ନୂଆଦିଲ୍ଲୀ: ସାଧାରଣତଃ ସମସ୍ତଙ୍କ ଘରେ ରେଫ୍ରିଜେରେଟର ଥିବା । ଆମେ ଏହାକୁ ଫ୍ରିଜ୍‌ ବୋଲି ମଧ୍ୟ କହିଥାଉ । ଫଳ, ପନିପରିବା, ମାଂସ ଆଦି ତାଜା ରଖିବାକୁ ଏହାର ବ୍ୟବହାର କରାଯାଏ । ସେହିଭଳି ମଣିଷ ଗରମରୁ ରକ୍ଷା ପାଇବାକୁ ଫ୍ୟାନ ଏବଂ ଏସିର ବ୍ୟବହାର କରେ । କିନ୍ତୁ ଏବେ ସମୟ ବଦଳିଛି , ଆଉ ତାସହ ତାଳ ଦେଇ ବଦଳୁଛି ପ୍ରଯୁକ୍ତିବିଦ୍ୟା । ଏ​‌ବେ ମଣିଷ ପାଇଁ ବଜାରକୁ ଆସିଲାଣି ଫ୍ରିଜ୍‌ । ଏହା ଭିତରେ ମାତ୍ର ୫ ମିନିଟ୍‌ ବସିଗଲେ ଜ​‌ଣେ ଲୋକ ଆରାମ ଅନୁଭବ କରିବ । ବାହାରେ ଯେତେ ଗରମ ହେଉଥାଉ ନା କାହିଁକି, ମଣିଷ ଫ୍ରିଜ୍‌ରେ ବସିଗଲେ ସବୁ କଷ୍ଟ ଲାଘବ ହୋଇଯିବ । ସବୁଠାରୁ ବଡ଼ କଥା ହେଉଛି, ଏସି ଠାରୁ ଅଧା ବିଜୁଳୀ ଖର୍ଚ୍ଚରେ ଏହି ଫ୍ରିଜ୍‌ ଭଲ ଥଣ୍ଡା ଦେବ ।   

କ'ଣ ଏହି 'ମଣିଷ ଫ୍ରିଜ୍' ବା 'ଡୋ ହିମୋନ୍ ବକ୍ସ' ?
ଜାପାନର ପ୍ରସିଦ୍ଧ ରେଫ୍ରିଜରେସନ୍ ଏବଂ ଭେଣ୍ଡିଂ ମେସିନ୍ ନିର୍ମାତା କମ୍ପାନୀ SDRS ଦ୍ୱାରା ଏହି ସ୍ୱତନ୍ତ୍ର ବୁଥ୍ ପ୍ରସ୍ତୁତ କରାଯାଇଛି, ଯାହାର ନାମ 'ଡୋ ହିମୋନ୍ ବକ୍ସ' (Do Hiemon Box) ରଖାଯାଇଛି। ଜାପାନରେ ପ୍ରତି ସ୍ଥାନରେ ଦେଖାଯାଉଥିବା କୋଲ୍ଡ ଭେଣ୍ଡିଂ ମେସିନ୍ (ଥଣ୍ଡା ପାନୀୟ ବାହାରୁଥିବା ମେସିନ୍) ରୁ ଅନୁପ୍ରାଣିତ ହୋଇ ଏହାକୁ ତିଆରି କରାଯାଇଛି। ଏହା ଦେଖିବାକୁ ପୂରା ଏକ ଫ୍ରିଜ୍ ଭଳି ଏବଂ ଏହା ଭିତରେ ଜଣେ ମଣିଷ ଆରାମରେ ବସିବା ପାଇଁ ଏକ ଚେୟାର୍ ବା ଚୌକିର ବ୍ୟବସ୍ଥା ରହିଛି। ପ୍ରବଳ ଗରମରୁ ତତ୍କାଳ ମୁକ୍ତି ପାଇବା ପାଇଁ ଏହା ଏବେ ଟୋକିଓ ସହରରେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି।

ଏହା କିପରି କାମ କରେ ?
ଏହି ବୁଥ୍‌ର କାର୍ଯ୍ୟଶୈଳୀ ଅତ୍ୟନ୍ତ ଆଧୁନିକ ଏବଂ ଆରାମଦାୟକ । ଏହି ବକ୍ସ ଭିତରେ ସାଧାରଣ ତାପମାତ୍ରା ପୂର୍ବରୁ ହିଁ ୧୫ ଡିଗ୍ରୀ ସେଲସିୟସରେ ସ୍ଥିର ହୋଇ ରହିଥାଏ।  ଯେତେବେଳେ ଜଣେ ବ୍ୟକ୍ତି ଏହି ବୁଥ୍ ଭିତରକୁ ଯାଇ ଚୌକିରେ ବସନ୍ତି, ସେହି ସମୟରେ ତାର ମୁଣ୍ଡ, ବେକ, କାନ୍ଧ ଏବଂ ପିଠିକୁ ୫ ଡିଗ୍ରୀ ସେଲସିୟସର ଅତି ଥଣ୍ଡା ପବନ ବହିବା ଆରମ୍ଭ ହୁଏ। କମ୍ପାନୀର ଦାବି ଅନୁଯାୟୀ, ବୁଥ୍ ଭିତରେ ବସିବାର ମାତ୍ର ୫ ମିନିଟ୍ ମଧ୍ୟରେ ଶରୀର ଥଣ୍ଡା ଅନୁଭବ କରେ। ଯଦି ଜଣେ ବ୍ୟକ୍ତି ଏହା ଭିତରେ ୧୦ ମିନିଟ୍ ସମୟ ବିତାଇ ଦିଅନ୍ତି, ତେବେ ତାଙ୍କ ଶରୀରର ଉଚ୍ଚ ତାପମାତ୍ରା ସ୍ୱାଭାବିକ ସ୍ତରକୁ ଚାଲିଆସେ, ଯାହାଦ୍ୱାରା 'ହୀଟ୍ ଷ୍ଟ୍ରୋକ୍' ବା ଅଂଶୁଘାତ ଜନିତ ସମସ୍ୟାରୁ ରକ୍ଷା ମିଳିଥାଏ।

ବୈଶିଷ୍ଟ୍ୟ ଏବଂ ଉପଯୋଗିତା
ସାଧାରଣ ଏୟାର କଣ୍ଡିସନର (AC) ତୁଳନାରେ ଏହି 'ଡୋ ହିମୋନ୍ ବକ୍ସ'ରେ କିଛି ସ୍ୱତନ୍ତ୍ର ସୁବିଧା ରହିଛି ।  ଏହା ଏକ ସାଧାରଣ ଏସି ତୁଳନାରେ ପ୍ରାୟ ଅଧା ବିଦ୍ୟୁତ ବ୍ୟବହାର କରିଥାଏ, ଯାହାଫଳରେ ଏହା ପରିବେଶ ଅନୁକୂଳ । ଏଥିରେ ତିନୋଟି ଏୟାର-ଫ୍ଲୋ ଏବଂ କୁଲିଂ ସେଟିଂ ରହିଛି। ଅତ୍ୟଧିକ ଥଣ୍ଡା ଯୋଗୁଁ ଯେପରି ଶରୀର ଉପରେ କୌଣସି ଖରାପ ପ୍ରଭାବ ନପଡ଼ିବ, ସେଥିପାଇଁ ୨୦ ମିନିଟ୍ ପରେ ଏହା ସ୍ୱୟଂଚାଳିତ ଭାବେ ବନ୍ଦ ହୋଇଯାଏ।
ଏହି ବୁଥ୍ ତଳେ ଚକ ବା ହୁଇଲ୍ସ ଲାଗିଥିବାରୁ ଏହାକୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇପାରିବ ଏବଂ ଏଥିପାଇଁ କୌଣସି ପାଇପ୍ କିମ୍ବା ବାହ୍ୟ ଇନଷ୍ଟଲେସନର ଆବଶ୍ୟକତା ନାହିଁ।

କେଉଁଠି ହେବ ବ୍ୟବହାର?
ଏହି ଟେକ୍ନୋଲୋଜି ବିଶେଷ କରି ସେହି ସ୍ଥାନଗୁଡ଼ିକ ପାଇଁ ବହୁତ ଲାଭଦାୟକ, ଯେଉଁଠି ଲୋକଙ୍କୁ ଲଗାତାର ପ୍ରବଳ ଗରମରେ କାମ କରିବାକୁ ପଡ଼ିଥାଏ। ଉଦାହରଣ ସ୍ୱରୂପ, ବଡ଼ ବଡ଼ ନିର୍ମାଣ ସ୍ଥଳ କିମ୍ବା ବାହାରେ ଖରାରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀମାନେ ଏହା ଭିତରେ କିଛି ସମୟ ବସି ନିଜ କ୍ଲାନ୍ତି ଦୂର କରିପାରିବେ। ତେବେ ଜାପାନରେ ଲୋକପ୍ରିୟତା ପାଇଥିବା ଏହି ଫ୍ରିଜର ଦାମ ଭାରତୀୟ ମୁଦ୍ରାରେ ପ୍ରାୟ ୯ ଲକ୍ଷ ଟଙ୍କା । ବର୍ତ୍ତମାନ ଏହାକୁ ବଡ଼ ସଂସ୍ଥାମାନଙ୍କ ପାଇଁ ତିଆରି କରାଯାଉଛି । ପାଣିପାଗର ପରିବର୍ତ୍ତନ ହେତୁ, ଏବେ ଜପାନରେ ତାପାମତ୍ରା ୪୦ ଡିଗ୍ରି ଛୁଇଁଲାଣି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦେଶରେ ୪୮ ଜଣ ଲୋକଙ୍କ ଜୀବନ ଯାଇଛି । ଏଭଳି ସ୍ଥିତିରେ ଏହି ଫ୍ରିଜ୍‌ ଜୀବନ ବଞ୍ଚାଇବାରେ ସହାୟକ ହୋଇଛି ।