ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପର କିଙ୍ଗ୍ସ (CSK) ରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦୀର୍ଘ ଦିନ ଧରି ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଉଥିବା ଷ୍ଟିଫେନ୍ ଫ୍ଲେମିଙ୍ଗ୍ CSK ସହ ନିଜର ସମ୍ପର୍କ ଛିନ୍ନ କରିଛନ୍ତି। ଦଳର ମ୍ୟାନେଜମେଣ୍ଟ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଫ୍ରାଞ୍ଚାଇଜ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପଟେ ଫ୍ଲେମିଙ୍ଗଙ୍କ ବିଦାୟ ପରେ ଭାରତ ପାଇଁ ୪୦ଟି ଦିନିକିଆ ଓ ୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ପୂର୍ବତନ କ୍ରିକେଟର ତଥା ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍ ହେମାଙ୍ଗ ବଦାନୀ ସିଏସକେର ପରବର୍ତ୍ତୀ ମୁଖ୍ୟ କୋଚ୍ ହେବା ଦୌଡ଼ରେ ଆଗରେ ରହିଛନ୍ତି।

କଣ କହିଲେ ଫ୍ଲେମିଙ୍ଗ୍ ?

୨୦୦୮ ଆଇପିଏଲର ପ୍ରଥମ ସିଜିନରେ ଜଣେ ଖେଳାଳି ଭାବେ ସିଏସକେରେ ସାମିଲ ହୋଇଥିବା ଫ୍ଲେମିଙ୍ଗ୍ ୨୦୦୯ରେ ଦଳର ମୁଖ୍ୟ କୋଚ୍ ହୋଇଥିଲେ। ଦୀର୍ଘ ୧୮ ବର୍ଷର ଏହି ଯାତ୍ରାର ଅନ୍ତ ଘଟାଇ ସେ କହିଛନ୍ତି, ‘ଖେଳ ଦୁନିଆରେ ୧୮ ବର୍ଷ ଏକ ବଡ଼ ସମୟ। ମୁଁ କେବଳ କୃତଜ୍ଞତା ନେଇ ଏଠାରୁ ବିଦାୟ ନେଉଛି। CSK ସହ ବିତାଇଥିବା ସମୟ ମୋ କୋଚିଂ କ୍ୟାରିୟରର ସବୁଠାରୁ ଗୌରବମୟ ସମୟ ଥିଲା। ଆମେ ମିଳିମିଶି ଅନେକ ବିଜୟ ହାସଲ କରିଛୁ ଏବଂ କଠିନ ସମୟର ସାମ୍ନା ମଧ୍ୟ କରିଛୁ। ସିଏସକେ ସବୁବେଳେ ମୋ ହୃଦୟର ନିକଟତର ହୋଇ ରହିବ।’

ଧୋନୀ ଏବଂ ଫ୍ଲେମିଙ୍ଗଙ୍କ ଯୋଡ଼ି ଆଇପିଏଲ୍ ଇତିହାସର ସବୁଠାରୁ ସଫଳ ଯୋଡ଼ି । ଫ୍ଲେମିଙ୍ଗଙ୍କ ମାର୍ଗଦର୍ଶନରେ ଦଳ ୫ ଥର ଆଇପିଏଲ୍ ଟ୍ରଫି ଜିତିଛି। ରେକର୍ଡ ୧୨ ଥର ପ୍ଲେ-ଅଫ୍ ଏବଂ ୧୦ ଥର ଫାଇନାଲ୍ ଖେଳିବାର ଗୌରବ ଅର୍ଜନ କରିଛି ସିଏସକେ । କିନ୍ତୁ ଗତ ତିନୋଟି ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି ଏବଂ ଦଳ ପ୍ଲେ-ଅଫ୍କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇନାହିଁ। ସମୀକ୍ଷକମାନଙ୍କ ମତରେ, ଦଳର କେତେକ ବୟସ୍କ ଖେଳାଳିଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳତା ଏବଂ 'ଧୋନି ଫ୍ୟାକ୍ଟର' କାରଣରୁ ଦଳର ପ୍ରଦର୍ଶନ ଖରାପ ହୋଇଛି। ଏପରିକି ଚଳିତ ବର୍ଷ ଧୋନୀଙ୍କ ଆହତ ସମସ୍ୟା ମଧ୍ୟ ଦଳ ପାଇଁ ଚିନ୍ତାର କାରଣ ସାଜିଥିଲା । ଏହାର ସମାଧାନ ଖୋଜିବାରେ ଫ୍ଲେମିଙ୍ଗ୍ ଅସମର୍ଥ ହୋଇଥିଲେ।

ରିପୋର୍ଟ ଅନୁଯାୟୀ, CSK ର ଶୀର୍ଷ ଅଧିକାରୀମାନେ ବର୍ତ୍ତମାନ ଆମେରିକାର ଡଲାସରେ ଅଛନ୍ତି ଏବଂ ଦଳର ଭବିଷ୍ୟତ ଯୋଜନା ଉପରେ ସମୀକ୍ଷା କରୁଛନ୍ତି। ଏନ. ଶ୍ରୀନିବାସନଙ୍କ ଝିଅ ତଥା CSKCL ର ନିର୍ଦ୍ଦେଶିକା ରୂପା ଗୁରୁନାଥ ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ନଜର ରଖିଛନ୍ତି। ଆଗାମୀ ଦିନରେ ଦଳର ସମ୍ପୂର୍ଣ୍ଣ କୋଚିଂ ଷ୍ଟାଫ୍କୁ ବଦଳାଯିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।