ଭୁବନେଶ୍ବର: ପ୍ରାଣୀ ସଂପଦ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ। ୯୯.୩୯ କୋଟି ଟଙ୍କାର ୭୬ଟି ପ୍ରାଣୀ ଚିକିତ୍ସାଳୟ ଏବଂ ୧୨ଟି ମତ୍ସ୍ୟସମ୍ପଦ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ। ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ-୨୦୨୬ ଅବସରରେ ଶନିବାର ଲୋକସେବା କନଭେନସନ୍ ହଲରୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓପୋଲଫେଡ ଓ ବିଭିନ୍ନ ପ୍ରାଥମିକ କୁକ୍କୁଟ ସମବାୟ ସେମିତି ମାଧ୍ୟମରେ ଓଡ଼ିଶାର ଦେଶୀ ଅସିଲ ଚିକେନ୍ ଓ ଦେଶୀ ଅଣ୍ଡା ବିପଣନର ୫ଟି କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହାସହ ୨୧୯ଟି ନୂତନ ପ୍ରାଣୀ ସମ୍ପଦ ଭିଭିଭୂମି ପ୍ରକଳ୍ପ ପାଇଁ ବୁଝାମଣାପତ୍ର ମଧ୍ୟ ହୋଇଥିବା ଘୋଷଣା କରିଛନ୍ତି। ନଖରା ଠାରେ ଆନିମଲ ରେଫରାଲ୍ ହସ୍ପିଟାଲ ଆରମ୍ଭ ହେବ। ପ୍ରତିବର୍ଷ ଏପ୍ରିଲ ଶେଷ ଶନିବାର ବିଶ୍ୱ ପ୍ରାଣିଚିକିତ୍ସା ଦିବସ ପାଳିତ ହୋଇଥାଏ। ଚଳିତବର୍ଷର ଥିମ ରହିଛି- ଉତ୍ତମ ଖାଦ୍ୟ ଓ ସ୍ୱାସ୍ଥ୍ୟ ପାଇଁ ପ୍ରାଣୀ ଚିକିତ୍ସକ। ସରକାରଙ୍କ ଏହି ସୁଦୂରପ୍ରସାରୀ ଯୋଜନାଗୁଡ଼ିକର ସୁଫଳ ପାଇ ଆଜି ଅନେକ କୃଷକ ସଫଳତାର ଶୀର୍ଷରେ ପହଞ୍ଚିବା ସହ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସଫଳ ଚାଷୀମାନଙ୍କୁ ସେମାନଙ୍କ କୃତିତ୍ୱ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।