ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ କାକ୍ରୋଚ୍ ଜନତା ପାର୍ଟି ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରାଙ୍କା ଓ ରତ୍ନା ସିଂହଙ୍କୁ ନୋଟିସ୍ ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଜଣେ ମହିଳାଙ୍କ ବିକୃତ ଏବଂ ଆପତ୍ତିଜନକ ଫଟୋ ପ୍ରସାରଣ କରିବା ମାମଲାରେ ଏହି ନୋଟିସ୍ ଦିଆଯାଇଛି । ହାଇକୋର୍ଟ ମେଟାକୁ ନିର୍ଦ୍ଦେଶ ଦେଇ ଅବିଳମ୍ବରେ ସେହି ସବୁ ଫଟୋକୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଇବାକୁ କହିଛନ୍ତି ।

ଜଷ୍ଟିସ୍ ଗିରୀଶ କାଠପାଲିଆ କହିଛନ୍ତି ଯେ ଏହା ଏକ ଅସାଧାରଣ ସ୍ଥିତି, ଯେଉଁଥିରେ ମାମଲା କେବଳ ଜଣେ ମହିଳାଙ୍କର ନୁହେଁ, ବରଂ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟ । ସେ କହିଛନ୍ତି ଯେ ଯଦି ଦିଲ୍ଲୀ ପୋଲିସ ଏହି ମାମଲାରେ ସମ୍ବେଦନଶୀଳ ନୁହେଁ, ତେବେ ଅଦାଲତ ଏହା ନିଶ୍ଚିତ କରିବେ ଯେ ପୋଲିସ ସମ୍ବେଦନଶୀଳ ହେଉ ।

ମହିଳାଙ୍କ ଆବେଦନରେ ସିଜେପି ନେତାମାନଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର 'ଡିପଫେକ୍ ଆଶ୍ଲୀଳ ଫଟୋ' ପ୍ରସାରଣ କରିଥିବା ଅଭିଯୋଗ ହୋଇଛି । ଆବେଦନରେ କିଛି ଫେକ୍ ଏବଂ ଡିପଫେକ୍ ଫଟୋକୁ ହଟାଇବାକୁ ଦାବି କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ସହ ମହିଳାଙ୍କ ଚେହେରାକୁ ବିକୃତ କରି ଆପତ୍ତିଜନକ ଭାବେ ପୋଷ୍ଟ କରାଯାଇଥିଲା ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୪ରେ ହେବ । ହାଇକୋର୍ଟ ପୋଲିସକୁ ପୀଡ଼ିତା ମହିଳାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମହିଳା ଜଣକ କୋର୍ଟଙ୍କୁ କହିଥିଲେ ଯେ ତାଙ୍କୁ ଜୀବନରୁ ମାରିଦେବାର ଧମକ ମିଳୁଛି ।

ଆବେଦନରେ କ'ଣ ସବୁ ଅଭିଯୋଗ ରହିଛି ?

ଆବେଦନରେ କୁହାଯାଇଛି, "ଦିଲ୍ଲୀର ଜନ୍ତର-ମନ୍ତରଠାରେ ଆୟୋଜିତ ସିଜେପି ବିକ୍ଷୋଭ ସମୟରେ ସିଜେପି ନେତାମାନେ ଆବେଦନକାରୀଙ୍କ ବ୍ୟକ୍ତିଗତ ଫଟୋକୁ ବେଆଇନ ଭାବେ ହାସଲ କରିଥିଲେ । ଏହାପରେ ଏଆଇ-ଆଧାରିତ ଫେସ୍-ସ୍ୱାପିଂ ଟୁଲ୍ ବ୍ୟବହାର କରି ତାଙ୍କ ଚେହେରାକୁ ପ୍ରଧାନମନ୍ତ୍ରୀଙ୍କ ସହ ଏକ ଅତ୍ୟନ୍ତ ଅଶ୍ଳୀଳ ଏବଂ ଆପତ୍ତିଜନକ ଫଟୋରେ ଯୋଡ଼ି ବିକୃତ କରିଥିଲେ ।"