କଟକ: ଆଇସିଏଆର–କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ (ICAR-CRRI), କଟକରେ "ଧାନ-ଆଧାରିତ ଫସଲ ପ୍ରଣାଳୀରେ ମୃତ୍ତିକା ଉର୍ବରତା ଓ ଫସଲ ଉତ୍ପାଦନ ବୃଦ୍ଧି ପାଇଁ ଫସଫୋଜିପସମକୁ ବହୁ-ପୋଷକ ଉତ୍ସ ଭାବେ ଉପଯୋଗ" ଶୀର୍ଷକ ପ୍ରକଳ୍ପ ଅଧୀନରେ ଇଫକୋର ମାନ୍ୟବର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ଜେ. ପଟେଲଙ୍କ ଉପସ୍ଥିତିରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ଉଦ୍ଦେଶ୍ୟ ଥିଲା କୃଷିରେ ଫସଫୋଜିପସମର ବୈଜ୍ଞାନିକ ଉପଯୋଗିତା ଉପରେ ଆଲୋଚନା କରିବା ସହ ଆଇସିଏଆର-ସିଆରଆରଆଇ ଓ ଇଫକୋ ମଧ୍ୟରେ ସହଯୋଗାତ୍ମକ ଗବେଷଣାକୁ ସୁଦୃଢ଼ କରିବା।

କାର୍ଯ୍ୟକ୍ରମରେ ଆଇସିଏଆର-ସିଆରଆରଆଇର ନିର୍ଦ୍ଦେଶକ ଡ. ଜି. ଏ. କେ. କୁମାର ଅଧ୍ୟକ୍ଷତା କରିଥିଲେ। ସେ ମାନ୍ୟବର ଅତିଥି ଶ୍ରୀ କେ. ଜେ. ପଟେଲ, ଶ୍ରୀ ପି. କେ. ମହାପାତ୍ର, ବରିଷ୍ଠ ମହାପ୍ରବନ୍ଧକ ଓ ୟୁନିଟ୍ ମୁଖ୍ୟ, ଇଫକୋ, ପାରାଦୀପ, ଏବଂ ଡ. ସୌମିକ ମଣ୍ଡଳ, ରାଜ୍ୟ ବିପଣନ ପ୍ରବନ୍ଧକ, ଇଫକୋ, ଓଡ଼ିଶାଙ୍କୁ ସ୍ୱାଗତ କରିଥିଲେ। ଏହି ବୈଠକରେ ଆଇସିଏଆର-ସିଆରଆରଆଇର ବୈଜ୍ଞାନିକ, ଗବେଷଣା କର୍ମଚାରୀ ଏବଂ ଇଫକୋର ଅଧିକାରୀମାନେ ଯୋଗଦେଇଥିଲେ।

ବୈଷୟିକ ଅଧିବେଶନରେ ଡ. ପ୍ରତାପ ଭଟ୍ଟାଚାର୍ଯ୍ୟ, ମୁଖ୍ୟ, ଫସଲ ଉତ୍ପାଦନ ବିଭାଗ, ଫସଫୋଜିପସମର ଉତ୍ପତ୍ତି, ଦେଶରେ ଏହାର ବାର୍ଷିକ ଉତ୍ପାଦନ, ବର୍ତ୍ତମାନର ସଂରକ୍ଷଣ ସମସ୍ୟା ଏବଂ କୃଷିରେ ଏହାର ସମ୍ଭାବ୍ୟ ବ୍ୟବହାର ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ। ସେ ଫସଫୋଜିପସମର ଭୌତିକ ଓ ରାସାୟନିକ ଗୁଣାବଳୀ ସହ ଆଇସିଏଆର-ସିଆରଆରଆଇ ଓ ଇଫକୋର ମିଳିତ ଉଦ୍ୟମରେ ଏହାର କୃଷି ଉପଯୋଗିତା ଉପରେ ଚାଲିଥିବା ଗବେଷଣା ବିଷୟରେ ଆଲୋକପାତ କରିଥିଲେ। ଏହା ସହ ସେ ସିଆରଆରଆଇର ଐତିହ୍ୟ, ଗବେଷଣା ସଫଳତା ଓ ବିଭିନ୍ନ କାର୍ଯ୍ୟକଳାପ ବିଷୟରେ ମଧ୍ୟ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ।

ଅତିଥି ଅଭିଭାଷଣରେ ଶ୍ରୀ କେ. ଜେ. ପଟେଲ ଇଫକୋର କୃଷକକୈନ୍ଦ୍ରିକ କାର୍ଯ୍ୟକ୍ରମ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିବା ସହ ଆଇସିଏଆର ସହ ଦୀର୍ଘଦିନର ସହଯୋଗ, ବିଶେଷକରି ନାନୋ ସାର ବିକାଶରେ ସଫଳ ମିଳିତ ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଫସଫୋଜିପସମର ବୈଜ୍ଞାନିକ ଉପଯୋଗ ଏକ ବୃହତ ପରିବେଶଗତ ସମସ୍ୟାର ସମାଧାନ ସହିତ ଭାରତୀୟ କୃଷି ପାଇଁ ଏକ ମୂଲ୍ୟବାନ ସମ୍ପଦରେ ପରିଣତ ହୋଇପାରିବ।

ଅଧ୍ୟକ୍ଷୀୟ ଅଭିଭାଷଣରେ ଡ. ଜି. ଏ. କେ. କୁମାର, ନିର୍ଦ୍ଦେଶକ, ଆଇସିଏଆର-ସିଆରଆରଆଇ, ଆଇସିଏଆର-ସିଆରଆରଆଇ ଓ ଇଫକୋ ମଧ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରି ସ୍ଥାୟୀ ପୋଷକ ତତ୍ତ୍ୱ ପରିଚାଳନା ପ୍ରଯୁକ୍ତି ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ EcoLime+ ର ଭବିଷ୍ୟତ ସମ୍ଭାବନା ସମ୍ପର୍କରେ ମଧ୍ୟ ଆଲୋଚନା କରିବା ସହ ଏହି ସହଯୋଗ ମୃତ୍ତିକା ସ୍ୱାସ୍ଥ୍ୟର ଉନ୍ନତି, ଫସଲ ଉତ୍ପାଦନ ବୃଦ୍ଧି ଏବଂ କୃଷକଙ୍କ କଲ୍ୟାଣରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ।

ଶେଷରେ ଡ. ରୁବିନା ଖାନମ, ବୈଜ୍ଞାନିକ, ଫସଲ ଉତ୍ପାଦନ ବିଭାଗ, ଆଇସିଏଆର-ସିଆରଆରଆଇ, ବୈଠକର ପ୍ରମୁଖ ଆଲୋଚନା ବିଷୟଗୁଡ଼ିକର ସାରାଂଶ ଉପସ୍ଥାପନ କରି ସମସ୍ତ ଅତିଥି, ବୈଜ୍ଞାନିକ, ଇଫକୋର ଅଧିକାରୀ ଏବଂ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କୃଷିରେ ଫସଫୋଜିପସମର ସ୍ଥାୟୀ ଓ ବୈଜ୍ଞାନିକ ଉପଯୋଗ ପାଇଁ ଉଭୟ ସଂସ୍ଥାର ମିଳିତ ପ୍ରୟାସକୁ ପ୍ରଶଂସା କରି ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ।