ଚଣ୍ଡିଗଡ,୯|୦୧ : କଥାରେ ଅଛି ଭାଗ୍ୟ କେତେବେଳେ ବି ଫିଟିପାରେ । ଅର୍ଥାତ ରାତାରାତି କୋଟିପତି ପାଲଟିଯାଏ ଗରିବ । ହଠାର ଖୋଲିଯାଏ ଭାଗ୍ୟ । କିଛି ଏପରି ଘଟଛି ଜଣେ ଡ୍ରାଇଭରଙ୍କ ଜୀବନରେ । ସେ ଜିତିଛନ୍ତି ୧୦କୋଟି ଟଙ୍କାର ଲଟେରି । ଯାହା ଏବେ ତାଙ୍କ ପରିବାରରେ ଖୁସି ଆଣିଦେଇଛି ।

ସୂଚନାନୁସାରେ, ହରିୟାଣା ସିରସାର ବାସିନ୍ଦା ପୃଥ୍ୱୀ ସିଂହ ନାମକ ଜଣେ ବ୍ୟକ୍ତି ୧୦ କୋଟି ଟଙ୍କାର ଲଟେରି ଜିତିଛନ୍ତି । ସିଂହ ପେସାରେ ଜଣେ ଡ୍ରାଇଭର । ସେପଞ୍ଜାବ ଲୋହରି ମକର ସଂକ୍ରାନ୍ତି ୨୦୨୬ ବମ୍ପର ଲଟେରିରେ ପ୍ରଥମ ପୁରସ୍କାର ଜିତିବାରେ ସଫଳ ହୋଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ପୃଥ୍ୱୀଙ୍କ ଘରେ ଏବେ ଉତ୍ସବର ମାହୋଲ । ପରିବାର ଲୋକେ ବ୍ୟାଣ୍ଡ ବାଜାର ତାଳେ ତାଳେ ନୋଟ୍ର ମାଳା ପିନ୍ଧାଇ ତାଙ୍କୁ ସ୍ୱାଗତ କରିଛନ୍ତି ।

ପୃଥ୍ୱୀ ସିଂହ ସିରସା ଜିଲ୍ଲା ମହମ୍ମଦପୁରିଆ ଗାଁର ବାସିନ୍ଦା । ତାଙ୍କ ପରିବାରରେ ପତ୍ନୀ ସୁମନ,ଝିଅ ରିତିକା,ପୁଅ ଦକ୍ଷ ଅଛନ୍ତି । ପୃଥ୍ୱୀ ଶ୍ରମିକ ଭାବେ କାମ କରି ଗୁଜୁରାଣ ମେଣ୍ଟାନ୍ତି । ଏଥିସହ ସମୟ ସମୟରେ ଡ୍ରାଇଭର ଭାବେ କାମ କରିଥାନ୍ତି । ପୃଥ୍ୱୀଙ୍କ ଅନୁସାରେ,ନିକଟରେ ସେ ଜଣେ ସ୍ଥାନୀୟ ବିକ୍ରେତାଙ୍କଠାରୁ ୩ଟି ଲଟେରି ଟିକଟ କିଣିଥିଲେ । ସେଗୁଡ଼ିକର ମୂଲ୍ୟ ଯଥାକ୍ରମେ ୫୦୦,୨୦୦ ଏବଂ ୧୦୦ ଟଙ୍କା ଥିଲା । ସେଥିମଧ୍ୟରୁ ୫୦୦ ଟଙ୍କିଆ ଟିକଟର ଲଟେରି ଉଠିଛି । ୩୦ ପ୍ରତିଶତ ଟିକସ ଆକାରରେ କଟିଯିବା ପରେ ବାକି ୭ କୋଟି ଟଙ୍କା ସିଧା ତାଙ୍କ ଆକାଉଣ୍ଟକୁ ଆସିବ । ସେହି ଅର୍ଥରେ ସେ ନିଜର ବ୍ୟବସାୟ ଆରମ୍ଭ କରିବେ ବୋଲି ପ୍ରକାଶ କରିଛନ୍ତି । ଏହାପୂର୍ବରୁ ପୃଥ୍ୱୀ ଆଉଥରେ ବି ଲଟେରି ଟିକଟ କିଣିଥିଲେ । କିନ୍ତୁ ସେଥର ଭାଗ୍ୟଦେବୀ ତାଙ୍କ ଉପରେ ପ୍ରସନ୍ନ ହୋଇନଥିଲେ ।