• ଲଣ୍ଡନ ସଡ଼କରେ ଚାଲୁଥିବା ବାହନଙ୍କ ଏଭରେଜ ସ୍ପିଡ୍ ଘଣ୍ଟା ପ୍ରତି ୧୬.୫ କିଲୋମିଟର
  • ଯଦି ଏଥିରେ ଦିଲ୍ଲୀକୁ ତୁଳନା କରାଯାଏ ତେବେ ଏଠାରେ ବାହନଙ୍କ ଘଣ୍ଟାପ୍ରତି ବେଗ ୨୫ କିଲୋମିଟର
  • ବିଶ୍ୱର ବଡ଼ ଦେଶଙ୍କ କଥା କୁହାଯାଏ ଆମ ରାଜଧାନୀ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ଆସୁଛି
  • ନ୍ୟୁୟର୍କରେ ଲୋକେ ଟ୍ରାଫିକରେ ଫଶିବା ଯୋଗୁ ବାର୍ଷିକ ୧୨୫ ଘଣ୍ଟା ନଷ୍ଟ କରୁଥିବା ବେଳେ ଲଣ୍ଡନରେ ଏହା ୧୬୫ ଘଣ୍ଟା

ନୂଆଦିଲ୍ଲୀ: ଲଣ୍ଡନ ଓ ନ୍ୟୁୟର୍କ ଠୁ ବି ଦ୍ରୁତ ଟ୍ରାଫିକ ନୂଆଦିଲ୍ଲୀର। ହୁଏତ ଏହା ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ଏକ ଅଧ୍ୟୟନ ଏହା ସ୍ପଷ୍ଟ କରିଦେଇଛି। ହୁଏତ ଦିଲ୍ଲୀ ସଡକରେ ଚାଲୁଥିବା ଲୋକଙ୍କୁ ଏହା ଲାଗିପାରେ ଯେ ସେମାନଙ୍କ ଜୀବନର ଅନେକ ଘଣ୍ଟା ଟ୍ରାଫିକ ଜାମରେ କଟି ଯାଉଛି, ହେଲେ ଅଧ୍ୟୟନରୁ ଦିଲ୍ଲୀ ଟ୍ରାଫିକ ପରିସ୍ଥିତି ଆମେରିକା ଓ ବ୍ରିଟେନର ବଡ଼ ସହରାଞ୍ଚଳ ତୁଳନାରେ ବେଶ୍ ଭଲ। କେବଳ ଆମେରିକା କି ବ୍ରିଟେନ ନୁହେଁ ଆମ ଦେଶର ବଡ଼ ସହରାଞ୍ଚଳର ଟ୍ରାଫିକ ଠାରୁ ମଧ୍ୟ ଦିଲ୍ଲୀ ଟ୍ରାଫିକ୍ ବେଶ୍ ଭଲ ବୋଲି ଏହି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି।

ଅଧ୍ୟୟନ କୁହେ ଲଣ୍ଡନ ସଡ଼କରେ ଚାଲୁଥିବା ବାହନଙ୍କ ଏଭରେଜ ସ୍ପିଡ୍ ଘଣ୍ଟା ପ୍ରତି ୧୬.୫ କିଲୋମିଟର। ନ୍ୟୁୟର୍କରେ ଏହି ବେଗ ପ୍ରତି ଘଣ୍ଟା ୧୯ କିଲୋମିଟର। ଏହି ଦୁଇ ସହରଙ୍କ ସହ ଯଦି ଦିଲ୍ଲୀକୁ ତୁଳନା କରାଯାଏ ତେବେ ଏଠାରେ ବାହନଙ୍କ ଘଣ୍ଟାପ୍ରତି ବେଗ ୨୫ କିଲୋମିଟର । ଏଥିରେ ଯଦି ବିଶ୍ୱର ବଡ଼ ଦେଶଙ୍କ କଥା କୁହାଯାଏ ଆମ ରାଜଧାନୀ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ଆସୁଛି। କାରଣ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ସହରର ଟ୍ରାଫିକ ପ୍ରଥମ ସ୍ଥାନରେ ରହିଛି। ଏଠାରେ ବାହନଙ୍କ ଘଣ୍ଟାପ୍ରତି ବେଗ ୨୬ କିଲୋମିଟର।

ଯଦି ଆମେ ଭାବୁଥାଏ ଆମ ଜୀବନର ଅଧିକାଂଶ ସମୟ ଟ୍ରାଫିକ ଜାମରେ ବିତି ଯାଉଛି ତେବେ ଏଥିରେ କୌଣସି ଭୁଲ ନାହିଁ। କାରଣ ପୁରା ବର୍ଷର କଥା କହିଲେ ଦିଲ୍ଲୀବାସୀଙ୍କର ୧୦୪ ଘଣ୍ଟା ଟ୍ରାଫିକରେ ନଷ୍ଟ ହେଉଛି। ଯଦି ଏହି ଘଣ୍ଟାକୁ ଦିନରେ ବଦଳାଇ ଦିଆଯାଏ ତେବେ ପ୍ରତି ବ୍ୟକ୍ତି ବାର୍ଷିକ ୪ ଦିନ ରେଡ ସିଗ୍ନାଲ ଓ ଟ୍ରାଫିକରେ ଗାଡ଼ି ଗଡ଼େଇ ଗଡ଼େଇ କଟେଇ ଦେଉଛନ୍ତି। ହେଲେ ଲଣ୍ଡନ ଓ ନ୍ୟୁୟର୍କ ସହରଠାରୁ ଏହା ନିଶ୍ଚିତ ଭଲ। ନ୍ୟୁୟର୍କରେ ଲୋକେ ଟ୍ରାଫିକରେ ଫଶିବା ଯୋଗୁ ବାର୍ଷିକ ୧୨୫ ଘଣ୍ଟା ନଷ୍ଟ କରୁଥିବା ବେଳେ ଲଣ୍ଡନରେ ଏହା ୧୬୫ ଘଣ୍ଟା।

ତେବେ କେବଳ ଲଣ୍ଡନ କି ଦିଲ୍ଲୀ ନୁହେଁ ଭାରତର ଅନ୍ୟ ବଡ଼ ସହରାଞ୍ଚଳ ଟ୍ରାଫିକ ତୁଳନାରେ ଦିଲ୍ଲୀ ଟ୍ରାଫିକ ଅନେକ ଗୁଣାରେ ଭଲ। ଭାରତରେ ଦିଲ୍ଲୀ ବ୍ୟତୀତ ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ମଧ୍ୟ ଲୋକେ ଟ୍ରାଫିକ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମୁମ୍ବାଇ ସହରର ସଡକମାନଙ୍କରେ ଚାଲୁଥିବା ବାହନଙ୍କ ଏଭରେଜ ବେଗ ଘଣ୍ଟାପ୍ରତି ୨୦.୮ କିଲୋମିଟର ରହୁଥିବା ବେଳେ ବେଙ୍ଗାଲୁରୁ ସଡ଼କରେ ଗାଡ଼ିମାନଙ୍କ ବେଗ ୧୬.୬ କିଲୋମିଟର, ଯାହା ଲଣ୍ଡନ ଓ ନ୍ୟୁୟର୍କ ସଡକ ସହ ସମାନ। ଏଣୁ ଭାରତୀୟ ସଡକ ଓ ଟ୍ରାଫିକ ବ୍ୟବସ୍ଥା ଅନୁସାରେ ଦେଖିଲେ ଦିଲ୍ଲୀ ଟ୍ରାଫିକ ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦଠୁ ବି ଭଲ।

କିଛି ସମୟ ପୂର୍ବରୁ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ ଦିଲ୍ଲୀ ଟ୍ରାଫିକକୁ ନେଇ କମେଣ୍ଟ କରିଥିଲେ। ହେଲେ ସେତେବେଳେ ସେ ଭୁଲି ଯାଇଥିଲେ ତାଙ୍କ ଦେଶର ରାଜଧାନୀରେ ବାହନ ୧୫ ମିନିଟ୍ ରେ ମାତ୍ର ୪ କିଲୋମିଟର ଯାଇ ପାରୁଛନ୍ତି। ହେଲେ ଏହି ସମୟରେ ଦିଲ୍ଲୀ ସଡକରେ ବାହନ ସାଢେ ୭ କିଲୋମିଟର ଦୂରତା ଅତିକ୍ରମ କରି ଯାଉଛନ୍ତି।