ନୂଆଦିଲ୍ଲୀ: ଭାରତର ବିଦେଶ ମନ୍ତ୍ରାଳୟ ପରେ ଏବେ ଚୀନ୍ ବିଦେଶ ମନ୍ତ୍ରାଳୟ ମଧ୍ୟ ସୀମାରେ ସବୁକିଛି ଠିକ୍ ନଥିବା ସ୍ୱୀକାର କରିଛି। ଚୀନ୍ କହିଛି ଯେ ଦୁଇ ଦେଶଙ୍କ ମଧ୍ୟରେ କୁଟନୈତିକ ଓ ସାମରିକ ସ୍ତରରେ ବାର୍ତ୍ତା ଜାରି ରହିଛି। ଏହି ଜବାବ ଏପରି ସମୟରେ ଆସିଛି ଯେତେବେଳେ ଭାରତ-ଚୀନ୍ ସୀମାରେ ଅଋଣାଚଳ ପ୍ରଦେଶ ସେକ୍ଟରରେ ଗତ ଦିନ ମାନଙ୍କରେ ସଂଘର୍ଷର ଖବର ଆସୁଛି। ସୋମବାର ଚୀନ୍ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଗୁଓ ଜିୟାକୁନ କହିଛନ୍ତି ଯେ ‘ଚୀନ୍ ପକ୍ଷ ଲଗାତାର ଚୀନ୍-ଭାରତ ସମ୍ପର୍କିତ ବୁଝାମଣା, ବୁଝାମଣାପତ୍ର ଓ ଗୁରୁତ୍ୱପୂର୍ଣ୍ଣ ସହମତିକୁ କଡ଼ାକଡ଼ି ପାଳନ କରୁଛି ’।

ସେ କହିଛନ୍ତି ଯେ ସୀମାବର୍ତ୍ତି କ୍ଷେତ୍ରରେ ଆମେ ସ୍ୱଭାବିକ ପାଟ୍ରୋଲିଂ ଓ ନିୟନ୍ତ୍ରଣ ଗତିବିଦ୍ଧି ଜାରି ରଖିଛୁ, ଯାହାଦ୍ୱାରା କ୍ଷେତ୍ରିୟ ସାର୍ବଭୌମତା ଓ ସୀମାବର୍ତ୍ତି କ୍ଷେତ୍ରରେ ସ୍ଥିରତା ରକ୍ଷା କରାଯାଇ ପାରିବ। ସେପଟେ ଚୀନ୍ ଓ ଭାରତ କୁଟନୈତିକ ତଥା ସାମରିକ ମାଧ୍ୟମରେ ସମ୍ପର୍କ ସ୍ଥାପନା କରିଛନ୍ତି। ଆଶା କରୁଛୁ ଭାରତ ପକ୍ଷ ମଧ୍ୟ ଚୀନ୍ ସହିତ ସେହି ଦିଗରେ ଆଗକୁ ବଢନ୍ତୁ। ଉଭୟ ପକ୍ଷ ସହମତିଗୁଡିକୁ ମିଳିତ ଲାଗୁ କରନ୍ତୁ ଓ ମଜଭୁତ ପଦକ୍ଷେପ ମାଧ୍ୟମରେ ସୀମାକ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରନ୍ତୁ।

ଏହା ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରାଳୟ ଗତ ସପ୍ତାହରେ କହିଥିଲେ ଯେ ଭାରତ-ଚୀନ୍ ସୀମା କ୍ଷେତ୍ରରେ ପରିସ୍ଥିତି ସେତେବେଳେ ବିଗିଡି ଯାଏ ଯେତେବେଳେ ଚୀନ୍ ସେନା ଧାର୍ଯ୍ୟ ପାଟ୍ରୋଲିଂ ପ୍ୟାଟର୍ଣ୍ଣରେ ପରିବର୍ତ୍ତନ କରେ। ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜସ୍ୱାଲ କହିଥିଲେ ଯେ ଉଭୟ ପକ୍ଷ ଏବେକା କୁଟନୈତିକ ଓ ସୈନ୍ୟ ତନ୍ତ୍ରକୁ ଉପଯୋଗ କରି ଲମ୍ବିତ ପ୍ରସଙ୍ଗର ସମାଧାନ କରୁଛନ୍ତି ତଥା ଏଲଏସିରେ ଭୁଲ ବୁଝାମଣା ଓ ଭୁଲ ଧାରଣାରୁ ବର୍ତ୍ତିବା ପାଇଁ ଉଦ୍ୟମ କରୁଛନ୍ତି।

ଜୟସ୍ୱାଲ କହିଛନ୍ତି ଯେ ଉଭୟପକ୍ଷ ଏଲଏସି ସମ୍ପର୍କରେ ଭଲ ବୁଝାମଣା ଲାଗି ଉଚିତ କ୍ଷେତ୍ରରେ ଚର୍ଚ୍ଚା କରିବା ପାଇଁ ସହମତ ହୋଇଛନ୍ତି। ଜୟସ୍ୱାଲଙ୍କ ଏହି ବୟାନ ଭାରତ-ତୀବ୍ବତ ସୀମା ପୋଲିସ (ଆଇଟିବିପି) ମହାନିର୍ଦ୍ଦେଶକ ଶତ୍ରୁଜିତ କପୁରଙ୍କ ସେହି ବୟାନ ପରେ ଆସିଥିଲା ଯେଉଁଥିରେ ସେ ଅଋଣାଚଳ ପ୍ରଦେଶର କେତେକ ସ୍ଥାନରେ ଚୀନ୍ ସେନା ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବାର ଉଲ୍ଲେଖ କରିଥିଲେ। ସୂତ୍ର ଅନୁସାରେ ଉଭୟ ଦେଶ ଏବେର ସାମରିକ ଉତ୍ତେଜନାକୁ ପାରସ୍ପରିକ ସ୍ତରରେ ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି।