ଟିମ୍‌ ଇଣ୍ଡିଆର ଦିଗ୍ଗଜ ପ୍ଲେୟର; ୨ଟି ଓ୍ବାନଡେ ପରେ କ୍ୟାରିୟର ଶେଷ, ଏବେ ବ୍ୟାଙ୍କରେ କରୁଛନ୍ତି ଚାକିରୀ

Published By : Prameya-News7 Bureau | August 31, 2024 IST

ନୂଆଦିଲ୍ଲୀ ୩୧।୦୮: ଭାରତୀୟ କ୍ରିକେଟ ସବୁଠାରୁ ବଡ ଏବଂ ଧନୀ । ଟିମ୍‌ ଇଣ୍ଡିଆ କ୍ରିକେଟର ଲଗଜୁରୀ ଲାଇଫ୍‌ ଷ୍ଟାଇଲ୍‌ ପାଇଁ ବିଶ୍ବରେ ପରିଚିତ । ଦେଶରେ ଜଣେ କି ୨ଜଣ ନୁହଁନ୍ତି ବରଂ ଅନେକ ପ୍ଲେୟରଙ୍କ ସମ୍ପତ୍ତି କୋଟିକୋଟି । ଟିମ୍‌ ଇଣ୍ଡିଆ କ୍ରିକେଟର ନାମୀଦାମୀ କାରରେ ବୁଲୁଥିବା ଆସିଥାନ୍ତି ନଜର । 

କିନ୍ତୁ ଭାରତୀୟ ଟିମ୍‌ରେ ଏପରି ଜଣେ କ୍ରିକେଟର ଅଛନ୍ତି ଯିଏକି ସ୍କୁଟର ଚଲାଇବା ପାଇଁ ମଧ୍ୟ ଡ୍ରାଇଭର ରଖନ୍ତି । ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । କିନ୍ତୁ ଏହା ସତ । ଏହି କ୍ରିକେଟରଙ୍କ ବିଷୟରେ ପ୍ରାୟ ବହୁତ କମ୍‌ କ୍ରିକେଟପ୍ରେମୀ ଜାଣିଥିବେ । କାରଣ ସେ ଭାରତ ପାଇଁ କେବଳ ୨ଟି ଓ୍ବାନଡେ ମ୍ୟାଚ୍‌ ଖେଳିଛନ୍ତି । କିନ୍ତୁ ସେ ଡୋମେଷ୍ଟିକ୍‌ କ୍ରିକେଟରେ ଦମ୍‌ଦାର୍‌ ଅଲରାଉଣ୍ଡର ଥିଲେ ।  ଏବେ କ୍ରିକେଟ ଦୁନିଆ ତାଙ୍କୁ ଭୁଲି ଯାଇଛି । ସେ ଏବେ ବ୍ୟାଙ୍କରେ ଚାକିରୀ କରି ପେଟ ପୋଷୁଛନ୍ତି । 

ଟିମ୍‌ ଇଣ୍ଡିଆର ପୂର୍ବ କ୍ରିକେଟର ଜ୍ଞାନେନ୍ଦ୍ର ପାଣ୍ଡେ । ଜ୍ଞାନେନ୍ଦ୍ରଙ୍କୁ ବହୁତ କମ୍‌ ଲୋକ ଜାଣନ୍ତି ।

କିନ୍ତୁ ଭାରତୀୟ ଘରୋଇ କ୍ରିକେଟର ତାଙ୍କର ରହିଛି ଏକ ବଡ ନାଁ । ଜ୍ଞାନେନ୍ଦ୍ର ପାଣ୍ଡେ ଟିମ୍‌ ଇଣ୍ଡିଆର ଅଂଶ ରହିସାରିଛନ୍ତି । ଜ୍ଞାନେନ୍ଦ୍ର ପାଣ୍ଡେ ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ ପରି ପ୍ଲେୟରଙ୍କ ସହ କ୍ରିକେଟ ଖେଳିଛନ୍ତି । ଜ୍ଞାନେନ୍ଦ୍ର ପାଣ୍ଡେ ସେହି ପ୍ଲେୟର ଯିଏକି ସ୍କୁଟର ଚଲାଇବାକୁ ମଧ୍ୟ ଡ୍ରାଇଭର ରଖିଥିଲେ । 

ବାସ୍ତବରେ ଜ୍ଞାନେନ୍ଦ୍ରଙ୍କୁ ଗାଡି ଚଲାଇବା ଜଣା ନଥିଲା । ଯେଉଁ କାରଣରୁ ତାଙ୍କୁ ଡ୍ରାଇଭର ରଖିବାକୁ ପଡୁଥିଲା । ଜ୍ଞାନେନ୍ଦ୍ର ପାଣ୍ଡେ ମାତ୍ର ୨ଟି ଓ୍ବାନଡେ ମ୍ୟାଚ୍‌ରେ ଭାରତ ପାଇଁ କରିଥିଲେ ପ୍ରତିନିଧିତ୍ବ । ଏହାପରେ ତାଙ୍କର ଟିମ୍‌ ଇଣ୍ଡିଆରୁ ହୋଇଥିଲା ଛୁଟି । ଉତ୍ତରପ୍ରଦେଶ ଲକ୍ଷ୍ନୌରେ ରହୁଥିବା ଜ୍ଞାନେନ୍ଦ୍ର ପାଣ୍ଡେ ୧୯୯୯ ମାର୍ଚ୍ଚ ମାସରେ ଭାରତ ପାଇଁ କରିଥିଲେ ଡେବ୍ୟୁ । ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ପେପ୍ସି କପ ତ୍ରିକୋଣୀୟ ସିରିଜରେ ତାଙ୍କୁ ଟିମ୍‌ରେ କରାଯାଇଥିଲା ସାମିଲ । 

ସେ ଅନ୍ତରାଷ୍ଟ୍ରୀୟ କ୍ୟାରିୟରର ଦ୍ବିତୀୟ ଏବଂ ଶେଷ ମୁକାବିଲା ୧ ଅପ୍ରେଲ୍‌ ୧୯୯୯ରେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ । ଅର୍ଥାତ୍‌ ଜ୍ଞାନେନ୍ଦ୍ର ପାଣ୍ଡେଙ୍କ କ୍ୟାରିୟର ୧୦ ଦିନ ବି ତିଷ୍ଠିନଥିଲା । ଏହାପରେ ସେ ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇନଥିଲେ । ୨ଟି ମ୍ୟାଚ୍‌ରେ ସେ ବ୍ୟାଟିଙ୍ଗ କରି ମାତ୍ର ୪ ରନ୍‌ ସଂଗ୍ରହ କରିଥିଲେ ।  ଏହି ପ୍ରଦର୍ଶନ ପରେ ସେ ଟିମ୍‌କୁ ଆଉ ଫେରିପାରିନଥିଲେ ।

ଟିମ୍‌ ଇଣ୍ଡିଆରୁ ବାହାର ହେବା ପରେ ସେ ଉତ୍ତରପ୍ରଦେଶ ପାଇଁ ଘରୋଇ କ୍ରିକେଟ ଖେଳିବା ଜାରି ରଖିଥିଲେ । ସେ ପାଖାପାଖି ୬ ବର୍ଷ ଯାଏଁ ଉତ୍ତରପ୍ରଦେଶ ପାଇଁ ଫାଷ୍ଟ କ୍ଲାସ୍‌ କ୍ରିକେଟ ଖେଳିଛନ୍ତି । କିନ୍ତୁ ତାଙ୍କ ପାଇଁ ଦ୍ବିତୀୟଥର ଖୋଲିନଥିଲା ଟିମ୍‌ ଇଣ୍ଡିଆର ଦ୍ବାର । ଏହାପରେ ସେ ୨୦୦୬ରେ  ନିଜର ଶେଷ ଫାଷ୍ଟକ୍ଲାସ୍‌ ମ୍ୟାଚ୍‌ ଖେଳିଥିଲେ ଏବଂ କ୍ରିକେଟକୁ କହିଥିଲେ ଅଲ୍‌ବିଦା । ଆଉ ବର୍ତ୍ତମାନ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆରେ ପିଆର୍‌ ଏଜେଣ୍ଟ  ଭାବେ କରୁଛନ୍ତି କାମ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.