‘କର ବା ମର’ ମୁକାବିଲାରେ ଦିଲ୍ଲୀର ବିଜୟ, ହ୍ୟାଟ୍ରିକ ପରାଜୟ ସହ ମୁସ୍କିଲରେ ଲକ୍ଷ୍ନୌ

Published By : Prameya-News7 Bureau | May 15, 2024 IST

aajtak

ନୂଆଦିଲ୍ଲୀ:  ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରି ଦିଲ୍ଲୀ କ୍ୟାପିଟାଲ୍ସ ନିଜ ପାଇଁ ଥିବା କର ବା ମର ମୁକାବିଲାରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୧୯ ରନରେ ହରାଇଛି। ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ଲିଗ୍‌ ପର୍ଯ୍ୟାୟ ଅଭିଯାନ ଶେଷ କରିଛି।  ପଏଣ୍ଟ ଟେବୁଲରେ ଦଳ ୧୪ ଅଙ୍କ ସହ ପଞ୍ଚମ ସ୍ଥାନରେ ପହଞ୍ଚିଛି। ଦଳକୁ ପ୍ଲେ ଅଫ୍‌ରେ ପହଞ୍ଚିବାକୁ ହେଲେ ସନରାଇଜର୍ସ ହାଇଦ୍ରାବାଦ, ଚେନ୍ନାଇ ସୁପର କିଙ୍ଗ୍ସ ଓ ଲକ୍ଷ୍ନୌ ଦଳର ପରାଜୟର ପ୍ରାର୍ଥନା କରିବାକୁ ପଡ଼ିବ।  ତଥାପି ଦିଲ୍ଲୀକୁ ପ୍ଲେ ଅଫ୍‌ରେ ପହଞ୍ଚିବା ମୁସ୍କିଲ। କାରଣ ଦଳର ନେଟ୍ ରନ ରେଟ୍ ବିଯୁକ୍ତ ୦.୩୭୭ ରହିଛି। ଅନ୍ୟପଟେ ଲକ୍ଷ୍ନୌ ଲଗାତାର ୩ଟି ମ୍ୟାଚ୍‌ ହାରିବା ନିଜର ଗଣିତକୁ ପୁରା ବିଗାଡ଼ି ଦେଇଛି। ଏହି କାରଣରୁ ଦଳ ନିଜର ଶେଷ ମ୍ୟାଚ୍ ଜିତିଲେ ବି ପ୍ଲେ ଅଫ୍‌ରେ ପ୍ରବେଶ କରିବା ମୁସ୍କିଲ। ଏହାର କାରଣ ଦଳର ନେଟ୍ ରନ ରେଟ୍ ବିଯୁକ୍ତ ୦.୭୮୭ ରହିଛି।

Also read: ଟି-୨୦ ବିଶ୍ୱକପ: ଦ୍ୱିତୀୟ ସେମିଫାଇନାଲ୍ ପାଇଁ ରହିବ ନାହିଁ ରିଜର୍ଭ ଡେ’, ମିଳିବ ୨୫୦ ମିନିଟ୍‌ର ଏକ୍ସଟ୍ରା ଟାଇମ୍

ଆଜି ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଅଭିଷେକ  ପୋରେଲଙ୍କ ୫୮ ରନ ଓ ଟ୍ରିଷ୍ଟନ ଟବ୍ସଙ୍କ ଅପରାଜିତ ୫୭ ରନର ଧୂଆଁଧାର ଇନିଂସ ବଳରେ ୪ ଓ୍ଵିକେଟ୍ ହରାଇ ୨୦୮ ରନ କରିଥିଲା। ଜବାବରେ ନିକୋଲାସ ପୂରନଙ୍କ ୬୧ ରନ ଓ ଅର୍ଶଦ ଖାନଙ୍କ ଲଢୁଆ ଅପରାଜିତ ୫୮ ରନ ବଳରେ ଲକ୍ଷ୍ନୌ ୯ ଓ୍ଵିକେଟ୍ ହରାଇ ୧୮୯ ରନ କରି ପାରିଛି। ଦିଲ୍ଲୀ ପକ୍ଷରୁ ବୋଲିଂରେ ଇଶାନ୍ତ ଶର୍ମା ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି। 

୨୦୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଲକ୍ଷ୍ନୌର ଆରମ୍ଭ ନୈରାଶ୍ୟଜନକ ଥିଲା।  ଆରମ୍ଭରୁ ଅଧିନାୟକ କେଏଲ ରାହୁଲ(୫), କ୍ଵିଣ୍ଟନ ଡିକକ୍‌(୧୨) , ମାର୍କସ ଷ୍ଟୋଇନିସ(୫) ଓ ଦୀପକ ହୁଡ୍ଡା(୦)ଙ୍କ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଇଶାନ୍ତ ଶର୍ମା ୩ଟି ଓ୍ଵିକେଟ୍ ନେଇ ଲକ୍ଷ୍ନୌକୁ ବ୍ୟାକଫୁଟ୍‌କୁ ଠେଲିଥିଲେ। ଏହା ପରେ ମଧ୍ୟକ୍ରମରେ ନିକୋଲାସ ପୂରନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ଅର୍ଦ୍ଧଶତକ ହାସଲ କରି ଦଳର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ସେ ମାତ୍ର ୨୭ ବଲ୍‌ରୁ ୬ ଚୌକା ଓ ୪ ଛକା ସହ ୬୧ ରନ କରିଥିଲେ। 

ଶେଷ ଆଡ଼କୁ ଅର୍ଶଦ ଖାନ ଦମଦାର ବ୍ୟାଟିଂ କରିଥିଲେ ହେଁ ତାଙ୍କୁ ଅନ୍ୟ ବ୍ୟାଟରଙ୍କଠୁ ସମର୍ଥନ ମିଳି ନ ଥିଲା। କୃଣାଲ ପାଣ୍ଡ୍ୟା ୧୮ ରନ କରି ଆଉଟ୍ ହୋଇଥିଲେ। ଅର୍ଶଦ ଅର୍ଦ୍ଧଶତକୀୟ ଇନିଂସ ଖେଳି ଶେଷ ପର୍ଯ୍ୟନ୍ତ କ୍ରିଜରେ ଥିଲେ। ସେ ୩୩ ବଲରୁ ୩ ଚୌକା ୫ ଛକା ଜରିଆରେ ୫୮ ରନ କରିବାରୁ ଲକ୍ଷ୍ନୌ ଶେଷ ପର୍ଯ୍ୟନ୍ତ ଲଢି ୯ ଓ୍ଵିକେଟ୍ ହରାଇ ୧୮୯ ରନ କରି ପାରିଛି। 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.