ନୂଆଦିଲ୍ଲୀ ୨୭।୧୨: କେନ୍ଦ୍ର ସରକାର ଗ୍ରାମୀଣ ରୋଜଗାର ଯୋଜନା ଏମଜିଏନଆରଇଜିଏ କୁ ଭିବିଜି-ଆରଏଏମ-ଜି ଆଇନରେ ବଦଳାଇବା ବିରୋଧରେ କଂଗ୍ରେସ ଦେଶବ୍ୟାପୀ ପ୍ରଦର୍ଶନ କରିବ। ଶନିବାର ଅନୁଷ୍ଠିତ କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ମହାତ୍ମା ଗାନ୍ଧିଙ୍କ ନାମରେ କରାଯାଇଥିବା ଯୋଜନାକୁ ବଦଳାଇବା ରାଷ୍ଟ୍ରପିତାଙ୍କ ପ୍ରତି ଅପମାନ।

ସେ କହିଛନ୍ତି ଯେ ଆମେ ଏମଜିଏନଆରଇଜିଏ ଯୋଜନା ଲାଗି ଦେଶବ୍ୟାପୀ ବ୍ୟାପକ ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ। ଏହି ନିଷ୍ପତ୍ତି ଅନୁସାରେ ଜାନୁୟାରୀ ୫ ତାରିଖରୁ ସାରା ଦେଶରେ ଏମଜିଏନଆରଇଜିଏ ବଚାଓ ଅଭିଯାନ ଆରମ୍ଭ କରିବୁ। ଖଡଗେ କହିଛନ୍ତି ଆମେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଗ୍ୟାରେଣ୍ଟି ଅଧିନିୟମ (ଏମଜିଏନଆରଇଜିଏ)କୁ ଯେ କୌଣସି ମୂଲ୍ୟରେ ରକ୍ଷା କରିବୁ। କାରଣ ଏହା କେବଳ ଏକ ଯୋଜନା ନୁହେଁ ବରଂ ଭାରତର ସମ୍ବିଧାନ ଦ୍ୱାରା ପ୍ରଦତ୍ତ ରୋଜଗାରର ଅଧିକାର। ଏଣୁ ଆମେ ଗାନ୍ଧିଜୀଙ୍କ ନାମକୁ ଯୋଜନାରୁ ହଟାଇବା ଲାଗି ସବୁ ଷଡ଼ଯନ୍ତ୍ରକୁ ଗଣତାନ୍ତ୍ରିକ ଉପାୟରେ ବିରୋଧ କରିବାକୁ ସଂକଳ୍ପ କରିଛୁ।

ଖଡଗେ କହିଛନ୍ତି ଯେ ଦେଶରେ ମନରେଗାକୁ ରଦ୍ଦ କରାଯିବା ଯୋଗୁ ଲୋକେ ଅସନ୍ତୁଷ୍ଟ ଅଛନ୍ତି ଓ ସରକାରଙ୍କୁ ଏହାର ପରିଣାମ ଭୋଗ କରିବାକୁ ପଡିବ। ଏଥି ମଧ୍ୟରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ଅଥବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ସହ କୌଣସି ପରାମର୍ଶ ବିନା ଏମଜିଏନଆରଇଜିଏ କୁ ବଦଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାହୁଲ ଗାନ୍ଧି କହିଛନ୍ତି ଯେ ଏହା ବର୍ତ୍ତମାନର ସ୍ଥିତିକୁ ପ୍ରଦର୍ଶିତ କରୁଛି। ଏଥିରେ ଶାସନ ଏବେ ଜଣେ ବ୍ୟକ୍ତିଙ୍କ ହାତକୁ ଚାଲି ଯାଇଛି ଓ ନରେନ୍ଦ୍ର ମୋଦି ଯାହା ଚାହୁଁଛନ୍ତି ତାହା କରାଯାଉଛି।

ରାହୁଲ କହିଛନ୍ତି ଯେ ଯେପରି ଖଡଗେ କହିଲେ ଆମେ ଏହାକୁ ବିରୋଧ କରିବୁ, ଆମେ ଏହା ବିରୋଧରେ ଲଢିବୁ ଓ ମୋର ପୁରା ବିଶ୍ୱାସ ସମଗ୍ର ବିପକ୍ଷ ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ଏକଜୁଟ ହେବ। ଉଲ୍ଲେଖଯୋଗ୍ୟ ଯେ ୟୁପିଏ ଯୁଗର ମନରେଗା ଯୋଜନା ସ୍ଥାନରେ ବିକଶିତ ଭାରତ-ରୋଜଗାର ଓ ଅଜିବିକା ମିସନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଧେୟକକୁ ନିକଟରେ ଶେଷ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନରେ ଗୃହୀତ କରାଯାଇଛି। ଏହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମତି ମଧ୍ୟ ମିଳି ଯାଇଛି।

କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ମନରେଗାର ସ୍ଥାନ ନେଉଥିବା ନୂଆ ଆଇନକୁ ନେଇ କଡ଼ା ଆପତ୍ତି କରିଥିଲେ। କହିଥିଲେ ଏହା ମହାତ୍ମା ଗାନ୍ଧିଙ୍କ ଅପମାନ। କାରଣ ତାଙ୍କ ନାମରେ ଅନେକ ଶୀର୍ଷକ ହଟାଇ ଦିଆଗଲାଣି। ନୂଆ ଆଇନରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ଯାହାର ବୟଷ୍କ ସଦସ୍ୟ ଅକୁଶଳ ଶାରୀରିକ ଶ୍ରମ ନିମନ୍ତେ ସ୍ୱେଚ୍ଛାରେ ଆଗକୁ ଆସିଲେ ଏକ ଆର୍ଥିକ ବର୍ଷରେ ୧୨୫ ଦିନର ବେତନଭୋଗୀ ରୋଜଗାରର ବୈଧାନିକ ଗ୍ୟାରଣ୍ଟି ଦିଆଯାଇଛି। ନୂଆ ଆଇନ ଅନୁସାରେ ଯଦିଓ ଏହା କେନ୍ଦ୍ରୀୟ ଯୋଜନା କେନ୍ଦ୍ର ଓ ରାଜ୍ୟଙ୍କୁ ଏହି ଯୋଜନା ନିମନ୍ତେ ୬୦-୪୦ ଅନୁପାତରେ ରାଶି ଆବଣ୍ଟନ କରିବେ।