ନୂଆଦିଲ୍ଲୀ: ଦିଲ୍ଲୀର ରେଖା ଗୁପ୍ତା ସରକାର ଆଶା କର୍ମୀଙ୍କ ଭତ୍ତା ବୃଦ୍ଧି କରିଛନ୍ତି । ଆଶା କର୍ମୀଙ୍କ ପ୍ରୋତ୍ସାହନ ଭତ୍ତାରେ ଐତିହାସିକ ବୃଦ୍ଧି ଘୋଷଣା ହୋଇଛି । ପ୍ରାୟ ୬,୬୯୦ ଜଣ ଆଶା କର୍ମୀଙ୍କ ପ୍ରୋତ୍ସାହନ ଭତ୍ତା ୩,୦୦୦ ଟଙ୍କାରୁ ବୃଦ୍ଧି କରାଯାଇ ୬,୦୦୦ ଟଙ୍କା କରାଯାଇଛି ।

ଦିଲ୍ଲୀ ଉପରାଜ୍ୟପାଳ ତରନଜୀତ ସିଂହ ସନ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ତ୍ୟାଗରାଜ ଷ୍ଟାଡିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି । 'ସେବା ସଂକଳ୍ପ ଅଭିଯାନ' ଅଧୀନରେ ରାଜ୍ୟ ସ୍ତରୀୟ 'ଆଶା ସମ୍ମିଳନୀ-୨୦୨୬ ଏବଂ ଆଶା ସମ୍ମାନ ସମାରୋହ'ର ଭବ୍ୟ ଆୟୋଜନ କରାଯାଇଥିଲା । ଏଥିରେ ଆଶା କର୍ମୀଙ୍କ ପ୍ରୋତ୍ସାହନ ଭତ୍ତା ବୃଦ୍ଧି ନେଇ ଘୋଷଣା କରାଯାଇଛି । ପ୍ରାୟ ୬,୬୯୦ ଜଣ ଆଶା କର୍ମୀଙ୍କ ପ୍ରୋତ୍ସାହନ ଭତ୍ତା ୩,୦୦୦ ଟଙ୍କାରୁ ବୃଦ୍ଧି କରାଯାଇ ୬,୦୦୦ ଟଙ୍କା କରାଯାଇଛି।

କାର୍ଯ୍ୟକ୍ରମରେ ଉପରାଜ୍ୟପାଳ ତରନଜୀତ ସିଂହ ସନ୍ଧୁ କହିଛନ୍ତି ଯେ, ସୁସ୍ଥ ନାଗରିକ ହିଁ ବିକଶିତ ଦିଲ୍ଲୀର ମୂଳଦୁଆ । ଆଶା କର୍ମୀମାନେ ଗର୍ଭବତୀ ମହିଳା, ଶିଶୁ ଏବଂ ପରିବାର ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ଓ ସଚେତନତା ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ସେମାନଙ୍କର ମାସିକ ମାନଦେୟକୁ ୩,୦୦୦ ଟଙ୍କାରୁ ୬,୦୦୦ ଟଙ୍କାକୁ ବୃଦ୍ଧି କରିବା ସେମାନଙ୍କ ଅବଦାନ ଏବଂ ସମର୍ପଣ ପ୍ରତି ସମ୍ମାନର ପ୍ରତୀକ ।

କାର୍ଯ୍ୟକ୍ରମରେ ମିଶନ ଅନମୋଲର ସଂପ୍ରସାରଣର ଶୁଭାରମ୍ଭ ହୋଇଛି । ଏହି ଯୋଜନା ଅଧିନରେ ନବଜାତ ଶିଶୁଙ୍କ ଗମ୍ଭୀର ରୋଗର ସଠିକ୍ ସମୟରେ ଚିହ୍ନଟ କରାଯିବ । ଏଥିପାଇଁ ଯାଞ୍ଚ, ସଠିକ୍ ସମୟରେ ରୋଗ ଚିହ୍ନଟ ଏବଂ ଚିକିତ୍ସା ବ୍ୟବସ୍ଥାକୁ ମଜଭୁତ କରାଯାଇଛି । ପିଲା ଜନ୍ମର ୨୪ରୁ ୭୨ ଘଣ୍ଟା ଭିତରେ ୬୩ ରୋଗର ଯାଞ୍ଚ କରାଯିବ । ଏହାଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟାକୁ ପ୍ରଥମରୁ ଚିହ୍ନଟ କରି ତାର ପ୍ରଭାବକୁ କମ କରାଯାଇପାରିବ । ଦିଲ୍ଲୀ ସରକାର ପ୍ରତ୍ୟେକ ବର୍ଷ ସ୍ୱାସ୍ଥ୍ୟ ପରୀକ୍ଷାର ପରିଧିକୁ ୧.୫ ଲକ୍ଷରୁ ବଢାଇ ୨.୫ ଲକ୍ଷ ନବଜାତ ଶିଶୁ କରିବାକୁ ଘୋଷଣା କରିଛନ୍ତି ।