ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ର ଟ୍ରିପଲ୍ ଆଟାକ୍। ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପରେ ଏବେ ସିଏନଜି (CNG) ଦର ବଢ଼ାଇଛନ୍ତି ସରକାର। ଶୁକ୍ରବାର ସକାଳୁ ହିଁ ଖାଉଟିଙ୍କୁ ଏହି ବଡ଼ ଝଟକା ଲାଗିଛି। ଦିଲ୍ଲୀରେ ସିଏନଜି ଦର କିଲୋ ପ୍ରତି ୨ ଟଙ୍କା ବୃଦ୍ଧି ପାଇଛି।

ନୂଆ ଦର:

ଦିଲ୍ଲୀ: ସିଏନଜି ଦର କିଲୋ ପ୍ରତି ୨ ଟଙ୍କା ବଢ଼ିବା ପରେ ନୂଆ ଦର ୭୯.୦୯ ଟଙ୍କାରେ ପହଞ୍ଚିଛି।

ମୁମ୍ବାଇ: ଏଠାରେ ମଧ୍ୟ ଦର ୨ ଟଙ୍କା ବୃଦ୍ଧି ପାଇଛି। ପୂର୍ବରୁ ୮୨ ଟଙ୍କା ଥିବା ବେଳେ ଏବେ ଗ୍ରାହକଙ୍କୁ କିଲୋ ପ୍ରତି ୮୪ ଟଙ୍କା ଦେବାକୁ ପଡ଼ିବ। ମୁମ୍ବାଇରେ ଏହି ନୂଆ ଦର ମେ’୧୪ରୁ ହିଁ ଲାଗୁ ହୋଇସାରିଛି।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ମଧ୍ୟ ଲିଟର ପ୍ରତି ୩ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ତେଲ ଦର ବଢ଼ିବା ଖବର ପ୍ରସାରିତ ହେବା ପରେ ଦିଲ୍ଲୀର ବିଭିନ୍ନ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ସରକାରଙ୍କୁ ଘେରିଲେ ବିରୋଧୀ

ଇନ୍ଧନ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ଦଳ। କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରି ଲେଖାଯାଇଛି ଯେ, "ନିର୍ବାଚନ ଶେଷ ହେବା ମାତ୍ରେ ମୋଦୀଙ୍କ ଅସଲ ରୂପ ସାମ୍ନାକୁ ଆସିଛି। ଜନତାଙ୍କ ଉପରେ ମହଙ୍ଗା ମାଡ଼ କରି ସରକାର ଏବେ ଅସୁଲି ଆରମ୍ଭ କରିଛନ୍ତି।"

କଂଗ୍ରେସ ନେତ୍ରୀ କୁମାରୀ ଶୈଳଜା ଅଭିଯୋଗ କରିଛନ୍ତି ଯେ, ବିଜେପି ସରକାର ନିର୍ବାଚନ ପର୍ଯ୍ୟନ୍ତ ଲୋକଙ୍କୁ ଆଶ୍ୱସ୍ତି ଦେବାର ନାଟକ କରୁଥିଲେ, କିନ୍ତୁ କ୍ଷମତାକୁ ଆସିବା ପରେ ସାଧାରଣ ଲୋକଙ୍କ ପକେଟ୍ ଉପରେ ସିଧାସଳଖ ଆକ୍ରମଣ କରିଛନ୍ତି। ସେହିପରି ଟିଏମସି ନେତା ଡେରେକ୍ ଓ’ବ୍ରାଏନ୍ ଏବଂ ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

ବିଜେପିର ସଫେଇ

ଅନ୍ୟପକ୍ଷରେ, ବିଜେପି ନେତା ତଥା ପଶ୍ଚିମବଙ୍ଗର ମନ୍ତ୍ରୀ ଦିଲୀପ ଘୋଷ ଏହି ଦର ବୃଦ୍ଧିକୁ ସମର୍ଥନ କରି କହିଛନ୍ତି ଯେ, ଗତ ୩ ବର୍ଷ ଧରି ବିଶ୍ୱରେ ଯୁଦ୍ଧ ସ୍ଥିତି ଲାଗି ରହିଛି, ଯାହା ଫଳରେ ଅନେକ ଦେଶରେ ସଙ୍କଟ ଦେଖାଦେଇଛି। ପ୍ରଧାନମନ୍ତ୍ରୀ ମୋଦୀ ସ୍ଥିତିକୁ ସମ୍ଭାଳି ରଖିଛନ୍ତି ଏବଂ ଦର ବହୁତ କମ୍ ମାତ୍ରାରେ ବଢ଼ାଯାଇଛି।

ତେବେ ପେଟ୍ରୋଲ, ଡିଜେଲ ଓ ସିଏନଜି ଦର ବୃଦ୍ଧି ଯୋଗୁଁ ଆଗାମୀ ଦିନରେ ପରିବହନ ଖର୍ଚ୍ଚ ବଢ଼ିବା ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।