ପାଟନା ୨୪।୧୧: ପାର୍ଟି ବିରୋଧୀ ଗତିବିଦ୍ଧି ଅଭିଯୋଗରେ ବିହାର କଂଗ୍ରେସ ୭ ନେତାଙ୍କୁ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରିଛି। ଯେଉଁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ସେମାନଙ୍କ ମଧ୍ୟରେ କଂଗ୍ରେସ ସେବା ଦଳର ପୂର୍ବତନ ଉପାଧ୍ୟକ୍ଷ ସକିଲୁର ରହମାନ, କୃଷକ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାଜ କୁମାର ରାଜନ, କୁନ୍ଦନ ଗୁପ୍ତା, ବାଙ୍କା ଜିଲ୍ଲା କଂଗ୍ରେସ କମିଟି ଅଧ୍ୟକ୍ଷ କଞ୍ଚନା କୁମାରୀ ଓ ନାଳନ୍ଦାର ରବି ଗୋଲ୍ଡେନ ଅଛନ୍ତି।

ପ୍ରଦେଶ କଂଗ୍ରେସ ଶୃଙ୍ଖଳା କମିଟି ସେମାନଙ୍କ ବିରୋଧରେ ୬ ବର୍ଷ ନିମନ୍ତେ ନିଷ୍କାସନ କାର୍ଯ୍ୟାନୁଷ୍ଠାନ କରିଛି। ଶୃଙ୍ଖଳା କମିଟି ଅଧ୍ୟକ୍ଷ କିପଲଦେବ ପ୍ରସାଦ ଏହି ଆଦେଶ ଜାରି କରିଛନ୍ତି। ଶୃଙ୍ଖଳାଗତ କମିଟି ଅଧ୍ୟକ୍ଷ କହିଛନ୍ତି ଯେ ସମ୍ବଦ୍ଧିତ ନେତାଙ୍କଠୁ ପ୍ରାପ୍ତ ସ୍ପଷ୍ଟିକରଣ କମିଟିକୁ ସନ୍ତୁଷ୍ଟ କରିପାରି ନାହିଁ। ସେମାନଙ୍କ କାର୍ଯ୍ୟ ପାର୍ଟି ଅନୁଶାସନ ଉଲ୍ଲଂଘନର ୫ ମାନକରୁ ୩ଟିରେ ସ୍ପଷ୍ଟ ରୂପେ ଆସୁଛି। କମିଟି ଉଲ୍ଲେଖ କରିଛି ଯେ ନେତାମାନେ କଂଗ୍ରେସ କାର୍ଯ୍ୟକ୍ରମ ଓ ନିଷ୍ପତ୍ତି ବିରୋଧରେ ଲଗାତାର ପାର୍ଟି ମଞ୍ଚ ବାହାରେ ବୟାନ ଦେଇଛନ୍ତି।

ସେମାନେ ପ୍ରାଧିକୃତ ଅଧିକାରୀଙ୍କ ନିର୍ଦ୍ଦେଶକୁ ଜାଣିଶୁଣି ଅବହେଳା କରିଛନ୍ତି। ପ୍ରିଣ୍ଟ ଓ ସୋସିଆଲ ମିଡିଆରେ ଟିକେଟ କ୍ରୟ ବିକ୍ରୟକୁ ନେଇ ନିରାଧାର ଓ ଭ୍ରମାତ୍ମକ ଅଭିଯୋଗ ଲଗାଇ ପାର୍ଟିର ସମ୍ମାନ ଓ ପ୍ରତିଷ୍ଠାରେ ଆଞ୍ଚ ଆଣିଛନ୍ତି। କମିଟି ଏହା ବି ସ୍ପଷ୍ଟ କରିଛି ଯେ ନେତାମାନେ ଯେଉଁ ପ୍ରସଙ୍ଗ ଉଠାଇ ପାର୍ଟିର ଅପପ୍ରଚାର କରିଥିଲେ ସେହି ସବୁ ପ୍ରସଙ୍ଗରେ ପାର୍ଟି ସମ୍ପୂର୍ଣ୍ଣ ପାରଦର୍ଶିତା ଅବଲମ୍ବନ କରିଥିଲା। ପର୍ଯ୍ୟବେକ୍ଷକଙ୍କ ନିଯୁକ୍ତି, ଜନସମ୍ପର୍କ କାର୍ଯ୍ୟକ୍ରମ, ପ୍ରଦେଶ ନିର୍ବାଚନ କମିଟି ବୈଠକ ତଥା ଅଖିଳ ଭାରତୀୟ ନିର୍ବାଚନ କମିଟି ଦ୍ୱାରା ବିସ୍ତୃତ ସମୀକ୍ଷା ପରେ ହିଁ ଅଧିକୃତ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲା।

ଏହା ସତ୍ତ୍ୱେ ଏହି ନେତାମାନଙ୍କ ଆଚରଣ ଯୋଗୁ ପାର୍ଟିର ବିଭିନ୍ନ ସ୍ତରରେ ନିଷ୍ପତ୍ତି ପ୍ରଭାବିତ ହୋଇଛି। ଏମାନେ ସଙ୍ଗଠନ ମଧ୍ୟରେ ଭ୍ରମ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ। କମିଟି ଏହା ବି କହିଛି ଯେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅବିନାଶ ପାଣ୍ଡେୟଙ୍କ ସହମତିରେ ବିଧାନସଭା ପର୍ଯ୍ୟବେକ୍ଷକ ଗଠନ ପରେ ମଧ୍ୟ ଏହି ନେତାମାନେ ବିଶୃଙ୍ଖଳା ଜାରି ରଖିଥିଲେ। ଏହି ସବୁ ତଥ୍ୟ ଆଧାରରେ ପ୍ରଦେଶ କଂଗ୍ରେସ ଶୃଙ୍ଖଳା କମିଟି ଏହି ସବୁ ନେତାଙ୍କୁ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ୬ ବର୍ଷ ନିମନ୍ତେ ବହିଷ୍କାର କରିଛି।