ଚେନ୍ନାଇ: ତାମିଲନାଡୁରେ ତମିଲଗା ୱେଟ୍ରି କଜଗମ (ଟିଭିକେ) ନେତୃତ୍ୱାଧୀନ ବିଜୟ ସରକାର ୧୨ ଅଗଷ୍ଟ ବୁଧବାର କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ପରିସୀମନ ବିଧେୟକ ବିରୋଧରେ ଏକ ପ୍ରସ୍ତାବ ଗୃହୀତ କରିଛି, ଯାହାକୁ ଏବେ ବିରୋଧୀ ଦଳ ଡିଏମକେ ସମର୍ଥନ କରିଛି। ‘ଦି ଟେଲିଗ୍ରାଫ’ର ଏକ ରିପୋର୍ଟରୁ ଏହା ଜଣାପଡିଛି। ମୁଖ୍ୟମନ୍ତ୍ରୀ ସି.ଜୋସେଫ ବିଜୟଙ୍କ ସରକାରଙ୍କ ଦ୍ୱାରା ଅଣାଯାଇଥିବା ପ୍ରସ୍ତାବକୁ ଡିଏମକେର ସମର୍ଥନ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଭାବେ ଦେଖା ଯାଉଛି। ଏହା କେନ୍ଦ୍ରର ଏନଡିଏ ମେଣ୍ଟ ଲାଗି ଏକ ଝଟକା ସାବ୍ୟସ୍ତ ହଇଛି।

ବିଧାନସଭାରେ ପ୍ରସ୍ତାବ ଲାଗି ଡିଏମକେର ସମର୍ଥନ ଏପରି ସମୟରେ ମିଳିଛି ଯେତେବେଳେ କେନ୍ଦ୍ର ସରକାର ପରିସୀମନ ବିଧେୟକକୁ ପୁଣି ଆଗକୁ ବଢେଇବାକୁ ଯୋଜନା କରୁଛନ୍ତି। ତାମିଲନାଡୁ ବିଧାନସଭା ଦ୍ୱାରା ଗୃହୀତ ସ୍ୱତନ୍ତ୍ର ପ୍ରସ୍ତାବରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରରେ ଲୋକସଭା ସିଟ୍ ର ମୋଟ ସଂଖ୍ୟା ଏବେକା ୫୪୩ରେ ସ୍ଥିର ରଖିବା ଓ ଲୋକସଭା-ରାଜ୍ୟସଭା ବର୍ତ୍ତମାନ ସିଟ୍ ଅନୁପାତ ୨୨:୧ରେ କାୟମ ରଖିବାକୁ ଆଗ୍ରହ କରାଯାଇଛି। ତାମିଲନାଡୁ ସରକାରଙ୍କ ଏହି ପ୍ରସ୍ତାବରେ ୨୦୨୯ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଏବେକା ୫୪୩ ସିଟ୍ ଆଧାରରେ ମହିଳାଙ୍କ ନିମନ୍ତେ ୩୩% କୋଟା ଲାଗୁ କରିବାକୁ ଦାବି କରାଯାଇଛି।

ପ୍ରସ୍ତାବରେ କୁହାଯାଇଛି ଯେ ରାଜ୍ୟଙ୍କ ଲାଗି ଲୋକସଭାରେ ଆବଣ୍ଟିତ ସିଟ୍ ର ଏବେକା ସଂଖ୍ୟାକୁ ସ୍ଥାୟୀ ରୂପେ ଯଥାବତ ରଖାଯାଉ, ଅର୍ଥାତ ରାଜ୍ୟଙ୍କ ମଧ୍ୟରେ ଆନୁପାତିକ ବିତରଣ କରାଯିବ। ଏଥିରେ ଏହା ବି କୁହାଯାଇଛି ଯେ ଏହି ନିୟମ ବିଧାନସଭା ନିର୍ବାଚନରେ ମଧ୍ୟ ଲାଗୁ ହେବା ଆବଶ୍ୟକ। ତାମିଲନାଡୁ ବିଧାନସଭାରେ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ୍ କହିଛନ୍ତି ଯେ ଡିଏମକେ ଏହି ପ୍ରସ୍ତାବକୁ ସମର୍ଥନ କରୁଛି। ଉଦୟନିଧି କହିଛନ୍ତି ଯେ ଡିଏମକେ ସର୍ବ ପ୍ରଥମେ ଏହି କଥା ଆଡକୁ ଇସାରା କରିଥିଲା ଯେ ଯଦି ଏବେକା ଜନଗଣନା ଅନୁସାରେ ପରିସୀମନ କରାଗଲା ତେବେ କେତେବଡ଼ ବିପଦ ହେବ।

ଡିଏମକେରଏହି ପ୍ରସ୍ତାବ ଟିଭିକେ ସହ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ମଧ୍ୟରେ ଆସିଛି। କିଛିଦିନ ପୂର୍ବରୁ ଟିଭିକେ ସରକାର ବିରୋଧୀ ଦଳ ନେତା ଉଦନିଧିଙ୍କୁ ଆପତ୍ତିଜନକ ଟିପ୍ପଣୀ ଅଭିଯୋଗରେ ଗିରଫ କରିଥିଲେ। ଏହା ପରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଥିଲା। ଅଗଷ୍ଟ ୮ ତାରିଖରେ ଟିଭିକେ ଡକାଇଥିବା ତାମିଲନାଡୁ ସାଂସଦଙ୍କ ବୈଠକକୁ ମଧ୍ୟ ଡିଏମକେ ବହିଷ୍କାର କରିଥିଲା। ଗତ ଏପ୍ରିଲ ମାସରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ସମ୍ବିଧାନ ସଂଶୋଧନ ବିଧେୟକ ଗୃହୀତ କରିବାରେ ବିଫଳ ହୋଇଥିଲେ। ୧୨ ବର୍ଷର ମୋଦି ସରକାରରେ ଏହା ପ୍ରଥମ ଥର ହୋଇଥିଲା। ମିଳିତ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ସାମ୍ବିଧାନିକ ସଂଶୋଧନ ବିଧେୟକକୁ ଭୋଟରେ ହରାଇ ଦେଇଥିଲେ, ଯେଉଁଥିରେ ମହିଳାଙ୍କ ଲାଗି ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ପାଇଁ ଲୋକସଭା ଆଶନ ସଂଖ୍ୟା ବଢାଇ ୮୫୦ କରିବାକୁ ପ୍ରସ୍ତାବ ଥିଲା।