ଦୁବାଇ: ଦୁବାଇ କ୍ରାଉନ ପ୍ରିନ୍ସ ଶେଖ୍ ହମଦାନ ବିନ ମୋହମ୍ମଦ ବିନ ରାସିଦ ଅଲ-ମକତୁମ ଭାରତୀୟ ପାଇଲଟ ତଥା ଫ୍ଲାଏ ଦୁବାଇ ହିରୋ ସ୍ମିତ୍ ମଚ୍ଛରଙ୍କୁ ଶନିବାର ହସ୍ପିଟାଲରେ ଭେଟିଛନ୍ତି। ମଚ୍ଛରଙ୍କ ଚିକିତ୍ସା ଏବେ ଦୁବାଇ ହସ୍ପିଟାଲରେ ଚାଲିଛି। ଉଡାଣ କାଳରେ କୋ-ପାଇଲଟ ତାଙ୍କ ଉପରେ ଆକ୍ରମଣ କରିଥିଲା। ଗୁରୁତର ଆହତ ସତ୍ତ୍ୱେ କକପିଟ୍ ଦ୍ୱାର ଖୋଲିବା ଓ ୧୭୨ ଯାତ୍ରୀ ଏବଂ ଚାଳକ ଦଳ ସଦସ୍ୟଙ୍କ ଜୀବନ ବଞ୍ଚାଇବା ଯୋଗୁ ସାରା ବିଶ୍ୱରେ ଏହି ପାଇଲଟଙ୍କର ଏବେ ଉଚ୍ଚ ପ୍ରଶଂସା ହେଉଛି।

ପାଇଲଟଙ୍କ ତାରିଫ କଲେ ପ୍ରିନ୍ସ
ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ଭେଟିବା ପରେ ଦୁବାଇ ପ୍ରିନ୍ସ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ‘ଆମର ଓ ଦେଶର ନେତୃତ୍ୱଙ୍କ ପକ୍ଷରୁ ତାଙ୍କୁ ଆମର ପୁରା ପ୍ରଶଂସା ଓ ତାରିଫ ମିଳୁଛି। ସେ ଆମ ଟିମ୍ ର ଅଂଶବିଶେଷ ଏଣୁ ଆମେ ଗର୍ବିତ, ସେ ଆମ ଦେଶର କାହାଣୀ ଅଂଶବିଶେଷ ଓ ସେହି କଥାର ମଧ୍ୟ ଅଂଶବିଶେଷ ଯେଉଁଥି ପାଇଁ ୟୁଏଇ ଛିଡା ହୋଇଛି। ୟୁଏଇ ଦୟା, ଶାନ୍ତି ଓ ଜୀବନର ଦେଶ’।

ସୁସ୍ଥ ହେଉଛନ୍ତି ସ୍ମିତ ମଚ୍ଛର
ତାଙ୍କର ଓମନୀ କୋ-ପାଇଲଟ ପ୍ଲେନ କକପିଟ୍ ରେ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ଉପରେ କୁରାଢୀରେ ଆକ୍ରମଣ କରିଥିଲା। କକପିଟ୍ ରେ ଦୁଇ ପାଇଲଟ ହାତାହାତୀ ହେଉଥିବା ବେଳେ ପ୍ଲେନ ତଳକୁ ଖସିବାକୁ ଲାଗିଥିଲା। ସେ ଭାବିଲେ ଯାତ୍ରୀଙ୍କୁ ବଞ୍ଚାଇବାକୁ ହେଲେ ମୋତେ କିଛି କରିବାକୁ ପଡିବ। ଏଣୁ କ୍ୟାପ୍ଟେନ ମଚ୍ଛର ଦ୍ୱାର ଖୋଲିଦେଇଥିଲେ ଓ ଗୁରୁତର ଆହତ ହୋଇଥିଲେ ବି ଯାତ୍ରୀଙ୍କୁ ଆକ୍ରମଣ ସମ୍ପର୍କରେ ସତର୍କ କରିଥିଲେ। ଅନ୍ୟ ଯାତ୍ରୀମାନେ ଆକ୍ରମଣକାରୀକୁ କାବୁ କରିଥିଲେ ଓ ବିମାନରେ ଯାତ୍ରା କରୁଥିବା ଅଫ ଡ୍ୟୁଟି ପାଇଲଟଙ୍କ ଦ୍ୱାରା ପ୍ଲେନକୁ ଲ୍ୟାଣ୍ଡ କରାଇଥିଲେ। ଫ୍ଲାଏ ଦୁବାଇର ୧୭୪ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଏହି ସାହାସୀ ପାଇଲଟଙ୍କ ଚିକିତ୍ସା ଆବୁଧାବୀର ଏକ ହସ୍ପିଟାଲରେ ହେଉଛି ଓ ସେ ସୁସ୍ଥ ହେଉଛନ୍ତି।