍ମାଣବେଳେ ଭୂକମ୍ପକୁ ସହିଲା ଭଳି ସଶକ୍ତ ନିର୍ମାଣ କରିବାକୁ ହେବ। ଉପକୂଳ ଓଡ଼ିଶାରେ ଉଚ୍ଚ ଅଟ୍ଟାଳିକା ସଂଖ୍ୟା ବଢ଼ୁ ଥିବାବେଳେ ଏ ଦିଗରେ ଚିନ୍ତନ କରିବାକୁ ପଡ଼ିବ।