ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ ହିନ୍ଦୋଳ ରୋଡ଼ ସ୍ଥିତ ‘ଜୟ ମହାବୀର ଷ୍ଟୋନ କ୍ରସର’ରେ ଜଣେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଜି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ମୃତ ଶ୍ରମିକ ଜଣକ ମୁଳିସିଂହ ଗ୍ରାମର ଯଦୁମଣି ପଟ୍ଟନାୟକ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କ୍ରସରରେ ବିଦ୍ୟୁତ ଆଘାତରେ ଯଦୁମଣିଙ୍କର ମୃତ୍ୟୁ ଘଟିଥିଲା । ତେବେ ଉକ୍ତ ଷ୍ଟୋନ କ୍ରସରଟି ବେଆଇନ ଭାବେ ଚାଲୁଥିବାରୁ, ଘଟଣାକୁ ଚାପିଦେବା ପାଇଁ କ୍ରସର ମାଲିକ ମୃତଦେହକୁ ଗାଏବ କରିଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । ପରିବାର ପକ୍ଷରୁ ମୃତଦେହ ହସ୍ତାନ୍ତର ପାଇଁ ଜିଦ୍ ଧରାଯାଇଥିଲା । ‘ନ୍ୟୁଜ୭’ରେ ଏହି ଖବର ପ୍ରସାରିତ ହେବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୋଲିସର ତତ୍ପରତା ଦେଖି ବାଧ୍ୟହୋଇ କ୍ରସର ମାଲିକ ମୃତଦେହକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଏବଂ କ୍ରସର ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା । ଗ୍ରାମବାସୀ ଓ ପରିବାର ଲୋକେ ୫୫ ନମ୍ବର ଜାତୀୟ ରାଜପଥର ସିମିନଈଠାରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ଯୋଗୁଁ ଜାତୀୟ ରାଜପଥ-୫୫ରେ ସାଧାରଣ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିବା ସହ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା ।

ଘଟଣା ସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ଓ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ପରିବାର ପକ୍ଷରୁ ଦାବି କରାଯାଇଥିବା ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କ୍ରସର ମାଲିକ ପ୍ରତିଶ୍ରୁତି ଦେବା ପରେ, ଗ୍ରାମବାସୀମାନେ ରାସ୍ତା ଅବରୋଧରୁ ହଟିଥିଲେ ।