LIVE TV

ଜାଣିଶୁଣି ରାଲିକୁ ବିଳମ୍ୱରେ ଆସିଥିଲେ ବିଜୟ, କରୁର ଦଳାଚକଟା ମାମଲାରେ ପୋଲିସ FIRରେ ଦାବି

NEWS7
VIJAY

ଚେନ୍ନାଇ: ତାମିଲନାଡ଼ୁର କରୁର ଜିଲ୍ଲାରେ ଶନିବାର ବିଜୟଙ୍କ ରାଲିରେ ଦଳାଚକଟା ଯୋଗୁ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬୦ ଜଣ ଆହତ ହୋଇଥିଲେ। ପୋଲିସ ଏଫଆଇଆରରେ ଏହି ଘଟଣା ପାଇଁ ପାର୍ଟି ମୁଖ୍ୟ ବିଜୟଙ୍କ "ଜାଣିଶୁଣି ବିଳମ୍ୱ କରିବା" ଏବଂ ଦଳୀୟ କର୍ମୀଙ୍କ ଅବହେଳାକୁ ଦାୟୀ କରାଯାଇଛି। ଏଫଆଇଆର ଅନୁଯାୟୀ, ଟିଭିକେ ମୁଖ୍ୟ ବିଜୟ ଅନୁମତି ବିନା ଅନେକ ସ୍ଥାନରେ ରୋଡ୍ ଶୋ' କରିଥିଲେ ଏବଂ ଭେଲୁସାମିପୁରମରେ ପହଞ୍ଚିବାରେ ବିଳମ୍ବ କରିଥିଲେ । ଏହି ସମୟରେ, ଦଳୀୟ କର୍ମୀ ଏବଂ ସାଧାରଣ ଲୋକଙ୍କ ଏକ ବିରାଟ ଭିଡ଼ ଜମା ହୋଇଥିଲା, ଯାହା ଫଳରେ ଦଳାଚକଟା ସୃଷ୍ଟି ହୋଇଥିଲା ।

ପୋଲିସ ଭିଡ଼ ନିୟନ୍ତ୍ରଣ ପାଇଁ ବାରମ୍ବାର ଚେତାବନୀ ଜାରି କରିଥିଲେ, କିନ୍ତୁ ଦଳୀୟ କର୍ମକର୍ତ୍ତାମାନେ ସେମାନଙ୍କୁ ଅଣଦେଖା କରିଥିଲେ । ଏଫଆଇଆରରେ କୁହାଯାଇଛି ଯେ କର୍ମୀମାନେ ଘରର ଟିଣ ଏବଂ ଗଛ ଡାଳରେ ବସିଥିଲେ । ହଠାତ୍ ଭୁଶୁଡ଼ି ପଡ଼ିବା ଫଳରେ ଲୋକେ ଚାପି ହୋଇଯାଇଥିଲେ । ଯେଉଁଥି ପାଇଁ ଅନେକଙ୍କ ମୃତ୍ୟୁ ହୋଇଥିଲା । ପୋଲିସ କରୁର ଜିଲ୍ଲା ସମ୍ପାଦକ ମାଥିୟାଲାଗନ, ରାଜ୍ୟ ସାଧାରଣ ସମ୍ପାଦକ ବାସି ଏନ୍ ଆନନ୍ଦ ଏବଂ ଯୁଗ୍ମ ସମ୍ପାଦକ ସିଟିଆର ନିର୍ମଳ କୁମାରଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୧୦୫, ୧୧୦, ୧୨୫, ୨୨୩ ଏବଂ ତାମିଲନାଡୁ ସାର୍ବଜନୀନ ସମ୍ପତ୍ତି ଆଇନର ଧାରା ୩ ଅନୁଯାୟୀ ଏଫଆଇଆର ରୁଜୁ କରିଛି।

ଆୟୋଜକମାନେ ବିଜୟଙ୍କ ପହଞ୍ଚିବା ସମୟକୁ ଜାଣିଶୁଣି ଚାରି ଘଣ୍ଟା ବିଳମ୍ବ କରି ରାଜନୈତିକ ଶକ୍ତି ପ୍ରଦର୍ଶନ କରିଥିଲେ । ବିଶାଳ ଭିଡ଼କୁ ଏକାଠି କରିବା ତାଙ୍କ ଉଦ୍ଦେଶ୍ୟ ଥିଲା । ଅତ୍ୟଧିକ ଭିଡ଼ ଯୋଗୁ ଗରମ, ଶୋଷ ଏବଂ ପାଣିର ଅଭାବ ପରିସ୍ଥିତିକୁ ଆହୁରି ଖରାପ କରିଥିଲା । ସେପଟେ କରୁର ଦଳାଚକଟା ଉପରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ତାମିଲନାଡୁ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ପୋଲିସ କହିଛି ଯେ ଏମାନେ ସୋସିଆଲ ମିଡିଆ ଏବଂ ସ୍ଥାନୀୟ ସ୍ତରରେ ଭୁଲ ସୂଚନା ପ୍ରସାର କରିଥିଲେ, ଯାହା ପରିସ୍ଥିତିକୁ ଆହୁରି ଖରାପ କରିବାର ସମ୍ଭାବନା ଥିଲା ।