ଜୟପୁର: ସରକାରୀ ଚାକିରି ଏବଂ ସମ୍ପତ୍ତି ଲୋଭରେ ଜଣେ ଝିଅ ନିଜ ମାଆକୁ ସୁପାରୀ ଦେଇ ହତ୍ୟା କରିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଅଭିଯୁକ୍ତ ଝିଅ ଆୟୁଷୀ ଶର୍ମା (୨୩) ପୋଲିସ ଜେରା ବେଳେ ଗୁରୁତ୍ୱପୂର୍ଣ୍ଣ କଥା ସ୍ୱୀକାର କରିଛି । ସେ ମାନିଛି ଯେ ବର୍ଷେ ପୂର୍ବେ ବାପା ବିଜୟ କୁମାର ଶର୍ମାଙ୍କ ମୃତ୍ୟୁ ପରେ ମାଆ ନୀରଜ ଶର୍ମା (୪୫)ଙ୍କ ସହ ତାର ବିବାଦ ଆରମ୍ଭ ହୋଇଥିଲା ।

ଆୟୁଷୀ ଚାହୁଁଥିଲା ଯେ ବାପାଙ୍କ ସ୍ଥାନରେ ତାକୁ ଅନୁକମ୍ପାମୂଳକ ସରକାରୀ ଚାକିରି ମିଳୁ । କିନ୍ତୁ ମାଆ ନିଜର ମାନସିକ ଅନଗ୍ରସର ପୁଅ ପାଇଁ ନିଜେ ସେହି ଚାକିରି କରିଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଅନେକ ଦିନ ଧରି ଝଗଡ଼ା ଚାଲିଥିଲା । ଏହା ପରେ ଆୟୁଷୀ ଅନ୍ୟ ଏକ ଘରେ ନିଜ ଦାଦା ପୁଅ ଭାଇ ବଳରାମ ସହ ରହିବାକୁ ଲାଗିଲା । ସେଠାରେ ଦୁହେଁ ମିଶି ନୀରଜକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ।

ଡାହାଣ ପଟୁ ଆସି ବାମ ପଟେ ମାଡ଼ କଲା କାର୍, ଘନୀଭୂତ ହେଲା ସନ୍ଦେହ

ଏସିପି ହରିଶଙ୍କର ଶର୍ମାଙ୍କ କହିବା ଅନୁସାରେ, ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ କାରଟି ଘଣ୍ଟା ପ୍ରତି ପ୍ରାୟ ୧୨୦ କିଲୋମିଟର ସ୍ପିଡରେ ଆସିଥିଲା । ସ୍ଥାନୀୟ ଲୋକଙ୍କ ବୟାନ ଅନୁଯାୟୀ ଏହା ଏକ ଦୁର୍ଘଟଣା ପରି ଲାଗୁ ନ ଥିଲା । ରାସ୍ତାର ଡାହାଣ ପଟେ ଗାଡ଼ି ଚଳାଇବା ପାଇଁ ପର୍ଯ୍ୟାପ୍ତ ଜାଗା ଥିଲା ଏବଂ ସାମ୍ନାରୁ କୌଣସି ଗାଡ଼ି ମଧ୍ୟ ଆସୁ ନ ଥିଲା । ଏଭଳି ସ୍ଥିତିରେ କାରଟି ହଠାତ୍ ବାମ ପଟକୁ ଆସି ମହିଳାଙ୍କୁ ଚାପି ଦେଇ ପୁଣି ଡାହାଣ ପଟକୁ ଯାଇ ଫେରାର ହୋଇଯିବା ପୋଲିସ ମନରେ ସନ୍ଦେହ ସୃଷ୍ଟି କରିଥିଲା । ସିସିଟିଭି ଯାଞ୍ଚ କରିବାରୁ ଜଣାପଡ଼ିଥିଲା ଯେ କାରରେ ବସିଥିବା ଯୁବକ ଏବଂ ରାସ୍ତାରେ ଠିଆ ହୋଇଥିବା କିଛି ଯୁବକ ଲଗାତାର ଫୋନରେ କଥା ହେଉଥିଲେ । ମହିଳା ଜଣକ ପୁଅକୁ ଟ୍ୟୁସନ ଛାଡ଼ି ଫେରିବା ମାତ୍ରେ ଅଭିଯୁକ୍ତମାନଙ୍କୁ ସୂଚନା ଦିଆଯାଇଥିଲା । ସେମାନେ ଗାଡ଼ି ଚଢ଼ାଇ ହତ୍ୟା କରିଥିଲେ । ଏହି ମାମଲାରେ ପୋଲିସ ଏବେ ସୁଦ୍ଧା ୭ ଜଣଙ୍କୁ ଗିରଫ କରିଛି । କିନ୍ତୁ ମୁଖ୍ୟ ଅଭିଯୁକ୍ତ ବଳରାମ ଏବେ ବି ଫେରାର ଅଛି ।

ଆୟୁଷୀ କହିଲା- ଚାହୁଁନଥିଲି ଭାଇର କ୍ଷତି ହେଉ

ପୋଲିସ ଆଗରେ ଆୟୁଷୀ କହିଛି ଯେ, ମାଆ ସହ ତାର ଅନେକ ସମୟରେ ମାରପିଟ୍ ମଧ୍ୟ ହେଉଥିଲା । ସେ ମାଆକୁ ଘୃଣା କରିବାକୁ ଲାଗିଥିଲା । ଏପରି କି ସେ ନିଜ ମାଆକୁ ଏକ ଯନ୍ତ୍ରଣାଦାୟକ ମୃତ୍ୟୁ ଦେବାକୁ ଚାହୁଁଥିଲା । ଭାଇ ବଳରାମ କଥାରେ ସୁପାରୀ କିଲରଙ୍କୁ ଭଡ଼ାରେ ଆଣିବାକୁ ରାଜି ହୋଇଥିଲା । କିନ୍ତୁ ସେ ସର୍ତ୍ତ ରଖିଥିଲା ଯେ ମାଆ ସବୁବେଳେ ତାର ସାନ ଭାଇ ସହ ଘରୁ ବାହାରନ୍ତି, ତେଣୁ ହତ୍ୟା ବେଳେ ଭାଇର ଯେପରି କୌଣସି କ୍ଷତି ନହୁଏ ।

LLB ଫାଇନାଲ୍ ଇୟର ଛାତ୍ରୀ ଥିଲା ଆୟୁଷୀ

ଏହି ହତ୍ୟାକାଣ୍ଡ ବଦଳରେ ବଳରାମ ହାଇୱେ କଡ଼ର ଜମି ମାଗିଥିଲା ଏବଂ ଏଥିରେ ବଳରାମର ପିତା ମୋହନ ମଧ୍ୟ ସାମିଲ ଥିଲେ । ଏହା ପରେ ବଳରାମ ନିଜ ସାଙ୍ଗ ହେମନ୍ତକୁ ୭ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା ଏବଂ ହେମନ୍ତ ନିଜ ସମ୍ପର୍କୀୟ ଆକାଶ ସହ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିଲା ।

ଆୟୁଷୀ ଏକ ପ୍ରାଇଭେଟ୍ କଲେଜରୁ ଏଲଏଲ୍ବି ଫାଇନାଲ୍ ଇୟର ପଢୁଥିଲା । ଆଇନର ଜ୍ଞାନ ଥିବାରୁ ସେ ବଳରାମ ସହ ମିଶି ପୂରା ପ୍ଲାନିଂ କରିଥିଲା । ହତ୍ୟା ପାଇଁ ବ୍ୟବହୃତ ହେବାକୁ ଥିବା ସ୍କର୍ପିଓ କାରକୁ ଭଡ଼ାରେ ଅଣାଯାଇଥିଲା । ଜୟପୁରର ଜଣେ ଯୁବକଙ୍କ ଆଇଡି ବ୍ୟବହାର କରାଯାଇଥିଲା । ହତ୍ୟା ପରେ କାର୍ କେଉଁଠି ପାର୍କିଂ କରାଯିବ ? ପୋଲିସ ଆକ୍ସିଡେଣ୍ଟ ଭାବି ତଦନ୍ତ କଲେ କାର୍ ଚାଳକ ଯୁବକକୁ ଜାମିନ କେମିତି କରାଯିବ ? ସେ ସମସ୍ତ ପ୍ଲାନିଂ ପୂର୍ବରୁ ପ୍ରସ୍ତୁତ ଥିଲା ।

ମାଆଙ୍କୁ ପୂର୍ବରୁ ଥିଲା ହତ୍ୟା ଆଶଙ୍କା

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ପ୍ରାୟ ୩ ମାସ ପୂର୍ବରୁ ମଧ୍ୟ ନୀରଜଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ଏକ ଥାର୍ ଗାଡ଼ି ଭଡ଼ାରେ ଆଣିଥିଲେ, କିନ୍ତୁ ସଫଳ ହୋଇପାରି ନ ଥିଲେ । ଏହା ପରେ ମୃତ ନୀରଜ ଶର୍ମା ନିଜ ପରିବାର ଆଗରେ ତାଙ୍କୁ କେହି ହତ୍ୟା କରିବାକୁ ଚେଷ୍ଟା କରୁଥିବା ଆଶଙ୍କା ପ୍ରକାଶ କରିଥିଲେ । କିନ୍ତୁ ପରିବାର ଲୋକେ ଏହାକୁ ଗୁରୁତର ସହ ନନେଇ କେବଳ ସତର୍କ ରହିବାକୁ କହିଥିଲେ । ଗତ ଜୁଲାଇ ୩ ତାରିଖରେ ଘଟିଥିବା ଏହି ସୁପାରୀ କିଲିଂ ମାମଲାରେ ପୋଲିସ ଏବେ ଅଧିକ ତଦନ୍ତ ଚଳାଇଛି ।