କଟକ: ବାରଙ୍ଗ ଥାନା ଅନ୍ତର୍ଗତ ରାମଦାସପୁର ଶିଳ୍ପାଞ୍ଚଳ ନିକଟରେ ଅଭାବନୀୟ ଘଟଣା। କାର୍‌ରେ ନିଆଁ ଲାଗିଯିବାରୁ ଭିତରେ ଥିବା ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି। ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ।

ସୂଚନା ଅନୁଯାୟୀ, ରାମଦାସପୁର ଶିଳ୍ପାଞ୍ଚଳର କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଏକ କାର୍ ଜଳୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଆଉ ଏହି କାର୍ ଭିତରେ ଜଣେ ବ୍ୟକ୍ତି ଜୀବନ୍ତ ପୋଡ଼ି ଯାଇଥିଲେ। ତେବେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁରେ କାର୍ର ଅଧିକାଂଶ ଅଂଶ ପୋଡ଼ି ନଷ୍ଟ ହୋଇଯାଇଛି।

ଅନ୍ୟପଟେ ଘଟଣାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ମୃତକଙ୍କ ପରିଚୟ ଏବଂ କାର୍ରେ ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ।